ଅଘୋଷିତ ବିଦ୍ୟୁତ୍ କାଟ ସହ ଜୋରିମାନା ଆଦାୟ : ୧୫ରେ ପ୍ରତୀକାତ୍ମକ ଆନ୍ଦୋଳନ
ବାଲେଶ୍ୱର : ଟାଟା ପାୱାର ୫୧% ଅଂଶୀଦାରର କ୍ଷମତାନୁଯାୟୀ ନେସ୍କୋର ପରିସ୍ଖଳନା ଦାୟିତ୍ୱ ନେବା ଠାରୁ ସମ୍ପୃକ୍ତ ୫ଟି ଜିଲାର ବିଦ୍ୟୁତ୍ ଗ୍ରାହକ, ଜନସାଧାରଣ ଏବଂ କର୍ମଚାରୀମାନଙ୍କୁ ବିଭିନ୍ନ ପ୍ରକାରର ସୁବିଧା ସୁଯୋଗରୁ ବଞ୍ଚିତ କରୁଛି । ନିରବଚ୍ଛିନ୍ନ ଏବଂ ଉପଯୁକ୍ତ ବିଦ୍ୟୁତ୍ ସେବା ଯୋଗାଇ ଦିଆଯାଇ ନାହିଁ । ସନ୍ଧ୍ୟା ସମୟରେ ଅଘୋଷିତ ବିଦ୍ୟୁତ୍ କାଟ କରାଯାଉଛି । ଖରାପ ମିଟର ବଦଳାଇବା ନାଁରେ ଜୁଲମ କରି ଜୋରିମାନା ଆଦାୟ କରାଯାଉଛି । ଉକ୍ତ ଜୋରିମାନା ଅର୍ଥ ଟାଟା ପାୱାରର ନିଜସ୍ୱ ଖାତାକୁ ଯାଉଛି କିମ୍ବା ଗ୍ରୀଡ୍କୋର ଏସକ୍ରୋ ଖାତାକୁ ଯାଇଛି, ତାହା ଏକ ପ୍ରଶ୍ନବାଚୀ । ଏନେଇ ବାଲେଶ୍ୱର ଜିଲା କଂଗ୍ରେସ ଓ ରାଷ୍ଟ୍ରୀୟ ମଜଦୂର କଂଗ୍ରେସ (ଆଇଏନ୍ଟିୟୁସି) ଏବଂ ଓଡ଼ିଶା ପାୱାର ସେକ୍ଟର ଟେକ୍ନିକାଲ କର୍ମଚାରୀ ସଂଘ (ଓପିଏସ୍ଟିଇୟୁ)ର ମିଳିତ ଖବରଦାତା ସମ୍ମିଳନୀ ଆୟୋଜିତ କରାଯାଇଛି ।
ଦୀର୍ଘ ୧୪/୧୫ ବର୍ଷ ଧରି ନେସ୍କୋର କାର୍ଯ୍ୟରତ ଥିବା ଠିକା ଶ୍ରମିକମାନଙ୍କୁ ଟାଟା ପାୱାର ନର୍ଦ୍ଦନ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏନ୍ଓଡିଏଲ୍)ରେ ସ୍ଥାୟୀ ନିଯୁକ୍ତି ସହିତ ବିଦ୍ୟୁତ୍ ଦୁର୍ଘଟଣାରେ ମୃତ୍ୟୁବରଣ କରୁଥିବା କର୍ମମ୍ଭରୀମାନଙ୍କର ଉତ୍ତରାଧିକାରୀମାନଙ୍କୁ ତୁରନ୍ତ ସ୍ଥାୟୀ ନିଯୁକ୍ତି ଦିଆଯାଉ ଏବଂ ସେମାନଙ୍କର ବାକି ସମସ୍ତ କାର୍ଯ୍ୟକାଳର ସମସ୍ତ ମାସିକ ଦରମା, ସେମାନଙ୍କର ଉତ୍ତରାଧିକାରୀଙ୍କୁ ଦିଆଯାଉ । ବୈଷୟିକ ଶିକ୍ଷାପ୍ରାପ୍ତ ଏବଂ ଅନ୍ୟ ସମସ୍ତ ବୈଷୟିକ କର୍ମଚାରୀଙ୍କୁ କୁଶଳୀ (କ) ଶ୍ରେଣୀଭୁକ୍ତ କରାଯାଉ । ବିଦ୍ୟୁତ୍ ଦୁର୍ଘଟଣା ଜନିତ ମୃତ କର୍ମଚାରୀଙ୍କ ପରିବାରକୁ ସ୍ୱତନ୍ତ୍ର ଭାବେ ୫୦ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯାଉ । ବେନିୟମ ଭାବେ ଅଧିଷ୍ଠିତ ନେସ୍କୋ/ଟିପିଏନ୍ଓଡିଏଲ୍ ଟ୍ରଷ୍ଟ ବୋର୍ଡକୁ ତୁରନ୍ତ ଭାଙ୍ଗି ଦିଆଯାଉ । ଓଡ଼ିଶା ସରକାରଙ୍କ ଦ୍ୱାରା ସ୍ଥିରୀକୃତ ସର୍ବନିମ୍ନ ମଜୁରୀ ସମସ୍ତ ବର୍ଗର ସମ୍ପୃକ୍ତ ଠିକା କର୍ମଚାରୀଙ୍କୁ ଦିଆଯାଉ । ଟିପିଏନ୍ଓଡିଏଲ୍ରେ କାର୍ଯ୍ୟରତ ସବୁ ବର୍ଗର କର୍ମଚାରୀମାନଙ୍କୁ ଗୋଷ୍ଠୀ ବୀମା ଅର୍ନ୍ତଭୁକ୍ତ କରାଯାଉ । ଅପ୍ରେଲ ୨୦୨୦ ମସିହା ଠାରୁ ହେବାକୁ ଥିବା ଦରମା ନିର୍ଦ୍ଧାରଣ ତୁରନ୍ତ କରାଯାଉ ବଦ୍ଧିତ ବିଦ୍ୟୁତ୍ ଶୁଳ୍କକୁ ତୁରନ୍ତ ପ୍ରତ୍ୟାହାର କରାଯାଉ । ନିରବଚ୍ଛିନ୍ନ ଭାବେ ୨୪ଘଣ୍ଟା ବିଦ୍ୟୁତ ଏବଂ ସଠିକ୍ ମିଟର ରିଡିଂ ଏବଂ ବିଲ୍ ନିର୍ଦ୍ଦିଷ୍ଟ ସମୟରେ ଯୋଗାଯାଉ ଏବଂ ବିଦ୍ୟୁତ୍ ଦୁର୍ଘଟଣାରୁ ଜନସାଧାରଣ ଏବଂ ସମ୍ପୃକ୍ତ କର୍ମଚାରୀମାନଙ୍କୁ ରକ୍ଷା କରାଯିବା ନିଶ୍ଚିତ କରାଯାଉ । ଓପିଏସ୍ଟିଇୟୁ ଦ୍ୱାରା ବାରମ୍ବାର ଲିଖିତ ଅଭିଯୋଗ ସହିତ ଅନୁରୋଧ କରାଯାଇଥିଲେ ମଧ୍ୟ ତାର ସମାଧାନ । ନିଷ୍ପରି ନିଆ ନ ଯାଇ ଶ୍ରମିକ ଅଶାନ୍ତକୁ ନିମନ୍ତ୍ରଣ କରା ଯାଉ ଏହିଭଳି ଯୁକ୍ତିଯୁକ୍ତ ୨୪ଦଫା ଦାବୀ ନେଇ ବାଲେଶ୍ୱର ଜିଲା କଂଗ୍ରେସ, ବାଲେଶ୍ୱର ଜିଲା ଆଇଏନ୍ଟିୟୁସି ଏବଂ ଓଡ଼ିଶା ପାୱାର ସେକ୍ଟର ବୈଷୟକ କର୍ମଚାରୀ ସଂଘ, ମିଳିତ ଭାବେ ଜାନୁଗଞ୍ଜ ଗୋଲେଇ ସ୍ଥିତ ଟିପିଏନ୍ଓଡିଏଲ୍ ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ଚଳିତ ନଭେମ୍ବର ମାସ ୧୫ତାରିଖ ଦିନ ଏକ ପ୍ରତିକାତ୍ମକ ଆନ୍ଦୋଳନ କରାଯିବ । କାର୍ଯ୍ୟକ୍ରମରେ କଂଗ୍ରେସ ଜିଲା ସଭାପତି ସଞ୍ଜୀବ କୁମାର ଗିରୀ, ଆଇଏନ୍ଟିୟୁସି ଜିଲା ସଭାପତି ସୁରେଶ ଚନ୍ଦ୍ର ବେହେରା, ଓପିଏସ୍ଟିଇୟୁ ରାଜ୍ୟ ସାଧାରଣ ସମ୍ପାଦକ ପ୍ରଭାତ କୁମାର ଦାସ, ଆଇଏନ୍ଟିୟୁସି ଯୁବ ସଭାପତି ବିକାଶ କୁମାର ଦାସ, ଜିଲା ଯୁବ କଂଗ୍ରେସ ସଭାପତି ରଞ୍ଜନ କୁମାର ଦାସ, ଆଇଏନ୍ଟିୟୁସି ମହିଳା ଶାଖା ସଭାପତି ବାସନ୍ତି ସାମଲ ପ୍ରମୁଖ ଉପସ୍ଥିତ ଥିଲେ ।
