ପ୍ରଥମ ଥର ପାଇଁ ଆଇପିଏଲ୍ରେ ଓଡ଼ିଆ କମେଣ୍ଟ୍ରି, ପରିଚାଳନା କରିବେ ଲୋରିଆ ମହାନ୍ତି
କଟକ : ପ୍ରଥମ ଥର ପାଇଁ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ରେ ହେବ ଓଡ଼ିଆ କମେଣ୍ଟ୍ରି । ପ୍ରସାରଣ ଦାୟିତ୍ୱ ନେଇଥିବା ସଂସ୍ଥା ପକ୍ଷରୁ ଏଭଳି ବ୍ୟବସ୍ଥା କରାଯାଇଛି । ମୋବାଇଲ ଆପ୍ରେ ଓଡ଼ିଆ କ୍ରିକେଟପ୍ରେମୀ ଏହାର ମଜା ନେଇ ପାରିବେ । ମ୍ୟାଚ୍ ଆରମ୍ଭ ପୂର୍ବରୁ କ୍ରିକେଟ ବିଶାରଦମାନଙ୍କୁ ନେଇ ଏକ କାର୍ଯ୍ୟକ୍ରମ ହେବ । ଯାହାକୁ ପରିଚାଳନା କରିବେ କଟକର ଝିଅ ଲୋରିଆ ମହାନ୍ତି ।
ଚଳିତବର୍ଷ ପ୍ରଥମଥର ପାଇଁ ଓଡ଼ିଆରେ ପ୍ରସାରିତ ହେବ ଆଇପିଏଲ୍। ପ୍ୟାନେଲ୍ରେ ବି ରହିବେ ଓଡ଼ିଆ ଅତିଥି। ମ୍ୟାଚ୍ ପୂର୍ବରୁ ଓଡ଼ିଆ ଡିବେଟ୍ ପ୍ୟାନେଲ ‘ମ୍ୟାଚ୍ ସେଣ୍ଟର୍ ଲାଇଭ୍ ଅଧଘଣ୍ଟାଏର କାର୍ଯ୍ୟକ୍ରମ ରହିବ। ମ୍ୟାଚ୍ ପୂର୍ବରୁ ହେବାକୁ ଥିବା ଅଧଘଣ୍ଟା ଓଡ଼ିଆ ଡିବେଟ୍ ପ୍ୟାନେଲ୍ ‘ମ୍ୟାଚ୍ ସେଣ୍ଟର ଲାଇଭ୍ ଆଲୋଚନାରେ ଦେବାଶିଷ ମହାନ୍ତି, ବସନ୍ତ ମହାନ୍ତି, ବିପ୍ଳବ ସାମନ୍ତରାୟଙ୍କ ଭଳି ଅତିଥିମାନେ ଯୋଗଦେବେ। ଚଳିତବର୍ଷ ପ୍ୟାନେଲ ଆଲୋଚନା, ମ୍ୟାଚ୍ କମେଣ୍ଟ୍ରି, ଗ୍ରାଫିକ୍ସ ମଧ୍ୟ ଓଡ଼ିଆରେ ପ୍ରସାରିତ ହେବ। ଏହାସହ ଇନିଂସ୍ ଆରମ୍ଭ, ମଝି ଓ ଶେଷ ସମୟରେ ଓଡ଼ିଆ ଭାଷାରେ ଆଇପିଏଲ୍ର ମଜା ନେବେ ଦର୍ଶକ।

ବିଡ଼ାନାସୀ ଅଞ୍ଚଳର ଲୋରିଆ ସୋମବାର ମୁମ୍ୱାଇ ଅଭିମୁଖେ ଯାତ୍ରା କରିବେ । ଟେଲିଭିଜନ ଦୁନିଆରେ ଲୋରିଆ ଜଣେ ପରିଚିତ ଚେହେରା । ଘୋଷକ ଭାବେ ୧୦ବର୍ଷରୁ ଅଧିକ ଦିନର ଅଭିଜ୍ଞତା ରହିଛି । ପିତା ଗୋପୀନାଥ ମହାନ୍ତି ଓ ମା’ ମୀରାରାଣୀ ମହାନ୍ତିଙ୍କ ଝିଅ ଲୋରିଆଙ୍କୁ ଆଇପିଏଲରେ କାର୍ଯ୍ୟକ୍ରମ ସଂଯୋଜନା କରିବା ନିମନ୍ତେ ଚୟନ କରାଯାଇଛି । ମନୋରଞ୍ଜନ ଦୁନିଆରେ ଦୀର୍ଘବର୍ଷ ହେବ ସେ ମଞ୍ଚ ପରିଚାଳନା କରୁଛନ୍ତି। ‘କ୍ରିକେଟ ମହାକୁମ୍ଭରେ ବିଶେଷଜ୍ଞମାନଙ୍କୁ ନେଇ କାର୍ଯ୍ୟକ୍ରମ ପରିଚାଳନା କରିବା ନିଶ୍ଚିତ ଭାବେ ଚ୍ୟାଲେଞ୍ଜିଂ ରହିବ ବୋଲି ସେ କହିଛନ୍ତି ।
ସୂଚନା ଯେ, ଚଳିତବର୍ଷ ଆଇପିଏଲ୍ ସିଜିନ୍-୧୬ ମାର୍ଚ୍ଚ ୩୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଜିଓ ସିନେମା ଆପ୍ରେ ଆଇପିଏଲ୍ ସିଜିନ୍-୧୬କୁ ଦର୍ଶକମାନେ ଦେଖିପାରିବେ। ଜିଓ ସିନେମା ଆପ୍ରେ ୧୨ଟି ଭାଷାରେ ଏଥର ଆଇପିଏଲ୍ ପ୍ରସାରିତ ହେବାକୁ ରହିଛି।
