କମୁଛି ବନ୍ୟା ବଢୁଛି ଦୁର୍ଦ୍ଦଶା : ଜଳମଗ୍ନ ଚାଷଜମି, ବ୍ୟାପକ ଧାନ ଓ ପନିପରିବା ଚାଷ ନଷ୍ଟ
ବାଲେଶ୍ୱର : ରାଜ୍ୟରେ ଲଗାଣ ବର୍ଷା ଏବଂ ପରେ ବନ୍ୟା ଚାଷୀକୁଳର ମେରୁଦଣ୍ଡ ପ୍ରାୟତଃ ଭାଙ୍ଗି ଦେଇଛି । ମହାମାରୀ କରୋନା ସମୟରେ ଚାଷୀମାନେ ବହୁ କଷ୍ଟେମଷ୍ଟେ ଚାଷ କରିଥିଲେ ହେଁ ତାହା ଏବେ ନଷ୍ଟ ହୋଇଛି । ବିଶେଷ କରି ବାଲେଶ୍ୱର ଜିଲାରେ ଅଧିକ କ୍ଷୟକ୍ଷତି ହୋଇଥିବା ଜଣାପଡିଛି । ବାଲେଶ୍ୱର ଜିଲାର ବାଲିଆପାଳ, ଭୋଗରାଇ, ଜଳେଶ୍ୱର, ବସ୍ତା ଓ ରେମୁଣା ବ୍ଲକ ରେ ବିଶେଷ ଭାବେ କ୍ଷତି ହୋଇଥିବା ଜଣାପଡିଛି । ଲଗାଣ ବର୍ଷା ଓ ବନ୍ୟା ଛାଡି ଯାଇଥିଲେ ହେଁ ଜଳମଗ୍ନ ହଜାର ହଜାର ହେକଟର ଚାଷ ଜମି । ଫଳରେ ବ୍ୟାପକ ଧାନ ଓ ପନିପରିବା ଚାଷ ନଷ୍ଟ ହୋଇଛି । ଏନେଇ ତୁରନ୍ତ କ୍ଷୟକ୍ଷତିର ଆକଳନ କରିବା ପାଇଁ ଚାଷୀମାନେ ଦାବି କରିଛନ୍ତି । ସୋମବାର ପୂର୍ଣ୍ଣିମା ଥିବାରୁ ଜୁଆରିଆ ସମୁଦ୍ର ପାଣି ଟାଣୁନି। ତେଣୁ ଭରା ନଦୀରେ ପାଣି ପ୍ରାୟ ସ୍ଥିର ଅଛି। ଆଉ ଦୁଇରୁ ତିନି ଦିନ ଏମିତି ସ୍ଥିତି ରହିବ। ଯାହା ଦୁର୍ବଳ ନଦୀବନ୍ଧ ଅଞ୍ଚଳ ଏବଂ ତଳିଆ ଅଞ୍ଚଳ ପାଇଁ ବିପଦର କାରଣ ସାଜିଛି । ଏଭଳି ସ୍ଥିତିରେ ପୁଣି ଏକ ଲଘୁଚାପ ବଳୟ ସୃଷ୍ଟି ହୋଇ ଶନିବାର ସନ୍ଧ୍ୟାରୁ ଜିଲାରେ ବର୍ଷା ଲାଗି ରହିଛି । ପାଣିପାଗ ବିଭାଗ ସୂଚନା ଅନୁସାରେ ଆହୁରି ୩ ଦିନ ରାଜ୍ୟରେ ବର୍ଷା ଲାଗି ରହିବ । ଏହି ପରିପ୍ରେକ୍ଷୀରେ ବାଲେଶ୍ୱର ଜିଲାରେ ମଧ୍ୟ ପ୍ରବଳ ବର୍ଷା ନେଇ ଆଶଙ୍କା କରାଯାଇଛି । ଫଳରେ ବନ୍ୟା ବିପନ୍ନ ମାନେ ନାହିଁ ନଥିବା ଅସୁବିଧାରେ ରହିଛନ୍ତି ।
ଅନ୍ୟପକ୍ଷରେ ଉତ୍ତରବାଲେଶ୍ୱରର ଭୋଗରାଇ, ବାଲିଆପାଳ, ଜଳେଶ୍ୱର ଓ ବସ୍ତା ଅଞ୍ଚଳ ତଳି ଅଞ୍ଚଳର ଲକ୍ଷାଧିକ ଲୋକ ଅଦ୍ୟାବଧି ଜଳବନ୍ଦୀ ରହିବା ଯୋଗୁଁ ଜନଜୀବନ ଦୁର୍ବିସହ ହୋଇପଡ଼ିଛି । ବହୁ ଗ୍ରାମର ରାସ୍ତା ଓ ପ୍ରଧାନମନ୍ତ୍ରୀ ସଡ଼କ ବୁଡ଼ିଯାଇ ପାଣିର ସ୍ରୋତ ଛୁଟୁଥିବା ବେଳେ ଗମନାଗମନ ବିଚ୍ଛିନ୍ନ ହୋଇଛି । ଅବିଶ୍ରାନ୍ତ ବର୍ଷାରେ ଉତ୍ତରବାଲେଶ୍ୱର ଜଳାର୍ଣ୍ଣବ ହୋଇଥିବା ବେଳେ ସୁବର୍ଣ୍ଣରେଖା ବନ୍ୟା ଲୋକଙ୍କ ଦୁଃଖକୁ ବଢ଼ାଇ ଦେଇଛି । ବନ୍ୟା ବିପନ୍ନ ଅଞ୍ଚଳର ଲୋକ ଗୋଟିଏ ଗାଁରୁ ଅନ୍ୟ ଗାଁକୁ ଯିବାକୁ କଦଳୀ ଭେଳା, ଡଙ୍ଗା ଏକମାତ୍ର ଭରସା ସାଜିଛି । ଘରେ ପାଣି ପଶିଥିବାରୁ ଚୁଲି ଜଳିବା ଏକପ୍ରକାର ବନ୍ଦ ହୋଇଯାଇଛି । ଚାରଣ ଜମିରେ ପାଣି ଜମି ରହିବା ଦ୍ୱାରା ଗୋବାଦୀ ପଶୁଙ୍କ ଅବସ୍ଥା ଶୋଚନୀୟ ହୋଇପଡ଼ିଛି । ସମସ୍ତ ଗ୍ରାମରାସ୍ତାରେ କେଉଁଠି ଜଙ୍ଘେ ତ ଆଉ କେଉଁଠି ଛାତିଏ ଉଚ୍ଚର ପାଣି ଜମି ରହିଛି । ହଜାର ହଜାର ହେକ୍ଟର ଚାଷଜମିରେ ପାଣିର ଲହରି ଭାଙ୍ଗି ଚାଷ ନଷ୍ଟ ହେବା ଆଶଙ୍କା ରହିଛି । ମାଟି ଘରଗୁଡ଼ିକରେ ବର୍ଷା ଓ ବନ୍ୟା ପାଣି ପଶି ବିପଦ ବଢ଼ାଉ ଥିବାବେଳେ ବନ୍ୟା ବିପନ୍ନ ଲୋକେ ନିରାପଦ ସ୍ଥାନକୁ ଉଠିଯାଇ ଜୀବନ ବଞ୍ଚାଇଛନ୍ତି । ଅପରପକ୍ଷରେ ନଦୀର ଉଭୟ ପାଶ୍ୱର୍ରେ ବ୍ୟାପକ ଅତଡ଼ା ଖସିଯିବାରୁ ତଟବାସୀଙ୍କୁ ଭୟଭୀତ କରିଛି । ସେହିପରି ସୁବର୍ଣ୍ଣରେଖା ନଦୀରେ ବନ୍ୟାଜଳ ପ୍ରବାହରେ ପାଞ୍ଚ ପଞ୍ଚାୟତରେ ତିରିଶ ରୁ ଅଧିକ ଗ୍ରାମ ବାହ୍ୟ ଜଗତରୁ ବିଛିନ୍ନ ହୋଇ ପଡ଼ିଥିବାରୁ ଲୋକଙ୍କୁ ଡଙ୍ଗାର ସହାୟତା ନେବାକୁ ପଡୁଛି। ବହୁ ଲୋକଙ୍କ ର ଯାତାୟତ ର ଆବଶ୍ୟକା ଥିବା ବେଳେ ଛୋଟ ଡଙ୍ଗାରେ ବିପଦ ସଙ୍କୁଳ ଅବସ୍ଥାରେ ବହୁ ଲୋକଙ୍କୁ ପାରି ହେବାକୁ ପଡୁଛି। ତଳିଆ ଅଞ୍ଚଳ ରେ ଲୋକମାନେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ କିଣିବା ପାଇଁ ବାଲିଆପାଳ ଏବଂ ସିମୁଳିଆ ମାର୍କେଟ ଉପରେ ନିର୍ଭର କରୁଥିବାରୁ ସେମାନେ ଡଙ୍ଗା ଉପରେ ନିର୍ଭର କରନ୍ତି। ଗାଁ ଭିତରକୁ ଡଙ୍ଗା ଯାଇ ପରୁ ନଥିବାରୁ ଲୋକ ମାନଙ୍କୁ ଆଁଠୁଏ ପାଣିରେ ପଶି ଘରୁ ବାହାରିବାକୁ ପଡ଼ିଛି। ପାଣି ଭିତରେ ପଶି ଅଧା କିମି ଯାଏ ଯିବା ପରେ ପ୍ରଶାସନ ଯୋଗାଇଥିବା ଡଙ୍ଗାରେ ଆଉ ଆଧା ରାସ୍ତା ପାରି ବେବକୁ ପଡୁଛି। ଅସ୍ତି ପଞ୍ଚାୟତର ପାଳ ଚମ୍ପି, ମଧୁପୁର ପଞ୍ଚାୟତର ଚୌଧୁରୀ କୁଦ, ଚାରବସ୍ତକାଳରୁଇ ଗ୍ରାମ, ବିଷ୍ଣୁ ପୁର ପଞ୍ଚାୟତର ର ସମସ୍ତ ଗ୍ରାମ ବାହ୍ୟ ଜଗତ ଠାରୁ ଗୋଟିଏ କିଲୋମିଟର ପରିବ୍ୟାପ୍ତ ପାଣି ଘେର ମଧ୍ୟରେ ରହିଥିବାରୁ ଯାତାୟତ ପାଇଁ ବହୁ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି। ସବୁ ଆଡେ ବନ୍ୟା ଜଳ ମାଡ଼ି ଯାଇଥିବାରୁ ପରିବା ଚାଷ ନଷ୍ଟ ହୋଇଯାଇଛି। ଫଳରେ ପରିବା ଆକାଶ ଛୁଆଁ ଦର ହୋଇଛି। ଚାଷୀଙ୍କ ର କ୍ଷତି ହେବା ସହିତ ସାଧାରଣ ଲୋକଙ୍କ ଉପରେ ପରିବା ଦରର ମାଡ଼ ହେଉଛି। ପ୍ରଶାସନ ତରଫରୁ କୌଣସି ଶୁଖିଲା କିମ୍ବା ରନ୍ଧନ ଖାଦ୍ୟ ଯୋଗାଇ ଦିଆ ଯାଇ ନଥିବା ନେଇ ଅଭିଯୋଗ ହେଉ ଥିବା ବେଳେ ସରପଞ୍ଚ ପିଓ ମନେ ଗାଁ କୁ ଯାଇ ବନ୍ୟା ସ୍ଥିତି ଅନୁଧ୍ୟାନ କରୁଥିବାର ଦେଖିବାକୁ ମିଳିଛି।


