ଖାଦ୍ୟ ପାଲଟିଲା ବିଷ! ହଷ୍ଟେଲ ଖାଦ୍ୟ ଖାଇ ୫ ଛାତ୍ରଛାତ୍ରୀ ମେଡ଼ିକାଲରେ ଭର୍ତ୍ତି
ନୀଳଗିରି : ଖାଦ୍ୟ ପାଲଟିଲା ବିଷ । ହଷ୍ଟେଲ ଖାଦ୍ୟ ଖାଇ ୫ରୁ ଅଧିକ ଛାତ୍ରୀଛାତ୍ରୀ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ତେବେ ସମସ୍ତଙ୍କୁ ଚିକିତ୍ସା ପାଇଁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଘରୋଇ ହଷ୍ଟେଲ ଖାଦ୍ୟ ଖାଇବା ପରେ ଅଧିକାଂଶ ଛାତ୍ରୀଙ୍କର ପେଟ କାଟିବା ଓ ପରେ ବାନ୍ତି ହୋଇଥିବା ଜଣାପଡ଼ିଥିଲା । ତେବେ ସମସ୍ତ ଛାତ୍ରୀଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବା ଓ ଘରୋଇ ହଷ୍ଟେଲରେ ଖାଦ୍ୟ ତଦାରଖ ହେଉ ନଥିବା ନେଇ ସାଧାରଣରେ ପ୍ରଶ୍ନ ଉଠିଛି ।
ସୂଚନା ଯେ, ନୀଳଗିରି ସ୍ଥିତ ସାଇ ଗଣେଶ ହଷ୍ଟେଲରେ ୫୦ରୁ ଅଧିକ ଛାତ୍ରୀଛାତ୍ର ମେସରେ ରହି ଶିକ୍ଷା ଲାଭ କରିଥିବା ବେଳେ ଗୁରୁବାର ରାତିରେ ଭାତ ସୋୟାବିନ ବଡ଼ି ତରକାରୀ, ସାଲେଡ୍ ଖାଇଥିବା ବେଳେ ୫ରୁ ଅଧିକ ଛାତ୍ରୀଛାତ୍ର ଖାଦ୍ୟ ଖାଇ ଶୋଇବା ପରେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ । ଫଳରେ ସମସ୍ତଙ୍କୁ ନୀଳଗିରି ମେଡ଼ିକାଲରେ ଶୁକ୍ରବାର ପୂର୍ବାହ୍ନରେ ଭର୍ତ୍ତି କରାଯାଇଥିଲା । ଅନ୍ୟପଟେ ହଷ୍ଟେଲ ପକ୍ଷରୁ ଗତ ରାତିରେ ରୋଷେଇ ହୋଇଥିବା ସୋୟାବିନ ବଡ଼ି କିଣା ଯାଇଥିବା ଜନୈକ ଗ୍ରୋସରୀ ଦୋକାନୀ ବହୁ ଦିନ ପୂର୍ବରୁ ଅବଧି ଶେଷ ହୋଇଥିବା ତଥା ସୋୟାବିନ ବଡ଼ି ପ୍ୟାକେଟ ଚିରି ଏକ୍ସପାୟାରି ଗତ ୫.୧୨.୧୩ରୁ ସରିଯାଇଥିବା ଦେଖିବାକୁ ମିଳିଛି । କେଉଁ ପରିସ୍ଥିତିରେ ଓ କାହିଁକି ହଷ୍ଟେଲ ପରିଚାଳକ ଓ ଜୈନିକ ଦୋକାନୀ ଅବଧି ଶେଷ ହୋଇଥିବା ସାମଗ୍ରୀ କିଣା ଓ ବିକ୍ରି କରାଯାଇଥିଲା । ଆଜିର ଘଟଣା ପରେ ସାଧାରଣରେ ଚର୍ଚ୍ଚା ହେଉଛିକି ସହର ଠାରୁ ଆରମ୍ଭ କରି ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ଛତୁ ଫୁଠିଲା ପରି ଛାତ୍ରୀଛାତ୍ରଙ୍କୁ ନେଇ ଘରୋଇ ମେସ ଗଢ଼ି ଉଠିଥିବା ବେଳେ ରୋଜଗାର ନିଶାରେ ପିଲାଙ୍କ ଜୀବନ ସହ ଖେଳ ଖେଳିବାକୁ ପଛଉ ନାହାନ୍ତି । ପ୍ରଶାସନ ମଧ୍ୟ ଘରୋଇ ହଷ୍ଟେଲରେ ପଢୁଥିବା ଛାତ୍ରୀଛାତ୍ରଙ୍କ ଖାଦ୍ୟ, ପରିବେଶ ତଦାରଖ କରୁନାହାନ୍ତି । ଘରୋଇ ଶିକ୍ଷାନୁଷ୍ଠାନ ପ୍ରଶାସନ ଆଖିରେ ଆଙ୍ଗୁଠି ଗେଞ୍ଜି ନିମ୍ନ ମାନର ଖାଦ୍ୟ ଦେଇ ହଜାର ହଜାର ଟଙ୍କା ହଡ଼ପ କରୁଛନ୍ତି । କ’ଣ ଖାଉଛନ୍ତି, ଖାଦ୍ୟର ମାନ କ’ଣ, ଏହାର ହିସାବ ଅଛିକି ପ୍ରଶାସନ ପାଖରେ? ଏ ନେଇ ଏକ ଟିମ୍ ଗଠନ କରାଯାଇ ସମସ୍ତ ଘରେଇ ଶିକ୍ଷାନୁଷ୍ଠାନରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ତଦନ୍ତ ହେଲେ ଆସନ୍ତା ଦିନରେ ଏଭଳି ଘଟଣା ଘଟିବ ନାହିଁ ବୋଲି ସାଧାରଣରେ ଦାବୀ ହୋଇଛି । ସମ୍ପୃକ୍ତ ଛାତ୍ରୀଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବା ନେଇ ପ୍ରଶାସନର ନିରବତା ଉପରେ ଚର୍ଚ୍ଚା ଚାଲିଛି । ଘରୋଇ ହଷ୍ଟେଲର ପରିଚାଳକ ଅତ୍ୟଧିକ ଗରମ, ଗୁଳୁଗୁଳି ପାଇଁ ଏମିତି ହୋଇଛି ବୋଲି କହିଛନ୍ତି ।
୧- ସଜନାଗଡ଼- ଶୁକ୍ରବାର- ମେଡ଼ିକାଲରେ ଅସୁସ୍ଥ ଛାତ୍ରୀଛାତ୍ର
