ଅଙ୍ଗନବାଡ଼ିରେ ଅଲଚିକି ଭାଷାରେ ପାଠ ପଢ଼ାଇବା ପାଇଁ ଦାବି
ବାଲେଶ୍ୱର : କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲାର ଆଦିବାସୀ ବହୁଳ ଅଂଚଳରେ ସେଠାକାର ଶିକ୍ଷାବିଭାଗ ପକ୍ଷରୁ ଆଦିବାସୀମାନଙ୍କ ସର୍ବ ପୁରାତନ ଅଲଚିକି ଲିପିରେ ପାଠ ପଢ଼ାଯାଉଥିବା ବେଳେ ବାଲେଶ୍ୱର ଜିଲାରେ କୌଣସି ଅଙ୍ଗନୱାଡ଼ି କେନ୍ଦ୍ରରେ ଅଲଚିକି ଭାଷାରେ ପାଠ ପଢ଼ାଯାଉ ନାହିଁ । ବାଲେଶ୍ୱର ଜିଲାର ନୀଳଗିରି, ବାଲେଶ୍ୱର ସଦର, ରେମୁଣା, ସୋର, ଔପଦା ଓ ଖଇରା ସମେତ ଜଳେଶ୍ୱର ବ୍ଲକରେ ବହୁ ଆଦିବାସୀ ପରିବାର ରହୁଥିବାବେଳେ ସେମାନଙ୍କ ଶିଶୁମାନେ ସାନ୍ତାଳୀ ଭାଷା ଏବଂ ଅଲଚିକି ଲିପିରେ ପାଠ ପଢ଼ିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି । ତେଣୁ ଆଦିବାସୀ ସୋସିଓ ଏଜୁକେସନାଲ ଆଣ୍ଡ କଲଚରାଲ (ଆସେକା) ପକ୍ଷରୁ ଜିଲାପାଳଙ୍କୁ ଏ ମର୍ମରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।
ଅଭିଯୋଗ ଅନୁସାରେ ୨୦୦୩ ମସିହାରୁ ଅଲିଚିକି ଭାଷାକୁ ସାମ୍ବିଧାନିକ ମାନ୍ୟତା ମିଳିଥିବା ବେଳେ ଓଡ଼ିଶାର ମୟୂରଭଂଜ, କେନ୍ଦୁଝର ପ୍ରଭୃତି ଜିଲାରେ ଅଙ୍ଗନବାଡ଼ିରୁ ଶିଶୁମାନଙ୍କୁ ଅଲିଚିକି ଭାଷାରେ ଶିକ୍ଷାଦାନ କରାଯାଉଛି ।ଏନେଇ ଆଦିବାସୀ ଅଧୂଷିତ ଅଞ୍ଚଳ ଅଙ୍ଗନବାଡ଼ିରେ ଲିଚିକି ଭାଷା ଜାଣିଥିବା କର୍ମୀ ଓ ସହାୟିକା ନିଯୁକ୍ତି ଦିଆଯାଉଛି । ମାତ୍ର ବାଲେଶ୍ୱରରେ ଏହାର ଘୋର ବ୍ୟତିକ୍ରମ ହୋଇଥିବା ଆଦିବାସୀ ସାମାଜିକ ଶିକ୍ଷା ଓ ସାସ୍କୃତିକ ସଂଘ କର୍ମକର୍ତ୍ତାମାନେ ଆରୋପ କରିଛନ୍ତି । ବାଲିଆପାଳ ବ୍ଲକର ସାଉଡ଼ି ପଞ୍ଚାୟତ ଅନ୍ତର୍ଗତ ଛୟାଳିଆ ଡିଗିରିପାହି ଅଞ୍ଚଳରେ ୮୦ ପ୍ରତିଶତ ଆଦିବାସୀ ସମ୍ପ୍ରଦାୟ ଲୋକେ ବସବାସ କରୁଛନ୍ତି । ସେଠାରେ ଆଦିବାସୀ ଶିଶୁଙ୍କ ପାଇଁ ସ୍ୱତନ୍ତ୍ର ଅଙ୍ଗନବାଡ଼ି ଖୋଲିବା ସହିତ ଅଲିଚିକି ଭାଷା ଶିଖିଥିବା ମହିଳାଙ୍କୁ କର୍ମୀଭାବେ ନିଯୁକ୍ତି ଦିଆଯାଉ ବୋଲି ସଂଘର କର୍ମକର୍ତ୍ତାମାନେ କହିଛନ୍ତି । କେବଳ ବାଲିଆପାଳ ନୁହେଁ ଜିଲାର ଆଦିବାସୀ ବହୁଳ ଅଞ୍ଚଳରେ ଏହିଭଳି ସ୍ୱତନ୍ତ୍ର ଅଙ୍ଗନବାଡ଼ି ସ୍ଥାପନ ପାଇଁ ସେମାନେ ଦାବି କରିଛନ୍ତି । ସରକାର ତଥା ଜିଲା ପ୍ରଶାସନ ଉଚିତ ପଦକ୍ଷେପ ନେଲେ ସାନ୍ତାଳୀ ଭାଷା ‘ଅଲିଚିକି’ ପ୍ରଚାର ପ୍ରାସାର ସାଙ୍ଗକୁ ସମୃଦ୍ଧି ହୋଇ ପାରିବ ବୋଲି ସଂଘ ପକ୍ଷରୁ ଆଶା ପ୍ରକାଶ କରାଯାଇଛି । ଏହି ଅବସରରେ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ, ରାଜ୍ୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବି ସମ୍ବଳିତ ସ୍ମାରକପତ୍ର ଜିଲାପାଳଙ୍କୁ ପ୍ରଦାନ କରାଯାଇଛି । ଦାବିପତ୍ର ପ୍ରଦାନ ବେଳେ ସଂଘର ସମ୍ପାଦକ ଦିଲୁ ମୁର୍ମୁ, ଉପସଭାପତି ଭୀମଚରଣ ଟୁଡୁ, ସହ-ସମ୍ପାଦକ ବାସୁଦେବ ମୁର୍ମୁ, ରବି ମୁର୍ମୁ, ଦୁର୍ଗା ମାଝୀ, ସୁମିତା ମୁର୍ମୁ, ସୀତା ମୁର୍ମୁ, ମୀନତି ମାଝୀ ପ୍ରମୁଖ ଉପସ୍ଥିତ ଥିଲେ ।
