ଆଜି ପ୍ରକାଶ ପାଇବ ଯୁକ୍ତ୨ ନାମଲେଖା ପାଇଁ ପ୍ରଥମ ମେଧା ତାଲିକା, ୧୯ରୁ ନାମଲେଖା
ଭୁବନେଶ୍ବର : ଆଜି ୨୦୨୨-୨୩ ଶିକ୍ଷାବର୍ଷରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁକ୍ତ୨ ପ୍ରଥମ ବର୍ଷ ଶ୍ରେଣୀରେ ନାମଲେଖା ଲାଗି ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ଅପରାହ୍ନ ୩ଟାରେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ଏହି ତାଲିକା ପ୍ରକାଶ ପାଇବା ପରେ ଛାତ୍ରଛାତ୍ରୀ କେଉଁ କଲେଜରେ ପଢ଼ିବା ଲାଗି ଯୋଗ୍ୟତା ଅର୍ଜନ କରିଛନ୍ତି ସେସମ୍ପର୍କରେ ଜାଣିପାରିବେ। ଯୋଗ୍ୟ ଛାତ୍ରଛାତ୍ରୀଙ୍କ ନାମଲେଖା ୧୯ରୁ ୨୫ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ।
ସେହିଭଳି ସେପ୍ଟେମ୍ବର ୨ରେ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ବାହାରିବ । ଏହି ପର୍ଯ୍ୟାୟର ନାମଲେଖା ସେପ୍ଟେମ୍ବର ୫ରୁ ୭ ତାରିଖ ଭିତରେ ହେବ । ଏହି ପର୍ଯ୍ୟାୟ ପରେ ବଳକା ସିଟ୍ର ନାମଲେଖା ପାଇଁ ସେପ୍ଟେମ୍ବର ୧୩ ତାରିଖରେ ସ୍ପଟ୍ ମେଧା ତାଲିକା ବାହାରିବ । ସେପ୍ଟେମ୍ବର ୧୩ ଓ ୧୪ରେ ନାମଲେଖା ପାଇଁ ପଞ୍ଜୀକରଣ କରିବା ପରେ ୧୫ ତାରିଖରେ ଫାଇନାଲ୍ ସ୍ପଟ୍ ମେରିଟ୍ ଲିଷ୍ଟ ବାହାରିବ। ଏହାର ନାମଲେଖା ସେପ୍ଟେମ୍ବର ୧୫ ଓ ୧୬ରେ ହେବ। ୧୭ ତାରିଖରେ ନାମଲେଖାର ପୂରା ତଥ୍ୟ ସାମ୍ସରେ ଅପଡେଟ୍ କରାଯିବ।
ଚଳିତବର୍ଷ ୨ ହଜାର ୬୫ କଲେଜର ୫ ଲକ୍ଷ ୭ ହଜାର ୫୦୨ ସିଟ୍ ପାଇଁ ୫ ଲକ୍ଷ ୭ ହଜାର ୯୩୫ ଜଣ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିଲେ। ସେମାନଙ୍କ ମଧ୍ୟରୁ ୪ ଲକ୍ଷ ୭୫ ହଜାର ୯୯୦ ଜଣ ଅନ୍ଲାଇନ୍ରେ ଆବେଦନ କରିଥିବା ବେଳେ ୪ ଲକ୍ଷ ୭୧ ହଜାର ୩୨୪ ଜଣ ଅନ୍ଲାଇନ୍ରେ ଫି’ ଦାଖଲ କରିଛନ୍ତି। ନାମଲେଖା ନେଇ ଆଜି ନିର୍ଦ୍ଦେଶାଳୟ ପକ୍ଷରୁ ସ୍ବତନ୍ତ୍ର ନିର୍ଦ୍ଦେଶାବଳୀ ଜାରି କରାଯାଇଛି।
