ଜାତୀୟ ମୂଦ୍ରୀକରଣ ପାଇପଲାଇନର ଶୁଭାରମ୍ଭ କଲେ ଅର୍ଥମନ୍ତ୍ରୀ
- ୬ ଲକ୍ଷ କୋଟି ଟଙ୍କାର ଆନୁମାନିକ ସମ୍ପତି ମୂଦ୍ରୀକରଣ ପାଇଁ ଏନଏମପିର ଆକଳନ
ନୂଆଦିଲ୍ଲୀ : କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଆଜି ଜାତୀୟ ପରିସମ୍ପତି ମୂଦ୍ରୀକରଣ ପାଇପ ଲାଇନ (ଏନଏମପିର ଭଲ୍ୟୁମ ୧ ଏବଂ ୨)ର ଶୁଭାରମ୍ଭ କରିଛନ୍ତି । ଏହା ମାଧ୍ୟମରେ ବିଭିନ୍ନ କେନ୍ଦ୍ର ମନ୍ତ୍ରଣାଳୟ ଏବଂ ରାଷ୍ଟ୍ରାୟ କ୍ଷେତ୍ର ଉଦ୍ୟୋଗଗୁଡ଼ିକର ମୂଦ୍ରୀକରଣ କରାଯିବ । ବିଭିନ୍ନ ଭିତିଭୂମି ଲାଇନ ମନ୍ତ୍ରଣାଳୟ ସହିତ ବିଚାରବିମର୍ଶ କରାଯାଇ ନୀତି ଆୟୋଗ ପକ୍ଷରୁ ଏନଏମପି ବିକଶିତ କରାଯାଇଛି । ୨୦୨୧-୨୨ ଆର୍ôଥକ ବର୍ଷର କେନ୍ଦ୍ର ବଜେଟରେ ହୋଇଥିବା ଘୋଷଣା ମୁତାବକ ଏହାକୁ ପ୍ରସ୍ତୁତ କରାଯାଇଛି । ୨୦୨୨ ଆର୍ôଥକ ବର୍ଷ ଠାରୁ ୨୦୨୫ ଆର୍ôଥକ ବର୍ଷ ମଧ୍ୟରେ ଚାରି ବର୍ଷର ଅବଧି ଲାଗି କେନ୍ଦ୍ର ସରକାରଙ୍କ ମୌଳିକ ସମ୍ପତି ଜରିଆରେ ୬ ଲକ୍ଷ କୋଟି ଟଙ୍କାର ସମ୍ଭାବ୍ୟ ମୂଦ୍ରୀକରଣ ଏନଏମପି ଜରିଆରେ କରାଯିବ ବୋଲି ଆକଳନ କରାଯାଇଛି । ନୀତି ଆୟୋଗ ଉପାଧ୍ୟକ୍ଷ, ସିଇଓଙ୍କ ସମେତ ବିଭିନ୍ନ ଭିତ୍ତିଭୂମି ଲାଇନ ମନ୍ତ୍ରଣାଳୟ ଯଥା -ସଡ଼କ, ପରିବହନ ଓ ରାଜପଥ, ରେଳବାଇ, ଶକ୍ତି, ପାଇପଲାଇନ ଓ ପ୍ରାକୃତିକ ବାଷ୍ପ, ବେସାମରିକ ବିମାନ ଚଳାଚଳ, ଜାହାଜ ଚଳାଚଳ ଏବଂ ଜଳପଥ, ଟେଲି ଯୋଗାଯୋଗ, ଖାଦ୍ୟ ଓ ସାଧାରଣ ବଣ୍ଟନ, ଖଣି ଓ କୋଇଲା ଏବଂ ଆବାସ ଓ ସହରାଞ୍ଚଳ ବ୍ୟାପାର ଆଦିର ସଚିବ, ଆର୍ôଥକ ବ୍ୟାପାର, ନିବେଶ ଓ ସାଧାରଣ ସମ୍ପତି ପରିଚାଳନା ମନ୍ତ୍ରଣାଳୟର ସଚିବମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।
କେନ୍ଦ୍ର ଅର୍ଥମନ୍ତ୍ରୀ ପାଇପଲାଇନର ଶୁଭାରମ୍ଭ କରି କହିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟି କାରଣରୁ ପରିସମ୍ପତି ମୂଦ୍ରୀକରଣ କାର୍ଯ୍ୟକ୍ରମ ସାକାର ହୋଇପାରିଛି । ଦେଶର ଜନସାଧାରଣଙ୍କ ପାଇଁ ସବୁବେଳେ ଉଚ୍ଚ ମାନର ଏବଂ ସୁଲଭ ଭିତ୍ତିଭୂମିର ସାର୍ବଜନୀନ ଉପଲବ୍ଧତା ପାଇଁ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି ଆସିଛନ୍ତି । ମୂଦ୍ରୀକରଣ ଜରିଆରେ ସମ୍ପତ୍ତି ସୃଷ୍ଟି ଦର୍ଶନ ଉପରେ ସମ୍ପତି ମୂଦ୍ରୀକରଣ ଆଧାରିତ । ନୂତନ ଭିତ୍ତିଭୂମି ସୃଷ୍ଟି କରିବା କ୍ଷେତ୍ରରେ ଘରୋଇ କ୍ଷେତ୍ରର ନିବେଶ ଆକୃଷ୍ଟ କରିବା ଦିଗରେ ଏହା ସହାୟକ ହୋଇପାରିବ । ନିଯୁକ୍ତି ସୁଯୋଗ ସୃଷ୍ଟି, ଉଚ୍ଚ ଆର୍ôଥକ ଅଭିବୃଦ୍ଧି, ଗ୍ରାମୀଣ ଓ ଉପସହରାଞ୍ଚଳ କ୍ଷେତ୍ରକୁ ବାଧାମୁକ୍ତ ଭାବେ ସାର୍ବଜନୀନ ଜନ କଲ୍ୟାଣ ପାଇଁ ସମନ୍ୱିତ କରିବା ଲାଗି ଏହା ଗୁରୁତ୍ୱପୂର୍ଣ୍ଣ ବୋଲି ଶ୍ରୀମତୀ ସୀତାରମଣ କହିଥିଲେ । ଭିତ୍ତିଭୂମି ବିକାଶକୁ ତ୍ୱରାନ୍ୱିତ କରିବା ଏବଂ ଘରୋଇ କ୍ଷେତ୍ରର ନିବେଶକୁ ପ୍ରୋତ୍ସାହନ ଦେବା ଲାଗି ବର୍ତ୍ତମାନର ସରକାର ଗ୍ରହଣ କରିଥିବା ପଦକ୍ଷେପ ବିଷୟରେ ଶ୍ରୀମତୀ ସୀତାରମଣ ସୂଚନା ଦେଇଥିଲେ ।
ନୀତି ଆୟୋଗ ଉପାଧ୍ୟକ୍ଷ କହିଥିଲେ ଯେ, ଏହି କାର୍ଯ୍ୟକ୍ରମର ରଣନୈତିକ ଲକ୍ଷ୍ୟ ହେଉଛି ସଂସ୍ଥାଗତ ଏବଂ ଦୀର୍ଘସ୍ଥାୟୀ ପୁଞ୍ଜି ଜରିଆରେ ବ୍ରାଉନଫିଲ୍ଡ ରାଷ୍ଟ୍ରାୟତ୍ତ କ୍ଷେତ୍ର ସମ୍ପତ୍ତିରେ ନିବେଶର ମୂଲ୍ୟକୁ ଉନ୍ମୁକ୍ତ କରିବା । ନୀତି ଆୟୋଗ ସିଇଓ କହିଥିଲେ ଯେ ଏନଏମପିର ଲକ୍ଷ୍ୟ ହେଉଛି -ବିଭିନ୍ନ ଭିତ୍ତିଭୂମି କ୍ଷେତ୍ରରେ ସମ୍ଭାବ୍ୟ ମୂଦ୍ରୀକରଣ ପ୍ରସ୍ତୁତ ପ୍ରକଳ୍ପକୁ ଚିହ୍ନଟ କରିବା ଲାଗି ମଧ୍ୟମ ଅବଧିର ରୋଡମ୍ୟାପ ପ୍ରସ୍ତୁତ କରିବା କ୍ଷେତ୍ରରେ ସହାୟତା କରିବ । ଯୋଜନାର ପ୍ରଦର୍ଶନ ଅନୁଧ୍ୟାନ କରିବା ଏବଂ ଭବିଷ୍ୟତର କାର୍ଯ୍ୟକଳାପ ପାଇଁ ନିବେଶକମାନଙ୍କୁ ଯୋଜନା ପ୍ରସ୍ତୁତ କରିବା କ୍ଷେତ୍ରରେ ଏକ ବ୍ୟବସ୍ଥିତ ଏବଂ ପାରଦର୍ଶୀ ବ୍ୟବସ୍ଥା ସୃଷ୍ଟି କରିବାରେ ଏହା ସହାୟକ ହୋଇପାରିବ ବୋଲି ସେ କହିଥିଲେ । ସାମଗ୍ରୀକ ରଣନୀତି ଭାବେ ସମ୍ପତ୍ତିର ଗୁରୁତ୍ୱପୂର୍ଣ୍ଣ ଅଂଶଧନ ସରକାରଙ୍କ ସହିତ ରହିବ । ସରକାର ଆବଶ୍ୟକ ନୀତିଗତ ଏବଂ ନିୟାମକ ହସ୍ତକ୍ଷେପ ଜରିଆରେ ଏହି କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରିବେ । ଯାହାଫଳରେ ସମ୍ପତିର ମୂଦ୍ରୀକରଣ ପ୍ରଭାବୀ ଓ ଦକ୍ଷ ପ୍ରକ୍ରିୟାରେ ହୋଇପାରିବ । ‘ମୂଦ୍ରୀକରଣ ଜରିଆରେ ଭିତ୍ତିଭୂମି ସୃଷ୍ଟି’ ଏହି ଯୋଜନାର ଲକ୍ଷ୍ୟ, ଯେଉଁଥିରେ ଘରୋଇ ଓ ସରକାରୀ କ୍ଷେତ୍ରର ସହଭାଗିତା ରହିଥିବ । ଏହା ଦେଶର ନାଗରିକମାନଙ୍କ ପାଇଁ ସାମାଜିକ ଆର୍ôଥକ ଅଭିବୃଦ୍ଧି ଆଣିବା ସହିତ ସେମାନଙ୍କ ଜୀବନଧାରଣ ଗୁଣବତାରେ ସୁଧାର ଆଣିପାରିବ ।
