ଏମ୍ସ ଭୁବନେଶ୍ୱରରେ ପ୍ରଥମ ସଫଳ କିଡ୍ନୀ ପ୍ରତିରୋପଣ
ଭୁବନେଶ୍ୱର : ଏମ୍ସ ଭୁବନେଶ୍ୱର ଏହାର ପ୍ରଥମ ଦଶନ୍ଧିର ସଫଳ ଯାତ୍ରାରେ ଆଉ ଏକ ମାଇଲଖୁଂଟ ଯୋଡ଼ିଛି । ଏମ୍ସ ଭୁବନେଶ୍ୱରରେ ସଫଳତାର ସହିତ ବହୁପ୍ରତିକ୍ଷୀତ ପ୍ରଥମ କିଡ୍ନୀ ପ୍ରତି?ରୋପଣ ସମ୍ପନ୍ନ ହୋଇଛି । ଗତମାସ ୩୦ରେ ଏହି ଜାତୀୟ ସ୍ୱାସ୍ଥ୍ୟ ପ୍ରତିଷ୍ଠାନରେ କିଡ୍ନୀ ପ୍ରତିରୋପଣ ସଫଳ ହୋଇଛି । ଅସୁସ୍ଥ ପୁଅଙ୍କୁ ପିତା ନିଜ କିଡ୍ନୀ ଦାନ କରିଥିଲେ । ପ୍ରତିରୋପଣ ପରେ ଉଭୟ ପିତା ପୁତ୍ର ସୁସ୍ଥ ଅଛନ୍ତି । କିଡ୍ନୀ ଦାତାଙ୍କୁ ପ୍ରତିରୋପଣର ତୃତୀୟ ଦିନରେ ହସ୍ପିଟାଲ୍ରୁ ଡିସ୍ଚାର୍ଜ କରାଯାଇଥିଲା । ସେହିପରି କିଡ୍ନୀ ପ୍ରତିରୋପଣ ହୋଇଥିବା ଯୁବକଙ୍କୁ ମଧ୍ୟ ଇତିମଧ୍ୟରେ ଡିସ୍ଚାର୍ଜ କରାଯାଇଛି । ପରେ ଯୁବକଙ୍କ ପରିସ୍ରା ଫଳାଫଳ, ରକ୍ତ ପରୀକ୍ଷା ଫଳ ଏବଂ କ୍ରିଏଟିନାଇନ୍ ସ୍ତର ସାଧାରଣ ରହିଥିବା ଚିକିତ୍ସକମାନେ ପ୍ରକାଶ କରିଛନ୍ତି ।
ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରଫେସର (ଡ) ଆଶୁତୋଷ ବିଶ୍ୱାସ କହିଛନ୍ତି ଯେ ମଧୁମେହ(ଡାଇବେଟିସ୍), ଉଚ୍ଚ ରକ୍ତଚାପ ଏବଂ ଅନ୍ୟାନ୍ୟ କିଡ୍ନୀ ରୋଗର ବୃଦ୍ଧି ସହିତ ସମାଜରେ କ୍ରୋନିକ୍ କିଡନୀ ରୋଗ (ସିକେଡି) ସଂଖ୍ୟା ବୃଦ୍ଧି ପାଉଛି । ଏଣୁ ପୂର୍ବ ଭାରତରେ ବୃକକ୍ ପ୍ରତିରୋପଣ ସେବାର ଆବଶ୍ୟକତା ବୃଦ୍ଧିପାଉଛି । ଘରୋଇ ଡାକ୍ତରଖାନାଗୁଡ଼ିକରେ ପ୍ରତିରୋପଣ ପ୍ରକ୍ରିୟା ବ୍ୟୟବହୁଳ ହୋଇଥାଏ । ମାତ୍ର ଏମ୍ସରେ ଏହି ସେବା ଆରମ୍ଭ ହେବାରୁ ସମାଜର ସମସ୍ତ ବର୍ଗର ଲୋକ ସୁଲଭ ମୂଲ୍ୟରେ ପ୍ରତିରୋପଣ ସେବାର ଲାଭ ନେବା ସହିତ ସୁସ୍ଥ ରହିପାରିବେବୋଲି ଡ. ବିଶ୍ୱାସ ପ୍ରକାଶ କରିଛନ୍ତି । ଏଥିସହିତ ଏମ୍ସ ଭୁବନେଶ୍ୱର ନିକଟ ଭବିଷ୍ୟତରେ ଯକୃତ ଏବଂ ଅସ୍ଥି ମଜ୍ଜା ପ୍ରତିରୋପଣ ଆରମ୍ଭ କରିବା ନେଇ ପ୍ରକ୍ରିୟା ଆରମ୍ଭ କରିଥିବା ଡ. ବିଶ୍ୱାସ ସୂଚନା ଦେଇଛନ୍ତି ।
କିଡ୍ନୀ ପ୍ରତିରୋପଣ କରିଥିବା ଡାକ୍ତରୀ ଦଳରେ ନେଫ୍ରୋଲୋଜି (ବୃକକ୍) ବିଭାଗର ଡ. ସନ୍ଦିପ ପଣ୍ଡା ନେତୃତ୍ୱ ନେଇଥିଲେ । ସେହିପରି ସର୍ଜିକାଲ ଟିମ୍ ର ମୁଖ୍ୟ ୟୁରୋଲୋଜି ବିଭାଗ ମୁଖ୍ୟ ଡ. ପ୍ରଶାନ୍ତ ନାୟକଙ୍କ ନେତୃତ୍ୱରେ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଡ. ମନୋଜ ଦାସ, ଡ. ସ୍ୱର୍ଣ୍ଣେନ୍ଦୁ ମଣ୍ଡଳ, ଡ. ସମ୍ବିତ ତ୍ରିପାଠୀ ପ୍ରମୁଖ ଡାକ୍ତରୀ ଦଳର ଅଂଶ ଥିଲେ । ଏଥିସହିତ ଅନ୍ତଃଅନୁଷ୍ଠାନ ସହଯୋଗ ସ୍ୱରୂପ ପିଜିଆଇଏମ୍ଇଆର ଚଣ୍ଡିଗଡ଼ର ପ୍ରଫେସର ଦୀପେଶ ବେଞ୍ଜାମିନ୍ କେନୱାର ଏମ୍ସରେ ହୋଇଥିବା କିଡନୀ ପ୍ରତିରୋପଣରେ ପରାମର୍ଶ ଦେବା ନିମନ୍ତେ ଉପସ୍ଥିତ ଥିଲେ । ପ୍ରଫେସର ସତ୍ୟଜିତ ମିଶ୍ରଙ୍କ ନେତୃତ୍ୱରେ ଆନାସ୍ଥେସିଆ(ନିଶ୍ଚେତକ) ଦଳରେ ଡ. ଭାସ୍କର ରାଓ ଏବଂ ଡ. ସୌମ୍ୟ ସରକାର ସାମିଲ ଥିଲେ । ପ୍ରତିରୋପଣ ସଂଯୋଜକ ନିରଞ୍ଜନ ପରମାଣିକଙ୍କ ସମେତ ଓଟି ଏବଂ ଟ୍ରାନ୍ସପ୍ଲାଂଟ୍ ଆଇସିୟୁ କର୍ମଚାରୀ ଏହି ପ୍ରତିରୋପଣରେ ସହଯୋଗ କରିଥିଲେ ।
