ଭଦ୍ରକ ଖଡ଼ଗପୁର ମେମୋ ଟ୍ରେନରେ ଲାଗିଲା ନିଆଁ, ଯାତ୍ରୀ ସୁରକ୍ଷିତ
ବାହାନଗା : ଗୁରୁବାର ସଂଧ୍ୟାରେ ଭଦ୍ରକରୁ ଖଡ଼ଗପୁର ଅଭିମୁଖେ ଯାଉଥିବା ମେମୋ ଟ୍ରେନରେ ବାହାନଗା ଷ୍ଟେସନ ନିକଟରେ ନିଆଁ ଲାଗିଥିବା ଦେଖିବାକୁ ମିଳିଥିଲା । ସୂଚନା ଅନୁସାରେ ଭଦ୍ରକରୁ ଖଡ଼ଗପୁର ଅଭିମୁଖେ ଯାଉଥିବା ୦୮୦୬୪ ମେମୋ ଟ୍ରେନଟି ଭଦ୍ରକରୁ ଛାଡ଼ିବାପରେ ବାରମ୍ବାର ବ୍ରେକ ହୋଇଥିଲା । ଯାତ୍ରୀମାନେ ପର ଷ୍ଟେସନରେ ପଛ ଟ୍ରେନର ପଛ ବଗିରେ ଥିବା ପାଇଲଟକୁ ଘଟଣା ବିଷୟରେ ଜଣାଇଥିଲେ ସୁଦ୍ଧା ପାଇଲଟ ଜଣକ କଥାକୁ ଭ୍ରୁକ୍ଷେପ କରି ନଥିଲେ । ଟ୍ରେନଟି ବାରମ୍ବାର ବ୍ରେକ ହେଉଥିବାରୁ ଯାତ୍ରୀମାନେ ମଧ୍ୟ ଭୟଭୀତ ଅବସ୍ଥାରେ ରହିଥିଲେ । ପରେ ବାହାନଗା ଷ୍ଟେସନରେ ଗାଡ଼ି ଛିଡ଼ାହେବା ପରେ ଟ୍ରେନଟିର ପଛ ବଗିର ବାମପଟରୁ ଧୁଆଁ ବାହାରୁଥିବାର ଦେଖିବାକୁ ମିଳିଥିଲା । ସଙ୍ଗେ ସଙ୍ଗେ ଟ୍ରେନର ଦୁଇ ପାଇଲଟ ଓହ୍ଲେଇ ବାହାନଗା ରେଳ ଷ୍ଟେସନର ଷ୍ଟେସନ ମାଷ୍ଟର ଏବଂ କର୍ମଚାରୀଙ୍କ ସହାୟତାରେ ନିଆଁଲିଭା ଗ୍ୟାସରେ ନିଆଁକୁ ଆୟତ କରାଯାଇଥିଲା । ପରେ ବ୍ରେକଜାମ ଯୋଗୁଁ ଘଟଣା ଘଟିଥିବା ଜାଣି ବ୍ରେକକୁ ରେଳବିଭାଗର ଯନ୍ତ୍ରୀଙ୍କ ସାହାଜ୍ୟରେ ସଜଡ଼ା ଯାଇଥିଲା ।ଏହି ଦୁର୍ଘଟଣାରେ ଯାତ୍ରୀ ମାନଙ୍କର କୌଣଷି କ୍ଷେତି ହୋଇନଥିବା ଜଣାପଡ଼ିଛି ।ସଂଧ୍ୟା ୫.୨୦ରେ ପହଂଚି ଦୀର୍ଘ ୧ଘଂଟା ୪୦ମିନିଟ ରହଣି ପରେ ସଂଧ୍ୟା ୭ଟା ସମୟରେ ଟ୍ରେନଟି ଖଡ଼ଗପୁର ଅଭିମୁଖେ ଯାତ୍ରା କରିଥିଲା ।
