୩୫ ଟଙ୍କା ଫେରସ୍ତ ପାଇଁ ଲଢିଲେ ୫ ବର୍ଷ: ଶେଷରେ ମୁଣ୍ଡ ନୁଆଁଇଲେ ରେଳବାଇ କର୍ତ୍ତୃପକ୍ଷ
ନୂଆଦିଲ୍ଲୀ : ରେଳବାଇ ନିକଟରୁ ମାତ୍ର ୩୫ ଟଙ୍କା ଫେରିପାଇବା ପାଇଁ ରାଜସ୍ଥାନର ଜଣେ ବ୍ୟକ୍ତି ୫ ବର୍ଷ ଧରି ମାମଲା ଲଢି ଶେଷରେ ସଫଳ ହୋଇଛନ୍ତି । ତେବେ ଏହି ବ୍ୟକ୍ତିଙ୍କ ଯୋଗୁଁ ଆଉ ୩ ଲକ୍ଷ ରେଳଯାତ୍ରୀ ବକେୟା ଟଙ୍କା ଫେରିପାଇବା ବାଟ ଖୋଲିଛି । ଏ ବାବଦରେ ରେଳବାଇ କର୍ତ୍ତୃପକ୍ଷ ୨.୪୩ କୋଟି ଟଙ୍କା ଖର୍ଚ୍ଚ କରିବେ ବୋଲି ଜଣାପଡିଛି |
ସୁଜିତ ସ୍ୱାମୀ ନାମକ ଏହି ବ୍ୟକ୍ତି ୨୦୧୭ ଏପ୍ରିଲରେ କୋଟାରୁ ନୂଆଦିଲ୍ଲୀ ଯିବାକୁ ‘ଗୋଲଡେନ ଟେମ୍ପୁଲ ମେଲ୍’ ଟ୍ରେନରେ ୭୬୫ ଟଙ୍କା ଦେଇ ଟିକଟ କିଣିଥିଲେ । କୌଣସି କାରଣରୁ ଜୁଲାଇ ୨ରେ ଏହି ଯାତ୍ରା ସମ୍ଭବ ନହେବାରୁ ସେ ଟିକଟ ବାତିଲ କରିଥିଲେ । ତେବେ ରେଳବାଇ କର୍ତ୍ତୃପକ୍ଷ ନିର୍ଦ୍ଧାରିତ ୬୫ ଟଙ୍କା ପରିବର୍ତ୍ତେ ୧୦୦ ଟଙ୍କା କାଟି ଅବଶିଷ୍ଟ ୬୬୫ ଟଙ୍କା ତାଙ୍କୁ ଫେରାଇଥିଲେ ।
ସୂଚନାଯୋଗ୍ୟ ୨୦୧୭ ଜୁଲାଇ ୧ରୁ ଦେଶବ୍ୟାପୀ ଜିଏସ୍ଟି ଲାଗୁ କରାଯାଇଥିଲା । ୩୫ ଟଙ୍କା କାହିଁକି ଅଧିକ କଟାଯାଇଛି ବୋଲି ପ୍ରଶ୍ନ କରିବାରୁ ରେଳବାଇ କର୍ତ୍ତୃପକ୍ଷ ଏହା ଜିଏସ୍ଟି ବୋଲି ସଫେଇ ଦେଇଥିଲେ । ତେବେ ଜିଏସ୍ଟି ଲାଗୁ ହେବାପୂର୍ବରୁ ଟିକଟ ବାତିଲ କରିଥିବାରୁ ଏହାର କୌଣସି ଯଥାର୍ଥତା ନାହିଁ ବୋଲି କାରଣ ଦର୍ଶାଇ ସୁଜିତ ୩୫ ଟଙ୍କା ଫେରିପାଇବାକୁ ମାମଲା ଦାଏର କରିଥିଲେ । ୫ ବର୍ଷ ମାମଲାର ଶୁଣାଣି ପରେ ରେଳବାଇ କର୍ତ୍ତୃପକ୍ଷ ସୁଜିତ୍ଙ୍କୁ ୩୫ ଟଙ୍କା ଫେରାଇବାକୁ ବାଧ୍ୟ ହୋଇଛନ୍ତି । କେବଳ ସୁଜିତ ନୁହଁନ୍ତି, ୨୦୧୭ ଜୁଲାଇ ୧ ପୂର୍ବରୁ ଟିିକଟ କାଟି ବାତିଲ କରିଥିବା ୩ ଲକ୍ଷ ଯାତ୍ରୀ ଏହି ସୁବିଧା ପାଇବେ ବୋଲି ଜଣାପଡିଛି ।
