ପ୍ରଥମ ଥର ଗୃହପାଳିତ ପଶୁଙ୍କ ଠାରେ ମଙ୍କିପକ୍ସ, ଏହି ଦେଶରେ କୁକୁର ଦେହରେ ହେଲା ଚିହ୍ନଟ
ପ୍ୟାରିସ : କରୋନା ଭାଇରସ ସହ ବିଶ୍ୱର ଅନେକ ଦେଶରେ ମଙ୍କିପକ୍ସ ସଂକ୍ରମଣ ବଢ଼ିଛି । ମଙ୍କିପକ୍ସ ସଂକ୍ରମଣ ବଢ଼ୁଥିବାରୁ ସରକାରଙ୍କ ମଧ୍ୟ ଚିନ୍ତା ବଢ଼ିବାରେ ଲାଗିଛି । ଏହାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ସକ୍ରିୟ ହୋଇଯାଇଛି । କିନ୍ତୁ ଏହାରି ମଧ୍ୟରେ ଏକ ବଡ଼ ଖବର ଆସିଛି । ରିପୋର୍ଟ ଅନୁସାରେ ଏହି ଭାଇରସ ମନୁଷ୍ୟଙ୍କ ଠାରୁ ପଶୁଙ୍କୁ ମଧ୍ୟ ହୋଇପାରେ । ଏଭଳି ଏକ ମାମଲା ସାମ୍ନାକୁ ଆସିଛି । ମଙ୍କିପକ୍ସର ଏହି ପ୍ରକାରର ମନୁଷ୍ୟଙ୍କ ଠାରୁ ପଶୁଙ୍କ ପାଖକୁ ଯିବା ନେଇ ବିଶେଷଜ୍ଞମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଛନ୍ତି । ସୂଚନାଯୋଗ୍ୟ ଏବେ ବିଶ୍ୱର ୯୪ଟି ଦେଶରେ ମଙ୍କିପକ୍ସର ୩୭,୩୬୯ ଜଣ ସଂକ୍ରମିତ ଚିହ୍ନଟ ହୋଇସାରିଛନ୍ତି ।
ଲେନସେଟ ଜର୍ଣ୍ଣାଲରେ ନିକଟରେ ପ୍ରକାଶିତ ରିପୋର୍ଟରେ ଏହି କେସ ବାବଦରେ ଉଲ୍ଲେଖ କରାଯାଇଛି । ଏଥିରେ କୁହାଯାଇଛି ଯେ, ଫ୍ରାନ୍ସର ପ୍ୟାରିସ ସୋର୍ବୋନ ବିଶ୍ୱବିଦ୍ୟାଳୟର ଗବେଷକମାନେ ମଙ୍କିପକ୍ସରେ ପୀଡିତ ୨ ବାୟୋସେକ୍ସୁଆଲ ପୁରୁଷଙ୍କ ଉପରେ ଗବେଷଣା କରିଥିଲେ । ସେମାନେ ମଙ୍କିପକ୍ସରେ ପୀଡିତ ଥିଲେ । ଏହାର ପ୍ରାୟ ଦେଢ଼ ମାସ ପରେ ତାଙ୍କର ୪ ବର୍ଷର କୁକୁରକୁ ମଧ୍ୟ ମଙ୍କିପକ୍ସ ହୋଇଥିଲା । ଯେତେବେଳେ କୁକୁରର ନମୁନା ରିପୋର୍ଟ ଆସିଲା, ଡାକ୍ତରମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଶେଷରେ କୁକୁର ମଧ୍ୟ ମଙ୍କିପକ୍ସ ଚିହ୍ନଟ ହୋଇଥିଲା ।
