ଏକାଦଶ କୃଷି ଗଣନା ସର୍ବେକ୍ଷଣ ପାଇଁ ପ୍ରଥମ ଜିଲ୍ଲାସ୍ତରୀୟ ସମନ୍ୱୟ କମିଟି ବୈଠକ
କଟକ : ଏକାଦଶ କୃଷିଗଣନା ସର୍ବେକ୍ଷଣ ନିମନ୍ତେ ପ୍ରଥମ ଜିଲ୍ଲାସ୍ତରୀୟ ସମନ୍ୱୟ କମିଟି ବୈଠକ ଅତିରିକ୍ତ ଜିଲ୍ଲାପାଳ ପୂର୍ଣ୍ଣଚନ୍ଦ୍ର ମିଶ୍ରଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଭାରତ ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଆନୁକୂଲ୍ୟରେ ଅନୁଷ୍ଠିତ ହେବାକୁ ଥିବା କୃଷିଗଣନା କାର୍ଯ୍ୟ ନିମନ୍ତେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । କୃଷିଗଣନା ସର୍ବେକ୍ଷଣ ତିନୋଟି ପର୍ଯ୍ୟାୟରେ କରାଯିବ । ଏହି କାର୍ଯ୍ୟକ୍ରମରେ ଜମିର ମାଲିକାନା ଓ ଜମିର ଆକାର, ବ୍ୟକ୍ତିଗତ କୃଷି, ଯୁଗ୍ମ କୃଷି, ଆନୁଷ୍ଠାନିକ କୃଷି, କୃଷି ଯନ୍ତ୍ରପାତି ଉପଯୋଗ, ଜୈବିକ ଓ ରସାୟନିକ ସାର ଓ ଔଷଧ ଆଦିର ବ୍ୟବହାର ସଂପର୍କରେ ତଥ୍ୟ ସଂଗ୍ରହ କରାଯିବ । ଉଭୟ ସହର ଓ ଗ୍ରାମାଂଚଳରେ କୃଷି ଗଣନା କଟକ ଜିଲ୍ଲାର ୨୦୬୯ଟି ଗ୍ରାମରେ ଶତପ୍ରତିଶତ ସର୍ବେକ୍ଷଣ କରାଯିବ । ଏଥିପାଇଁ ୧୪୩ ଜଣ ଗଣନାକାରୀ ଓ ୪୮ ଜଣ ପର୍ଯ୍ୟବେକ୍ଷକ ନିଯୁକ୍ତ ହୋଇଛନ୍ତି । ରାଜସ୍ୱ ବିଭାଗର ସହଯୋଗରେ ପର୍ଯ୍ୟବେକ୍ଷଣ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯିବ । ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ କୃଷି ଗଣନାର ତଥ୍ୟ ପ୍ରଥମ ଥର ପାଇଁ ଡିଜିଟାଲ ମୋବାଇଲ ଆପ୍ ମାଧ୍ୟମରେ ଉପଲବ୍ଧ ହେବ । ପ୍ରାରମ୍ଭରେ ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ ବିଭାଗର ଉପ ନିର୍ଦ୍ଦେଶକ ବିଶ୍ୱରଂଜନ ଦାଶ ସ୍ୱାଗତ ଭାଷଣ ପ୍ରଦାନ ପୂର୍ବକ କୃଷିଗଣନା ସର୍ବେକ୍ଷଣର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସଂପର୍କରେ ଆଲୋକପାତ କରିଥିଲେ । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଯୋଜନା ଓ ପର୍ଯ୍ୟବେକ୍ଷଣ ସହକାରୀ ନିର୍ଦ୍ଦେଶକ କବିତା ଦାସ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ, ଉଦ୍ୟାନକୃଷି ଉପ ନିର୍ଦ୍ଦେଶକ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀଙ୍କ ପ୍ରତିନିଧିବୃନ୍ଦ ଏବଂ ଜିଲ୍ଲା ସୂଚନା ଓ ପ୍ରଯୁକ୍ତି ଅଧିକାରୀ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।
