ପ୍ରଥମ ଦିନିକିଆ : ଦକ୍ଷିଣ ଆଫ୍ରିକା ଠାରୁ ୯ ରନ୍ରେ ହାରିଲା ଭାରତ
ଲକ୍ଷ୍ନୌ : ଲକ୍ଷ୍ନୌର ଭାରତ ରତ୍ନ ଶ୍ରୀ ଅଟଳ ବିହାରୀ ବାଜପେୟୀ ଏକାନା କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଉଥିବା ପ୍ରଥମ ଦିନିକିଆ ମ୍ୟାଚରେ ପରାଜୟରୁ ଅଭିଯାନ ଆରମ୍ଭ କଲା ଭାରତ। ଭାରତକୁ ୯ ରନରେ ପରାସ୍ତ କଲା ଦକ୍ଷିଣ ଆଫ୍ରିକା । ସଞ୍ଜୁ ସାମାସନଙ୍କ ଅପରାଜିତ ୮୬ ଓ ଶ୍ରେୟସ ଆୟରଙ୍କ ବିସ୍ଫୋରକ ୫୦ ରନ ସତ୍ତ୍ୱେ ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଦିନିକିଆ ହାରି ଯାଇଛି ଭାରତ। ବର୍ଷା ଯୋଗୁ ୪୦ ଓଭର ବିଶିଷ୍ଟ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ୨୪୯ ରନ କରିଥିଲା। ଦ୍ବିତୀୟ ପାଳିରେ ଭାରତ ୨୫୦ ରନ୍ର ଲକ୍ଷ୍ୟକୁ ପିଛା କରି ନିର୍ଦ୍ଧାରିତ ଓଭରରେ ୮ ୱିକେଟ ହରାଇ ୨୪୦ ରନ୍ କରି ପରାସ୍ତ ହୋଇଛି । ଭାରତ ପାଇଁ ସଞ୍ଜୁ ସାମସନ ଶେଷ ଯାଏ ଲଢ଼େଇ କରିଥିଲେ ହେଁ ବିଜୟ ମୁଣ୍ଡି ମାରିବାକୁ ସକ୍ଷମ ହୋଇ ନାହାନ୍ତି। ଶେଷ ଓଭରରେ ଦଳକୁ ଜିତିବା ପାଇଁ ୩୦ ରନ ଦରକାର ଥିଲା। ହେଲେ ସାମସନ କେବଳ ୨୦ ରନ ହିଁ କରିବାକୁ ସକ୍ଷମ ହୋଇଥିଲେ। ଦକ୍ଷିଣ ଆଫ୍ରିକା ଏହି ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ୍ର ପ୍ରଥମ ଲଢ଼େଇକୁ ୯ ରନରେ ଜିତି ଏବେ ୧-୦ରେ ଆଗୁଆ ହୋଇଯାଇଛି।
ପ୍ରଥମ ପାଳିରେ ଖେଳକୁ ବର୍ଷା ଯୋଗୁଁ ୪୦ ଓଭରକୁ କମାଯାଇଥିବା ଏହି ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ୪୦ ଓଭରରେ ୪ ଓ୍ବିକେଟ୍ ହରାଇ ୨୪୯ ରନ କରିଥିଲା । ଦଳର ଦୁଇ ଓପନର ଜାନେମନ ମଲାନ ଓ କ୍ବିଣ୍ଟନ ଡି’କକ୍ ଦଳ ପାଇଁ ଏକ ଭଲ ମୂଳଦୁଆ ପକାଇଥିଲେ । ଉଭୟ ପ୍ରଥମ ଓ୍ବିକେଟ୍ ଯୋଡ଼ିରେ ୪୯ ରନ କରିଥିଲେ । ତେବେ ମଲାନ ୨୨ ରନ ଓ ଡିକକ୍ ୪୮ ରନ କରି ଆଉଟ ହେବା ପରେ ଅଧିନାୟକ ବାଭୁମା ଓ ଆଇଡେନ ମାର୍କରାମ ଶସ୍ତାରେ ଆଉଟ ହୋଇ ଦଳ ପାଇଁ ଚାପ ସୃଷ୍ଟି କରିଥିଲେ । କିନ୍ତୁ ଡେଭିଡ୍ ମିଲର ଓ ହେନେରିକ କ୍ଲାସେନ ଲଢୁଆ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ ଓ ଏକ ବଡ଼ ସ୍କୋର ଛିଡ଼ା କରିଥିଲେ । ମିଲର ୬୩ ବଲରୁ ୭୫ ରନ ଓ କ୍ଲାସେନ ୬୫ ବଲରୁ ୭୪ ରନ କରିଥିଲେ । ଭାରତ ପକ୍ଷରୁ ଶାର୍ଦ୍ଦୁଳ ଠାକୁର ୨ଟି ଓ୍ବିକେଟ ନେଇଥିବାବେଳେ ରବି ବିଷ୍ଣୋଇ ଓ କୁଳଦୀର ଯାଦବ ଗୋଟିଏ ଲେଖାଏଁ ଓ୍ବିକେଟ୍ ନେଇଥିଲେ ।
୪୦ ଓଭରରେ ୨୫୦ ରନର ଟାର୍ଗେଟ ପାଇଥିବା ଟିମ ଇଣ୍ଡିଆ ଆରମ୍ଭରୁ ଧିମା ଖେଳିଥିଲା। ଏଥିସହ ନିୟମିତ ୱିକେଟ ମଧ୍ୟ ହରାଇ ଚାଲିଥିଲା। ଓପନର ଶୁବମନ ଗିଲ୍ ଓ ଶିଖର ଧୱନ କେବଳ ୮ ରନର ଭାଗିଦାରୀ କରିଥିଲେ। କାଗିସୋ ରବାଡା ୩ ରନ କରିଥିବା ଗିଲଙ୍କୁ ଆଉଟ କରି ଭାରତକୁ ପ୍ରଥମ ଝଟକା ଦେଇଥିଲେ। ଧୱନ(୪) ମଧ୍ୟ ସମସ୍ତଙ୍କୁ ନିରାଶ କରିଥିଲେ। ଡେବ୍ୟୁଟାଣ୍ଟ ଋତୁରାଜ ଗାଏକ୍ୱାଡ ଓ ଈଶାନ କିଶନ କିଛି ସମୟ ସଂଘର୍ଷ କରିଥିଲେ ମଧ୍ୟ ଆବଶ୍ୟକ ଅନୁଯାୟୀ ରନ ସଂଗ୍ରହ କରିପାରି ନଥିଲେ। ସ୍କୋର ବୋର୍ଡର ଚାପ ବଢ଼ିବାରୁ ଗାଏକ୍ୱାଡ (୪୨ ବଲ ୧୯ ରନ) ବଡ଼ ଶଟ ଖେଳିବା ଲୋଭରେ ତ୍ରାବାଇଜ ଶାମସୀଙ୍କ ବଲରେ ଷ୍ଟମ୍ପିଂ ହୋଇଯାଇଥିଲେ। କେଶବ ମହାରାଜ ୩୭ ବଲରେ ୨୦ ରନ କରିଥିବା ଈଶାନ କିଶନ ଭାରତକୁ ୪ର୍ଥ ଝଟକା ଦେଇଥିଲେ। ୫୧ ରନରେ ୪ ୱିକେଟ ହରାଇ ଅଡ଼ୁଆରେ ପଡ଼ିଥିବା ଭାରତକୁ ଶ୍ରେୟସ ଆୟର ଓ ସଞ୍ଜୁ ସାମାସନ ସମ୍ଭାଳିଥିଲେ। ବିଶେଷ କରି ଶ୍ରେୟସ ଆୟରଙ୍କ ବ୍ୟାଟରୁ ବଡ଼ ଶଟ ଦେଖିବାକୁ ମିଳିଥିଲା। ଉଭୟ ୫ମ ୱିକେଟ ପାଇଁ ଦଳୀୟ ସ୍କୋରକୁ ୫୧ରୁ ନେଇ ୧୧୮ରେ ପହଞ୍ଚାଇ ଦେଇଥିଲେ। ଶ୍ରେୟସ ଆୟର ମଧ୍ୟ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ୩୩ ବଲରେ ୫୦ ରନ ପୂରଣ କରିଥିବା ଆୟର କ୍ରମାଗତ ୩ଟି ବଲ ବିଟ ହୋଇଥିଲେ। ତେବେ ଲୁଙ୍ଗି ଏନଗିଡିଙ୍କ ୪ର୍ଥ ବଲରେ ସେ ଆଉଟ ହୋଇଯାଇଥିଲେ। ଭାରତ ୧୧୮ ରନରେ ୫ମ ୱିକେଟ ହରାଇଥିଲା। ୬ଷ୍ଠ ୱିକେଟ ପାଇଁ ସାମସନଙ୍କ ସହ ମିଶି ଶାର୍ଦ୍ଦୁଲ ଠାକୁର ସ୍ଥିତି ସମ୍ଭାଳିଥିଲେ। ଉଭୟ ବେଶ ସତର୍କତାର ସହ ବ୍ୟାଟିଂ କରି ଦଳୀୟ ସ୍କୋରକୁ ୨୧୧ରେ ପହଞ୍ଚାଇଥିଲେ। ଇତି ମଧ୍ୟରେ ସାମସନ ମଧ୍ୟ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ଦଳକୁ ଜିତିବା ପାଇଁ ୧୬ ବଲରେ ୩୯ ରନ ଦରକାର ଥିବା ବେଳେ ଏନଗିଡି ୩୧ ବଲରେ ୩୩ ରନ କରିଥିବା ଠାକୁରଙ୍କୁ ଆଉଟ କରିଥିଲେ। ଏହାର ପରବର୍ତ୍ତୀ ବଲରେ କୁଲଦୀପ ଯାଦବ ମଧ୍ୟ ତାଙ୍କର ତୃତୀୟ ଶିକାର ବନିଥିଲେ। ସାମସନ ଶେଷ ଯାଏ ଭାରତକୁ ମ୍ୟାଚ୍ ଜିତାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ଏହା ସମ୍ଭବ ହୋଇ ପାରି ନଥିଲା। ଭାରତକୁ ଜିତିବା ପାଇଁ ୧୨ ବଲରେ ୩୮ ରନ ଦରକାର ଥିବା ବେଳେ ୧୯ତମ ଓଭରରେ ପକାଇଥିଲେ ରବାଡା। ସାମସନ ନନଷ୍ଟ୍ରାଇକରେ ଥିବା ବେଳେ ଏହି ଓଭରର ଗୋଟିଏ ହେଲେ ବି ବଲ ସମ୍ମୁଖୀନ ହୋଇ ପାରି ନଥିଲେ। ଆବେଶ ଖାନ ଏହି ଓଭରର ୫ଟି ବଲ ସମ୍ମୁଖୀନ ହୋଇ କେବଳ ୨ ରନ କରିଥିଲେ। ୬ଷ୍ଠ ବଲରେ ରବି ବିଷ୍ଣୋଇ ଆଉଟ ହୋଇଥିଲେ ହେଁ ଏହା ନୋ ବଲ ହୋଇଥିଲା। ଶେଷ ବଲରେ ସେ ଚୌକା ମାରିଥିଲେ। ଭାରତକୁ ଶେଷ ଓଭରରେ ଜିତିବା ପାଇଁ ୩୦ ରନ ଦରକାର ଥିଲା। ଷ୍ଟ୍ରାଇକରେ ସାମସନ ଥିବା ବେଳେ ବୋଲିଂ କରିବାକୁ ଆସିଥିଲେ ଶାମସୀ। ପ୍ରଥମ ବଲ ୱାଇଡ ପଡ଼ିଥିଲା। ପ୍ରଥମ ଦୁଇ ବଲରେ ସାମସନ ଗୋଟିଏ ଛକା ଓ ଗୋଟିଏ ଚୌକା ମାରିଥିଲେ। ତୃତୀୟ ବଲରେ ସେ ପୁଣି ଚୌକା ମାରିଥିଲେ। ଶେଷ ୩ ବଲରେ ଭାରତକୁ ଜିତିବା ପାଇଁ ୧୫ ରନ ଦରକାର ଥିବା ବେଳେ ସମସ୍ତଙ୍କ ଛାତି ଧଡ଼ଧଡ଼ ହେବା ଆରମ୍ଭ ହୋଇଥିଲା। ସାମସନ ମଧ୍ୟ ଚାପକୁ ଠିକ ଅନୁଭବ କରିପାରୁ ଥିଲେ। ୪ର୍ଥ ବଲରେ ସେ ବଲ ବାଉଣ୍ଡରୀ ପାଖକୁ ପଠାଇଥିଲେ ମଧ୍ୟ କୌଣସି ରନ ନେଇ ନଥିଲେ। ୫ମ ବଲ ସେ ଚୌକା ଓ ଶେଷ ବଲରେ ୧ ରନ ନେଇଥିଲେ। ଭାରତ ମଧ୍ୟ ନିର୍ଦ୍ଧାରିତ ୪୦ ଓଭରରେ ୮ ୱିକେଟ ହରାଇ ୨୪୦ ରନ କରିବାକୁ ସକ୍ଷମ ହୋଇଥିଲା। ଭାରତ ପାଇଁ ସାମସନ ଅପରାଜିତ ୬୩ ବଲରେ ୮୩ ରନର ଇନିଂସ ଖେଳିଛନ୍ତି। ଏହି ଇନିଂସରେ ସେ ୯ଟି ଚୌକା ଓ ୩ଟି ଛକା ମାରିଛନ୍ତି। ଦକ୍ଷିଣ ଆଫ୍ରିକା ପକ୍ଷରୁ ରବଡା ୨ ୱିକେଟ, ଲୁଙ୍ଗି ନିଗିଡି ୩ ୱିକେଟ ନେଇଥିବା ବେଳେ ୱେନ ପାର୍ନେଲ, କେଶବ ମହାରାଜ, ତାବ୍ରାଇଜ୍ ଶାମସି ୧-୧ ୱିକେଟ ନେଇ ଦକ୍ଷିଣ ଆଫ୍ରିକାକୁ ବିଜୟ ଦେଇଥିଲେ ।
