ହକି ମହାସମର : ଆଜି କ୍ରସଓଭରରେ ନ୍ୟୁଜିଲାଣ୍ଡକୁ ଭେଟିବ ଭାରତ
ଭୁବନେଶ୍ବର : ଚଳିତ ଏଫ୍ଆଇଏଚ୍ ପୁରୁଷ ହକି ବିଶ୍ୱକପ ଟୁର୍ଣ୍ଣାମେଣ୍ଟରେ ଆଜିଠୁ ଖେଳାଯିବ କ୍ରସଓଭର ମ୍ୟାଚ୍। ରବିବାର ପ୍ରଥମ କ୍ରସ ଓଭର ମ୍ୟାଚ୍ ମାଲେସିଆ ଓ ସ୍ପେନ ମଧ୍ୟରେ ଅପରାହ୍ନ ସାଢେ ୪ଟାରେ ଖେଳାଯିବ। ପରେ ସନ୍ଧ୍ୟା ୭ଟାରେ କଳିଙ୍ଗ ଷ୍ଟାଡିୟମରେ ଆୟୋଜକ ଭାରତକୁ ସାମ୍ନା କରିବ ନ୍ୟୁଜିଲାଣ୍ଡ।
ଗ୍ରୁପ ‘ଡି’ରେ ଦ୍ୱିତୀୟ ସ୍ଥାନ ହାସଲ କରିଥିବା ଭାରତ ଏହି ମ୍ୟାଚ ଜିତିଲେ କ୍ୱାର୍ଟର ଫାଇନାଲ ଖେଳିବ । ନ ହେଲେ ଦଳ ପାଇଁ ବିଶ୍ୱକପ ଅଭିଯାନ ଶେଷ ହେବ । ପୁଲ ଡି ରେ ଭାରତ ଖେଳିଥିବା ୩ଟି ମ୍ୟାଚ୍ ମଧ୍ୟରୁ ୨ଟି ବିଜୟ ଓ ଗୋଟାଏ ଡ୍ର ସହ ୭ ପଏଣ୍ଟ ପାଇ ଟେବୁଲର ୨ୟ ସ୍ଥାନରେ ରହି କ୍ରସ ଓଭର ଖେଳିବାକୁ ଆସିଛି। ସେହିପରି ପୁଲ ସି ରେ ନ୍ୟୁଜିଲାଣ୍ଡ ୩ଟି ମ୍ୟାଚ୍ ମଧ୍ୟରୁ ଗୋଟିଏ ବିଜୟ ଓ ୨ଟି ପରାଜୟ ସହ ୩ ପଏଣ୍ଟ ସହ ଟେବୁଲର ତୃତୀୟ ସ୍ଥାନ ଅଧିକାର କରି ଭାରତ ସହ କ୍ରସ ଓଭର ଖେଳିବ। ୨୦୧୩ ପର ଠାରୁ ଭାରତ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ ମଧ୍ୟରୁ ଭାରତ ୨୪ ଟି ମ୍ୟାଚ୍ ଜିତିଥିବା ବେଳେ ନ୍ୟୁଜିଲ୍ୟାଣ୍ଡ ୧୫ଟି ମ୍ୟାଚ୍ ଜିତିଛି ଓ ୫ଟି ମ୍ୟାଚ୍ ଡ୍ର ରହିଛି। ଭାରତ ନ୍ୟୁଜିଲାଣ୍ଡ ବିପକ୍ଷରେ ଜିତିଲେ ଆସନ୍ତା ୨୪ ରେ କ୍ୱାର୍ଟର ଫାଇନାଲ ମ୍ୟାଚ୍ ୨୦୧୮ର ବିଶ୍ଵ ଚାମ୍ପିଅନ ବେଲଜିୟମ ବିପକ୍ଷରେ ଖେଳିବ।
