ଟେନେସିରେ ବନ୍ୟା, ୨୨ ମୃତ, ବହୁ ନିଖୋଜ
ଟେନେସି : ଆମେରିକାର ମିଡିଲ ଟେନେସିରେ ଲଗାଣ ବର୍ଷା ଯୋଗୁଁ ଭୟଙ୍କର ବନ୍ୟା ପରିସ୍ଥିତି ଉପୁଜିଛି । ଗତ ଶନିବାର ଭୀଷଣ ବର୍ଷା ହେବାରୁ ଗ୍ରାମୀଣ ଅଞ୍ଚଳରେ ରାସ୍ତା ସବୁ ଭାସି ଯିବା ସହ ଫୋନ ଟାୱାର ଭାଙ୍ଗି ଯାଇଛି । ଫଳରେ ଟେଲିଫୋନ ସେବା ଠପ ହୋଇଯାଇଛି। ସେହିପରି କେତେକାଂଶରେ ଘର ମଧ୍ୟ ଭୁଶୁଡି ପଡିଥିବା ଦେଖିବାକୁ ମିଳିଛି । ଏନେଇ ଉଦ୍ଧାରକାରୀ ଟିମ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏହାରି ମଧ୍ୟରେ ୨୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ନିଖୋଜ ଥିବାର ଜଣାପଡିଛି।
ପାଣିପାଗ ବୈଜ୍ଞାନିକଙ୍କ ଅନୁଯାୟୀ ଗ୍ଲୋବାଲ ୱାର୍ମିଙ୍ଗ ଯୋଗୁଁ ଏହିଭଳି ପରିସ୍ଥିତି ସୃଷ୍ଟି ହୋଇଛି। ପାଣିପାଗ ପରିବର୍ତ୍ତନ ଯୋଗୁଁ ୨୦୧୬ ଅଗଷ୍ଟରେ ମଧ୍ୟ ଲୁଇସିୟାନାର ବେଟନ ରୁଜରେ ୨୬ ଇଞ୍ଚ ବର୍ଷା ହୋଇଥିଲା। ଏଥିରେ ପ୍ରାୟ ୧୩ ଜଣଙ୍କର ମୃତ୍ୟୁ ହୋଇଥିଲା। ପ୍ରାୟ ଦେଢ ଲକ୍ଷରୁ ଅଧିକ ଘର କ୍ଷତିଗ୍ରସ୍ତ ହୋଇଥିଲା। ହମ୍ପରେଜ କାଉଣ୍ଟି ସ୍କୁଲଗୁଡିକରେ ସ୍ୱାସ୍ଥ୍ୟ ଏବଂ ନିରାପତ୍ତା ଯାଞ୍ଚ ସଂଯୋଜକ ଖ୍ରୀଷ୍ଟି ବ୍ରାଉନି କହିଛନ୍ତି ଯେ ଜରୁରୀକାଳୀନ ସେବା କର୍ମୀ ଘର ଘର ଯାଇ ଲୋକଙ୍କୁ ଖୋଜୁଛନ୍ତି। ହମ୍ପରେଜ କାଉଣ୍ଟିର ଶେରିଫ କ୍ରିସ ଡେଭିସ ସେହି ଅଞ୍ଚଳରେ ୨୨ ଜଣଙ୍କର ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି ଯେ ଯେଉଁମାନେ ନିଖୋଜ ଅଛନ୍ତି ସେମାନଙ୍କ ମଧ୍ୟରୁ ଅଧିକାଂଶ ନିକଟସ୍ଥ ଅଞ୍ଚଳରେ ରହୁଥିଲେ ଯେଉଁଠାରେ ପାଣି ଦ୍ରୁତ ଗତିରେ ବଢିଥିଲା। ମୃତକଙ୍କ ମଧ୍ୟରେ ଦୁଇ ଜାଅଁଳା ଶିଶୁ ମଧ୍ୟ ଅଛନ୍ତି।


