ବାଲେଶ୍ୱରରେ ପୁଣି ଫୁଟିଲା ଗୁଳି : ଯୁବକ ଗୁରୁତର, କଟକ ସ୍ଥାନାନ୍ତରିତ
ବାଲେଶ୍ୱର : ବାଲେଶ୍ୱର ଜିଲା ସହଦେବଖୁଣ୍ଟା ଥାନା ଅଧୀନ ଶୋଭାରମପୁରର ଟାଇଲବସାରେ ଜଣେ ଯୁବକଙ୍କୁ ଗୁଳିମାଡ଼ । ଗୁଳିମାଡ଼ର ଶୀକାର ହୋଇଥିବା ଯୁବକ ହେଲେ ବିନୟ କୁମାର ବିହାରୀ । ଗୁରୁତର ଅବସ୍ଥାରେ ବିନୟକୁ ଉଦ୍ଧାର କରାଯାଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ତେବେ ପ୍ରାଥମିକ ଚିକିତ୍ସା ପରେ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ଡାକ୍ତର ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରିଛନ୍ତି ।

ସୂଚନା ଯେ, ସୋମବାର ଅପରାହ୍ନରେ ବିନୟ ଉକ୍ତ ଗ୍ରାମର ଅନ୍ଧାରୀ ମଙ୍ଗଳା ଠାକୁରାଣୀ ଗଳିରେ ଆସୁଥିବା ବେଳେ ତାକୁ ଗୁଳିମାଡ଼ ହୋଇଥିଲା । ଗୁଳି ବିନୟର ଡାହାଣ ହାତରେ ବାଜିଥିଲା । ଆହତ ବିନୟ ସେଠାରେ କିଛି ସମୟ ରହିବା ପରେ ବିଳମ୍ବରେ ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା । ପରେ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଡାକ୍ତର ତାଙ୍କୁ କଟକ ସ୍ଥାନାନ୍ତରିତ କରିଛନ୍ତି । ଗୁଳିମାଡ଼ କରି ଦୁର୍ବୃତ୍ତମାନେ ବାଇକ୍ ଯୋଗେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଖବରପାଇ ସହଦେବଖୁଣ୍ଟା ଥାନା ଅଧିକାରୀ ପ୍ରଜ୍ଞା ମହାନ୍ତି ଜିଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ôଚ ଘଟଣା ଉପରେ ପଚରାଉଚରା କରୁଛନ୍ତି । ତେବେ କିଏ କାହିଁକି ଗୁଳିମାଡ଼ କଲା ସେ ବାବଦରେ ପୋଲିସ ତଦନ୍ତ ଜାରି ରଖିଛି । ପୂର୍ବ ଶତ୍ରୁତା ଓ ଦାଦବଟିରୁ ଏହି ଘଟଣା ଘଟିଥିବାର ଆଶଙ୍କା କରାଯାଉଛି ।
