ବିଧାନସଭାରେ କାମଚଳା ବଜେଟ୍ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ
ଭୁୁବନେଶ୍ୱର : ରାଜ୍ୟ ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ ବୁଧବାର ଦିନ ବିଧାନସଭାରେ ୨୦୨୨-୨୩ ଆର୍ଥିକ ବର୍ଷର ଏପ୍ରିଲରୁ ଜୁଲାଇ ମାସ ପର୍ଯ୍ୟନ୍ତ ଖର୍ଚ୍ଚ ବାବଦକୁ ୧ ଲକ୍ଷ ୬ ହଜାର ୪୯୮ ଟଙ୍କାର ଲେଖାନୁଦାନ ଉପସ୍ଥାପନ କରିଛନ୍ତି । ଏଥିରେ ପ୍ରାକୃତିକ ବିପର୍ଯ୍ୟୟ ସମ୍ବନ୍ଧୀୟ ଖର୍ଚ୍ଚ ବାବଦକୁ ମୋଟ ବାର୍ଷିକ ବ୍ୟୟ ଅଟକଳର ଶତ ପ୍ରତିଶତ ଏବଂ ଅନ୍ୟାନ୍ୟ ଖର୍ଚ୍ଚ ବାବଦକୁ ବ୍ୟୟ ଅଟକଳର ୫୦% ଅନ୍ତର୍ଭୁକ୍ତ । ଅର୍ଥମନ୍ତ୍ରୀ କହିଛନ୍ତି ଯେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ୨ ଲକ୍ଷ କୋଟି ଟଙ୍କାର ବଜେଟ୍ ରହିଛି । ଏହି ବଜେଟ୍ ଗତ ୨୦୨୧-୨୨ ଆର୍ଥିକ ବର୍ଷର ବଜେଟ୍ ତୁଳନାରେ ୧୭.୬% ଅଧିକ ।
ସେ କହିଛନ୍ତି ଯେ ଫେବୃଆରୀ ଓ ମାର୍ଚ୍ଚ ମାସରେ ପ୍ରଥମେ ପଂଚାୟତ ଏବଂ ପରେ ପୌର ନିର୍ବାଚନ ଏବଂ ଆଦର୍ଶ ଆଚରଣ ବିଧି ଯୋଗୁଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପିତ ହୋଇପାରିନାହିଁ । ତେଣୁ ରାଜ୍ୟ ସରକାର ୨୦୨୨-୨୩ ବର୍ଷର ପ୍ରଥମ ୪ ମାସ ପାଇଁ ଏକ କାମଚଳା ବଜେଟ୍ ଉପସ୍ଥାପନ କରାଯାଇଛି । ଆଜି ଏହି କାମଚଳା ବଜେଟ୍ ପାରିତ ହୋଇଥିବା ବେଳେ ଆସନ୍ତାକାଲି ଏସମ୍ପର୍କିତ ବ୍ୟୟ ମଂଜୁରୀ ବିଲ୍ ବିଧାନସଭାରେ ଉପସ୍ଥାପିତ ହୋଇ ଅନୁମୋଦନ ଲାଭ କରିବ ।
ବଜେଟ୍ ସମ୍ପର୍କରେ ସୂଚନା ଦେଇ ରାଜ୍ୟ ଅର୍ଥମନ୍ତ୍ରୀ କହିଥିଲେ ଯେ ୨୦୨୨-୨୩ ଆର୍ଥିକ ବର୍ଷର ବଜେଟ୍ ଆକଳନ ମଧ୍ୟରୁ ପ୍ରଶାସନିକ ଖର୍ଚ୍ଚ ବାବଦକୁ ୮୯,୬୨୦ କୋଟି ଟଙ୍କା ରହିଥିବା ବେଳେ କାର୍ଯ୍ୟକ୍ରମ ଖର୍ଚ୍ଚ ବାବଦକୁ ୧,୦୦,୦୦୦ କୋଟି ଟଙ୍କା , ବିପର୍ଯ୍ୟୟ ପ୍ରଶମନ ପାଣ୍ଠିରୁ ଖର୍ଚ୍ଚ ୩,୨୧୦ କୋଟି ଟଙ୍କା ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ହସ୍ତାନ୍ତରିତ ହେଉଥିବା ଅର୍ଥରୁ ଖର୍ଚ୍ଚ ବାବଦକୁ ୭,୧୭୦ କୋଟି ଟଙ୍କା ରହିଛି ।
ଏହି ବଜେଟ୍ ରେ କୃଷି ଓ ଆନୁସଙ୍ଗିକ କ୍ଷେତ୍ର ପାଇଁ ବ୍ୟୟ ଅଟକଳ ବୃଦ୍ଧି କର।।ଯାଇ ୨୦,୩୪୪ କୋଟି ଟଙ୍କା ଆକଳନ କରାଯାଇଛି । ସେହିପରି ଶିକ୍ଷା ଓ ଦକ୍ଷତା କ୍ଷେତ୍ର ପାଇଁ ୨୩,୯୪୭ କୋଟି ଟଙ୍କା , ସ୍ୱାସ୍ଥ୍ୟଳ କ୍ଷେତ୍ରରେ ୧୨,୨୪୧ କୋଟି ଟଙ୍କା ର ବ୍ୟୟ ବରାଦ କରାଯାଇଛି । ପାଇପ୍ ଯୋଗେ ପାନୀୟ ଜଳ ପ୍ରକଳ୍ପ ପାଇଁ ୮,୨୫୫ କୋଟି ଟଙ୍କାର ପୁଂଜି ବିନିଯୋଗ ହେବାକୁ ଥିବା ବେଳେ ଅନୁସୂଚିତ ଜନଜାତି ଓ ଜାତି ମାନଙ୍କ ପାଇଁ ଚିହ୍ନଟ ଯୋଜନା ଦ୍ୱାରା କାର୍ଯ୍ୟକ୍ରମ ବ୍ୟୟ ମାଧ୍ୟମରେ ୩୩,୨୦୩ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ଟିକସ ଓ ରାଜ୍ୟ ସାମଗ୍ରିକ ଘରୋଇ ଉତ୍ପାଦର ଅନୁପାତ ୨୦୨୨-୨୩ ରେ ୬.୪ ପ୍ରତିଶତ ହେବା ଅଟକଳ କରାଯାଇଛି । ମୋଟ ରାଜସ୍ୱରେ ନିଜସ୍ୱ ରାଜସ୍ୱ ର ଭାଗ ପ୍ରାୟ ୫୮% ହୋଇପାରିଛି । ରାଜସ୍ୱ ବଳକା, ରାଜ୍ୟ ସାମଗ୍ରିକ ଘରୋଇ ଉତ୍ପାଦର ୨.୭% ହେବ ବୋଲି ଆକଳନ କରାଯାଇଛି । ବିତୀୟ ନିଅଂଟ , ଘରୋଇ ଉତ୍ପାଦର ଧାର୍ଯ୍ୟ ଲକ୍ଷ୍ୟର ୩ % ମଧ୍ୟରେ ସୀମିତ ରହିବ । ପୁଂଜି ବ୍ୟୟ ବାବଦକୁ ୪୦,୦୧୧ କୋଟି ଟଙ୍କା ଅଟକଳ କରାଯାଇଛି । ଏହା ସାମଗ୍ରିକ ରାଜ୍ୟ ଘରୋଇ ଉତ୍ପାଦ (ଜିଏସଡିପି)ର ୫.୬ପ୍ରତିଶତ ଅଟେ ବୋଲି ଅର୍ଥମନ୍ତ୍ରୀ ସୂଚନା ଦେଇଛନ୍ତି ।
