ତେଜିଲା ବିରଳା ଟାୟାର୍ସ ଶ୍ରମିକ ଅଶାନ୍ତି, ଦାବି ସମ୍ବଳିତ ସ୍ମାରକପତ୍ର ପ୍ରଦାନ
ବାଲେଶ୍ୱର : ବାଲେଶ୍ୱର ଜିଲା ରେମୁଣା ବାମପଦା ସ୍ଥିତ ଉତ୍ତର ଓଡ଼ିଶାର ବୃହତ ଶିଳ୍ପାନୁଷ୍ଠାନ ବିରଳା ଟାୟାର୍ସରେ ଦୀର୍ଘଦିନ ଧରି ଲାଗି ରହିଥିବା ଅଚଳାବସ୍ଥାକୁ ନେଇ ଶ୍ରମିକମାନଙ୍କ ଧୈର୍ଯ୍ୟର ସୀମା ଲଙ୍ଘିବାରେ ଲାଗିଛି । ଶିଳ୍ପାନୁଷ୍ଠାନର ପଞ୍ଜୀକୃତ ଶ୍ରମିକ ସଙ୍ଗଠନମାନେ ଏକତ୍ରିିତ ହୋଇ ଶ୍ରମିକଙ୍କ ସ୍ୱାର୍ଥରକ୍ଷା ପାଇଁ ଜାତୀୟ ଶ୍ରମ ଅଦାଲତ ପରିଷଦ (ନ୍ୟାସନାଲ କାଉନସିଲ ଅଫ ଲେବର ଟ୍ରିବ୍ୟୁନାଲ)ରେ ଫେରାଦ ଦେବାକୁ ଚେତାବନୀ ଦେଇଛନ୍ତି । ଏନେଇ ବିରଳା ଟାୟାର୍ସର ଏକାଧିକ ଶ୍ରମିକ ସଙ୍ଗଠନର କର୍ମକର୍ତ୍ତା ଓ ପ୍ରତିନିଧିମାନେ ଜିଲାପାଳଙ୍କୁ ସାକ୍ଷାତ ସହ ଶିଳ୍ପାନୁଷ୍ଠାନ ଶ୍ରମିକଙ୍କ ଦୟନୀୟ ସ୍ଥିତି ସମ୍ପର୍କରେ ଅବଗତ କରିଥିଳେ ।
ବିଶେଷ କରି ବିରଳା ଟାୟାର୍ସର ଉତ୍ପାଦନ ଅଢ଼େଇବର୍ଷ ଧରି ବନ୍ଦ ରହିଥିବା ବେଳେ ପୂର୍ବରୁ କାର୍ଯ୍ୟ କରି ମଧ୍ୟ ସେମାନଙ୍କୁ ୧୩ ମାସର ବକେୟା ଦରମା ମିଳିନାହିଁ । କେବଳ ଦରମା ନୁହେଁ ୨୦୧୯-୨୦ ମସିହାଠାରୁ ବୋନସ, ପିଏଫ, ଇଏସ୍ଆଇ ଅର୍ଥ ସମେତ ଅବସର ନେଇଥିବା ଶ୍ରମିକଙ୍କ ଗ୍ରାଚୁଇଟି ଅର୍ଥ ବି ମିଳିନାହିଁ । ସବୁଠାରୁ ବଡ଼କଥା ହେଲା ବିରଳା ଟାୟାର୍ସ କାର୍ଯ୍ୟକ୍ଷମ ପାଇଁ ଶ୍ରମିକ ସଂଗଠନଙ୍କ ପକ୍ଷରୁ ବାରମ୍ବାର ଜିଲା ପ୍ରଶାସନ, ରାଜ୍ୟ ଶ୍ରମ ମନ୍ତ୍ରାଳୟ, ଶ୍ରମ ଆୟୁକ୍ତଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଏମିତିକି ଗତ ୨୦୨୧ ମାର୍ଚ୍ଚ ମାସରେ ଶ୍ରମ ଆୟୁକ୍ତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଶ୍ରମିକ ସଂଗଠନ ଓ ଶିଳ୍ପାନୁଷ୍ଠାନ ପରିଚାଳନା କର୍ତ୍ତୃପକ୍ଷଙ୍କ ଆଲୋଚନା ବୈଠକରେ କିଛି ନିର୍ଯ୍ୟାସ ବାହାରିଲା ନାହିଁ । ପରିଚାଳନା କର୍ତ୍ତୃପକ୍ଷ ପ୍ରତିନିଧିଙ୍କ ନକାରାତ୍ମକ ଆଚରଣ ଏହାର ମୂଳ କାରଣ ଥିଲା ବୋଲି ଶ୍ରମିକ ସଂଗଠନ କର୍ମକର୍ତ୍ତାମାନେ ଆରୋପ କରିଛନ୍ତି । ତେବେ ଏବେ ଶ୍ରମିକଙ୍କ ଧୈର୍ଯ୍ୟର ସୀମା ଟପିଥିବା ବେଳେ ସେମାନଙ୍କ ବକେୟା ପ୍ରାପ୍ୟ ପ୍ରଦାନରେ କର୍ତ୍ତୃପକ୍ଷ ଉଚିତ୍ ପଦକ୍ଷେପ ଗ୍ରହଣ ନ କଲେ ଆଗାମୀ ଦିନରେ ଜାତୀୟ ଶ୍ରମ ପରିଷଦ ନିକଟରେ ମାମଲା ରୁଜୁ କରାଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି । ଏହି ଅବସରରେ ଶ୍ରମିକ ସଂଗଠନଙ୍କ ପକ୍ଷରୁ ଦାବି ସମ୍ବଳିତ ଏକ ସ୍ମାରକପତ୍ର ଅତିରିକ୍ତ ଜିଲାପାଳ ନୀଲୁ ମହାପାତ୍ରଙ୍କୁ ପ୍ରଦାନ କରାଯାଇଥିଲା । ସ୍ମାରକପତ୍ର ପ୍ରଦାନ ବେଳେ ଶ୍ରମିକ ନେତା ଅରୁଣ କୁମାର ସ୍ୱାଇଁ, ସତ୍ୟନାରାୟଣ ଆଚାର୍ଯ୍ୟ, ଉପେନ୍ଦ୍ର ପ୍ରସାଦ ବେହେରା, ଶିବପ୍ରସାଦ ଦାଶ ପ୍ରମୁଖଙ୍କ ସମେତ ଉପସ୍ଥିତ ଥିଲେ ।
