ସିଡିଏ ଓ ସିଏମସିର ନୀତି ନିୟମ ଅନୁଯାୟୀ ଫ୍ଲାଟ ଯୋଗାଣ କରାଯାଇଛି-ବିଇଏସ କ୍ରେତାଙ୍କ ଅଭିଯୋଗ ଭିତ୍ତିହୀନ
କଟକ : ରାଜ୍ୟ ସରକାରଙ୍କ ଘରୋଇ ବିଲଡର୍ସର ନୀତି ସହିତ କଟକ ମହାନଗର ନିଗମ ଓ କଟକ ଉନ୍ନୟନ କର୍ତ୍ତୃପକ୍ଷଙ୍କ ନୀତିନିୟମ ଅନୁଯାୟୀ ଶ୍ରୀଭେଙ୍କେଟେଶ୍ୱର ଇଣ୍ଡଷ୍ଟ୍ରିଆଲ ସପ୍ଲାୟର୍ସ(ବିଇଏସ) ପ୍ରାଇଭେଟ ଲିମିଟେଡର ତା’ର କାର୍ଯ୍ୟ କରିଆସୁଛି । କଟକ ସହରର ମିଶନ ରୋଡରେ ଫ୍ଲାଟ ନିର୍ମାଣ କରି ବିଭିନ୍ନ ବ୍ୟକ୍ତିବିଶେଷଙ୍କୁ ଆବଣ୍ଟନ କରିଥିବା ବେଳେ କେତେକ ଖଳ ପ୍ରକୃତିର ବ୍ୟକ୍ତି କମ୍ପାନୀକୁ ବଦନାମ କରିବା ପାଇଁ ଉଦ୍ୟମ କରୁଥିବା ଆଜି ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ନିର୍ଦ୍ଦେଶକ ସତିଶ ଗୋୟେଙ୍କା ଓ ଅନ୍ୟତମ ପରିଚାଳନା ନିର୍ଦ୍ଦେଶକ ନନ୍ଦକିଶୋର ଟିବ୍ରେୱାଲ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ମିଶନ ରୋଡର ସିଲଭର ଲାଇନିଂ ଆପାର୍ଟମେଂଟ ପାଇଁ ଘର କିଣିଥିବା ଗ୍ରାହକମାନେ ସଂସ୍ଥା ଦ୍ୱାରା ଠକାମୀର ଶିକାର ହେଉଥିବା ଅଭିଯୋଗ କରିଥିଲେ । ଏପରିକି ଉକ୍ତ ସଂସ୍ଥା ବ୍ରୋଚର ମାଧ୍ୟମରେ ଗ୍ରାହକମାନଙ୍କ ନିମନ୍ତେ ଯେଉଁ ସୁବିଧା ସୁଯୋଗ ଯୋଗାଇ ଦେବାକୁ ଘୋଷଣା କରିଥିଲେ ତାହା ଯୋଗାଇ ନଥିବା ଅଭିଯୋଗ କରାଯାଇଥିଲା । ଫଳରେ ସଂସ୍ଥା କର୍ତ୍ତୁପକ୍ଷ ଫ୍ଲାଟ କ୍ରେତାମାନଙ୍କୁ ବିଭିନ୍ନ ଉପାୟରେ ଶୋଷିତ ହେଉଥିବା ନେଇ କ୍ରେତାମାନେ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଥିଲେ । ଅପରପକ୍ଷେ ଏସବୁ ଅଭିଯୋଗ ସମ୍ପୁର୍ଣ୍ଣ ଭିତ୍ତିହୀନ ଓ କପଳୋକଳ୍ପିତ ବୋଲି ଶ୍ରୀ ଭେଙ୍କେଟେଶ୍ୱର ଇଣ୍ଡଷ୍ଟ୍ରିଆଲ ପ୍ରାଇଭେଟ ଲିମିଟେଡ ପକ୍ଷରୁ କୁହାଯାଇଛି । ଆପାର୍ଟମେଂଟରେ ରହୁଥିବା ଲୋକଙ୍କଠାରୁ ଯେଉଁ ଅର୍ଥ ନିଆଯାଇଛି ତାହ ନିୟମ ଅନୁଯାୟୀ ନିଆଯାଇଛି । ପ୍ରକଳ୍ପ ଅଂଚଳକୁ ଲାଗି ରହିଥବା ଖାଲି ଜମିକୁ ବେଆଇନ ଭାବେ ଦଖଲ କରିବା ପାଇଁ ସେମାନେ ଏହି ମିଥ୍ୟା ଅଭିଯୋଗ କରିଛନ୍ତି । ଆଜକୁ ଦୀର୍ଘ ୫ ବର୍ଷ ଧରି ରହୁଥିବା ମାଲିକମାନେ ସେମାନେ ରକ୍ଷଣା ବେକ୍ଷଣ ବାବଦରେ କୌଣସି ଖର୍ଚ୍ଚର୍ ଦେଉନାହାଁନ୍ତି ଏବଂ ଆଉ ଯେଉଁ କେତେଜଣ ଦେଉଛନ୍ତି ତାହା ପୁଣି ନିଜ ଇଚ୍ଛା ଅନୁଯାୟୀ । ବର୍ତ୍ତମାନ ସୁଦ୍ଧା କ୍ରେତାମାନଙ୍କ ଉପରେ ଏକ କୋଟିରୁ ଊର୍ଦ୍ଧ୍ୱ ଅର୍ଥ ବକେୟା ପଡିରହିଛି । ଅର୍ଥ ଦେବାର ତ ଦୂରର କଥା ନିଜର ସ୍ୱାର୍ଥ ପାଇଁ ସେମାନେ ଅଦାଲତର ଦ୍ୱାରସ୍ଥ ହୋଇ ନିରାଶ ହୋଇଛନ୍ତି । ସେହିଭଳି ଫ୍ଲାଟ କିଣିବା ପୂର୍ବରୁ ହୋଇଥିବା ଚୁକ୍ତି ଅନୁଯାୟୀ ଫାୟାରସ ସେଫ୍ଟି, ପାର୍କିଂ, ପ୍ଲାଣ୍ଟେସନ, ପରିମଳ, ଜଳ ଯୋଗାଣ, ବିଦ୍ୟୁତ ଓ ସୁରକ୍ଷା ବ୍ୟବସ୍ଥା କାର୍ଯ୍ୟକୁ ସୁଚାରୁ ରୂପେ କରାଯାଉଛି ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି ।
