ମଝି ନଦୀରୁ ଯୁବତୀଙ୍କୁ ଉଦ୍ଧାର କଲେ ଅଗ୍ନିଶମ ବାହିନୀ
ସମ୍ବଲପୁର : ମହାନଦୀର ସମଲେଇ ଘାଟ ନିକଟରେ ଭାସି ଯାଉଥିବା ଜଣେ ଯୁବତୀଙ୍କୁ ମଝି ନଦୀରୁ ଉଦ୍ଧାର କଲେ ଅଗ୍ନିଶମ ବାହିନୀ । ସମଲେଇ ଘାଟକୁ ସ୍ଥାନୀୟ କିଛି ମହିଳା ରବିବାର ଭୋର ସମୟରେ ଗାଧୋଇବା ପାଇଁ ଯାଇଥିବା ବେଳେ ଜଣେ ଯୁବତୀଙ୍କ ଚିତ୍କାର କରି ସହାୟତା ମାଗୁଥିବାର ଶୁଣିବାକୁ ପାଇଥିଲେ। ତେବେ ମହିଳାମାନେ କାହାରିକୁ ଦେଖିବାକୁ ନ ପାଇବାରୁ ତୁରନ୍ତ ଗ୍ରାମବାସୀଙ୍କୁ ଜଣାଇଥିଲେ । ଏନେଇ ସଂଗେ ସଂଗେ ଅଗ୍ନିଶମ ଓ ପୋଲିସ ବିଭାଗକୁ ଖବର ଦିଆଯାଇଥିଲା। ଖବର ପାଇବା ପରେ ଅଗ୍ନିଶମ ବାହିନୀ ତୁରନ୍ତ ସମଲେଇ ଘାଟରେ ପହଞ୍ଚି ଯୁବତୀଙ୍କୁ ମହାନଦୀର ମଝିରେ ଏକ ବୁଦା ଓ ପଥର ସାହାଯ୍ୟରେ ଓହଳି ରହିଥିବାର ଠାବ କରିଥିଲେ। ତେବେ ଠିକ ସମୟରେ ପହଂଚି ଯୁବତୀଙ୍କୁ ଜୀବିତ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ । ଉଦ୍ଧାର ପରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ବିଜୁଳି ବେଗରେ ବ୍ୟାପିବାରୁ ଅଞ୍ଚଳରେ ଅନେକ ଲୋକ ରୁଣ୍ଡ ହୋଇଯାଇଥିଲେ।
ଏ ନେଇ ଅଗ୍ନିଶମ ବିଭାଗ ଅଧିକାରୀ ଜିତେନ୍ଦ୍ର ବିଶ୍ୱାଳ କହିଛନ୍ତି ଯେ, ଯୁବତୀଙ୍କୁ ନଦୀ ମଧ୍ୟରେ ଠାବ ପରେ ତୁରନ୍ତ ଏକ ବୋଟ ଓ ଜୀବନ ରକ୍ଷାକାରୀ ଜ୍ୟାକେଟ ଆଦି ସାରଞ୍ଜାମ ଜରିଆରେ ମହାନଦୀ ମଧ୍ୟକୁ ପ୍ରବେଶ କରି ପ୍ରାୟ ୨ ଘଣ୍ଟାର ପରିଶ୍ରମ ପରେ ଉଦ୍ଧାର କରାଯାଇଛି। ଯୁବତୀଙ୍କ ନାମ ପ୍ରଭାବତୀ ସେଠ (୨୨) ବୋଲି ଜଣାପଡିଛି। ଉଦ୍ଧାର କରାଯିବା ପରେ ତୁରନ୍ତ ଯୁବତୀଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି ଏବଂ ସେ ସୁସ୍ଥ ରହିଥିବାର ଜଣାପଡିଛି। ଅପରପକ୍ଷରେ ଯୁବତୀ ଜଣକ ବରଗଡ ଜିଲା ରେଙ୍ଗାଲି କ୍ୟାମ୍ପ ଅଞ୍ଚଳର ମୂଳ ନିବାସୀ ହୋଇଥିବା ବେଳେ ସେ ଏକ ଘରୋଇ ଶିକ୍ଷାନୁଷ୍ଠାନରେ କୋଚିଂ ନେଉଛନ୍ତି। ରବିବାର ଭୋର ସମୟରେ ସେ ସମଲେଇ ଘାଟ ଉପର ମୁଣ୍ଡରେ ରହିଥିବା ଏକ ଘାଟକୁ ଗାଧୋଇବା ପାଇଁ ଯାଇଥିବା ବେଳେ ଗୋଡ ଖସି ଯିବାରୁ ସେ ମହାନଦୀର ପ୍ରଖର ସ୍ରୋତରେ ଭାସି ଯାଇଥିଲେ। ତେବେ ସୌଭାଗ୍ୟବଶତଃ ମଝି ନଦୀରେ କୌଣସି ପ୍ରକାରରେ ଏକ ବୁଦାକୁ ଧରି ନଦୀ ମଝିରେ ଥିବା ଏକ ପଥରରେ ଲାଖି ରହିଯାଇଥିଲେ।


