ଏକାଦଶ କୃଷିଗଣନା ପାଇଁ ପ୍ରଥମ ଜିଲାସ୍ତରୀୟ ସମନ୍ୱୟ ସମିତି ବୈଠକ
ବାଲେଶ୍ୱର : ଓଡ଼ିଶା ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦ୍ଦେଶାଳୟ ଆନୁକୂଲ୍ୟରେ ହେଉଥିବା ଏକାଦଶ କୃଷି ଗଣନା ପାଇଁ ପ୍ରଥମ ଜିଲାସ୍ତରୀୟ ସମନ୍ୱୟ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବାଲେଶ୍ୱର ଜିଲାପାଳ ତଥା ଜିଲା କୃଷି ଗଣନା ଅଧିକାରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେଙ୍କ ଅଧ୍ୟକ୍ଷତା ଏବଂ ଯୋଜନା ଓ ପରିସଂଖ୍ୟାନ ଉପ-ନିର୍ଦ୍ଦେଶକ ଡ. ସବ୍ୟସାଚୀ ଦତ୍ତଙ୍କ ଆବାହକତ୍ୱରେ ସ୍ଥାନୀୟ ମହାତ୍ମାଗାନ୍ଧୀ ସଭା ଗୃହରେ ଅନୁଷ୍ଠିତ ଏହି ବୈଠକରେ ସଭ୍ୟ ଭାବେ ଅତିରିକ୍ତ ଜିଲାପାଳ (ରାଜସ୍ୱ) ସୁଚାରୁ ବଳ, ମୁଖ୍ୟ ଜିଲା ପ୍ରାଣୀଧନ ଅଧିକାରୀ ଡ. ବନମାଳୀ ସାହୁ, ଉଦ୍ୟାନ କୃଷି ସହକାରୀ ନିର୍ଦ୍ଦେଶକ ତପନ କୁମାର ମହାନ୍ତି, ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଭବାନୀ ଶଙ୍କର ଭୂୟାଁ, ମୁଖ୍ୟ ଜିଲା କୃଷି ଅଧିକାରୀଙ୍କ ପ୍ରତିନିଧି, କୋ-ଅପରେଟିଭ ସୋସାଇଟିର ସହକାରୀ ନିବନ୍ଧକ, ରାଷ୍ଟ୍ରୀୟ ସୂଚନା ବିଜ୍ଞାନ କେନ୍ଦ୍ରର ଜିଲା ସୂଚନା ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ ।
କୃଷିଗଣନା ବା କୃଷି ଭିତ୍ତିକ ଜନଗଣନା ଭାରତ ସରକାରଙ୍କ ଦ୍ୱାରା ୧୯୭୦-୭୧ ବର୍ଷରେ ପ୍ରଥମେ ଆରମ୍ଭ କରାଯାଇ ଅଦ୍ୟାବଧି ୧୦ଟି କୃଷି ଗଣନା ସଫଳତାର ସହ ସମ୍ପାଦିତ ହୋଇଛି । ଚଳିତ କୃଷି ଗଣନା ଯାହାର ପ୍ରାସଙ୍ଗିକ ବର୍ଷ ୨୦୨୧-୨୨ ରହିଛି ଏହି ପର୍ଯ୍ୟାୟର ଏକାଦଶ ଗଣନା ଅଟେ । କୃଷି ଗଣନା ମାଧ୍ୟମରେ ପ୍ରକୃତ ଚାଷ କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ଦିଗର ମୌଳିକ ତଥ୍ୟ ସଂଗ୍ରହ କରାଯାଏ । ପ୍ରକୃତ ଚାଷ କ୍ଷେତ୍ର ଅତି କ୍ଷୁଦ୍ର ସ୍ତରରେ କୃଷିର ବିକାଶ ନିମନ୍ତେ ନିଷ୍ପତ୍ତି ନେବା ପାଇଁ ଚୂଡ଼ାନ୍ତ ଏକକ ଅଟେ । ଚାଷ ଜମିର ସଂଖ୍ୟା, କ୍ଷେତ୍ର ପରିମାଣ, ମାଲିକାନା, ବ୍ୟବହାରିକତା, ଫସଲ ପଦ୍ଧତି, ଜଳସେଚନ, ଭାଗଚାଷ ସମ୍ବନ୍ଧୀୟ ତଥ୍ୟ, ଜମିର ପ୍ରକାରଭେଦ, ସାମାଜିକ ଗୋଷ୍ଠୀ, ଲିଙ୍ଗ ବୈଷମ୍ୟ, ବିଭିନ୍ନ ପ୍ରକାରର ଚାଷୀ ଚାଷ କରୁଥିବା ଜମିର ପରିମାଣ ଆଦିର ତଥ୍ୟ ନିମନ୍ତେ ଏହି ଏକକ ହେଉଛି ମୁଖ୍ୟ ସ୍ରୋତ । ଏହି ତଥ୍ୟ ଅନୁଶୀଳନ କରି କୃଷିର ବିକାଶ ନିମନ୍ତେ ବିଭିନ୍ନ ପ୍ରକାରର ଉନ୍ନତିମୂଳକ ଯୋଜନା, କାର୍ଯ୍ୟକ୍ରମ, ଆଇନ ପ୍ରଣୟନ, ସୁବିଧା ସୁଯୋଗ ପ୍ରଦାନ ଆଦି ସରକାରଙ୍କ ଦ୍ୱାରା ସମ୍ପାଦିତ କରାଯାଇଥାଏ ।
ଚଳିତ ଏକାଦଶ କୃଷି ଗଣନା ଯାହାର ତୃତୀୟ ବା ଅନ୍ତିମ ପର୍ଯ୍ୟାୟ ୨୦୨୪ଜୁନ୍ ପର୍ଯ୍ୟନ୍ତ ରହିଛି । ବାଲେଶ୍ୱର ଜିଲାର ୨୯୭୫ଟି ଗ୍ରାମରେ ଜିଲା ପ୍ଲାନିଂ ଓ ମନିଟରିଂ ୟୁନିଟ୍ର ପରିସଂଖ୍ୟାନ ଶାଖା ତତ୍ତ୍ୱାବଧାନରେ ସହକାରୀ ରାଜସ୍ୱ ନିରୀକ୍ଷକ, ଅମିନ, କୃଷି ଗ୍ରାମ ସେବକ ଆଦି କର୍ମଚାରୀ ମାନଙ୍କୁ ନିୟୋଜିତ କରାଯାଇ କୃଷି ଗଣନା କରାଯିବ । ଚଳିତ ଏକାଦଶ କୃଷି ଗଣନାରେ ବୈଷୟିକ ଜ୍ଞାନ କୌଶଳ ଓ ଇଲେକ୍ଟ୍ରୋନିକ ଉପକରଣର ବ୍ୟାପକ ବ୍ୟବହାର କରାଯିବ । ଚଳିତ କୃଷି ଗଣନାରେ ଅପେକ୍ଷାକୃତ ଭାବେ କମ୍ କାର୍ଯ୍ୟଭାରଯୁକ୍ତ କର୍ମଚାରୀଙ୍କୁ ବହୁଳ ଭାବରେ ବ୍ୟବହାର କରିବା ପାଇଁ ଜିଲାପାଳ ଶ୍ରୀ ଶିନ୍ଦେ ପରାମର୍ଶ ଦେଇଥିଲେ ।
