ବାଲେଶ୍ୱର ସଦର ଥାନା ପୋଲିସକୁ ବଡ଼ ସଫଳତା : ଯୁବକଙ୍କୁ ନୃଶଂସ ହତ୍ୟା ଘଟଣାରେ ୫ ଗିରଫ, ବ୍ୟବହୃତ ମାରଣାସ୍ତ୍ର ଜବତ
ବାଲେଶ୍ୱର : ବାଲେଶ୍ୱର ସଦର ଥାନା ପୋଲିସକୁ ବଡ଼ ସଫଳତା । ଗତ ରବିବାର କୁରୁଡ଼ା ଛକରେ ଘଟିଥିବା ବୀଭତ୍ସ ହତ୍ୟାକାଣ୍ଡ (ପ୍ରଥମେ ମୁଣ୍ଡକୁ ଗୁଳି ଓ ପରେ ଗଳାକୁ ତେଲେଙ୍ଗା କଟୁରୀରେ ଆକ୍ରମଣ) ଘଟଣାରେ ୫ ଅଭିଯୁକ୍ତ ଗିରଫ ହେବା ସହ ହତ୍ୟାରେ ବ୍ୟବହୃତ ବିଭିନ୍ନ ମାରଣାସ୍ତ୍ର ଜବତ ହୋଇଛି । ଗିରଫ ଅଭିଯୁକ୍ତମାନେ ହେଲେ ସଦର ଥାନା ଅନ୍ତର୍ଗତ ଖାନ୍ନଗର ଗ୍ରାମର ଅଜୟ ନାୟକ (୨୬), ବାଙ୍କତିରା ଗ୍ରାମର ସପନ ଦାସ (୩୧), କୁରୁଡ଼ା ଗ୍ରାମର ଇନ୍ଦୁବାଳା ସେଠୀ (୩୨), ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ତେଲେଙ୍ଗାସାହି ଗ୍ରାମର ଯୁଗଳ କିଶୋର ଭାରତି (୨୭) ଓ ସରୋଜ କୁମାର ଦେ (୩୨) । ସେମାନଙ୍କ ନିକଟରୁ ଦୁଇଟି ତେଲେଙ୍ଗା କଟୁରୀ, ଗୋଟିଏ ଛୁରୀ, ୬ଟି ମୋବାଇଲ, ଗୋଟିଏ ବାଇକ୍ ଜବତ କରିଛି । ବୁଧବାର ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ।
ସଦର ଥାନା ଅନ୍ତର୍ଗତ ଜଗନ୍ନାଥପାଟଣା ଅଞ୍ଚଳର ବିନୋଦ ବିହାରୀ ଦାସ (୩୩) ଗତ ରବିବାର ପୂର୍ବାହ୍ନ ପ୍ରାୟ ୯ଟା ସମୟରେ ଔଷଧ ନେବା ପାଇଁ କୁରୁଡ଼ା ଛକକୁ ଆସୁଥିଲେ । ରାସ୍ତାରେ ଦୁଇ ଦୁର୍ବୁତ୍ତ ତାଙ୍କୁ ପିଛା କରି ବାଇକ୍ରେ ଗୋଡାଉଥିବା ବେଳେ ସେ କୁରୁଡ଼ା ଛକରୁ ଅନ୍ୟ ଏକ ରାସ୍ତା ଦେଇ ପଳାଇଯିବାକୁ ଉଦ୍ୟମ କରିଥିଲେ । ସେହି ରାସ୍ତାରେ ବିନୋଦ ମାତ୍ର ୧୦୦ ମିଟର ଯିବା ପରେ ଦୁର୍ବୁତ୍ତମାନେ ତାଙ୍କୁ ଅତି ନିକଟରୁ ଗୁଳିମାଡ଼ କରିଥିଲେ । ଗୁଳିମାଡ଼ରେ ବିନୋଦ ତଳେ ପଡ଼ିଯିବା ପରେ ସେମାନେ ବିନୋଦର ବେକକୁ ଭୂଜାଲିରେ ହାଣି ପକାଇଥଲେ । ଘଟଣାଟି ସଦର ଥାନାରୁ ମାତ୍ର ୫୦୦ମିଟର ଦୂରରେ ହୋଇଥିବା ବେଳେ ଖବର ପାଇ ପୋଲିସ ତୁରନ୍ତ ସେଠାରେ ପହଞ୍ଚିଥିଲା । ଘଟଣାସ୍ଥଳରୁ ଗୁରୁତର ଆହତ ବିନୋଦଙ୍କୁ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ବିନୋଦଙ୍କ ବାପା ରବୀନ୍ଦ୍ରମୋହନଙ୍କ ଅଭିଯୋଗ ମୂଳେ ସଦର ଥାନା ମାମଲା (ନଂ. ୩୫୪ ।୨୧) ରୁଜୁ କରାଯାଇଥିଲା । ପୋଲିସ ଘଟଣାର ତଦନ୍ତ କରି ହତ୍ୟା ମାମଲାରେ ସାମିଲ୍ ଥିବା ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି । ସୂଚନା ଯେ, ଗତ କିଛିଦିନ ପୂର୍ବରୁ ବାଲେଶ୍ୱର ରେଳ ଷ୍ଟେସନ ନିକଟରେ ଜଣେ ସ୍ଥାନୀୟ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିଲା । ଉକ୍ତ ଘଟଣାରେ ସହଦେବଖୁଣ୍ଟା ପୋଲିସ ବିନୋଦକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ବିନୋଦ ବେଲ୍ରେ ଜେଲ୍ରୁ ଆସିବା ପରେ ବାଙ୍ଗାଲୋର ଯାଇ କାମ କରୁଥିଲା । ହତ୍ୟାର ୩ଦିନ ପୂର୍ବରୁ ବିନୋଦ ଗାଁକୁ ଆସିଥିଲା । ଖବରପାଇ ପୂର୍ବରୁ ଆକ୍ରମଣର ଶୀକାର ହୋଇଥିବା ବ୍ୟକ୍ତି ତାଙ୍କ ଗୋଷ୍ଠୀ ସହିତ ମିଳିତ ଭାବେ ଏହି ଆକ୍ରମଣ କରି ହତ୍ୟା କରିଥିବାର ଜଣାପଡ଼ିଛି ।
