କଳିଙ୍ଗ ଷ୍ଟାଡିଅମରେ ସରିଲା ପିଫା ବିଶ୍ୱକପ ଅଭିଯାନ, ଅନ୍ତିମ ମ୍ୟାଚ୍ରେ ହାରିଲା ଭାରତ
ଭୁବନେଶ୍ୱର : ଭୁବନେଶ୍ୱର କଳିଙ୍ଗ ଷ୍ଟାଡିଅମରେ ସରିଲା ପିଫା ବିଶ୍ୱକପ ଅଭିଯାନ । ଫିଫା ବିଶ୍ୱକପ ଅଭିଯାନ କଳିଙ୍ଗ ଷ୍ଟାଡ଼ିୟମରେ ଶେଷ ହୋଇଥିବା ବେଳେ ଏବେ ବାକି ଥିବା ମ୍ୟାଚ ଗୋଆ ଓ ନାଭି ମୁମ୍ବାଇରେ ଜାରି ରହିବ। ପ୍ରଥମ ଥର ପାଇଁ ଫିଫା ବିଶ୍ୱକପରେ ଭାରତୀୟ ମହିଳା ଟିମ ଅଂଶଗ୍ରହଣ କରି ବିଜୟର ସ୍ୱାଦ ଚାଖି ନଥିବା ସତ୍ତ୍ବେ ଭାରତୀୟ ମହିଳା ଟିମ କିନ୍ତୁ ଉପସ୍ଥିତ ଦର୍ଶକ୍ତଙ୍କ ମନ ଜିଣିଥିଲେ। ଶେଷ ମ୍ୟାଚ୍ ରେ ଭାରତ ବ୍ରାଜିଲ ଠାରୁ ୫-୦ ଗୋଲ୍ ରେ ହାରିଛି ।
ଭାରତୀୟ ଯୁବା ଦଳ ହ୍ୟାଟ୍ରିକ୍ ପରାଜୟ ବରଣ କରି ଫିଫା ବିଶ୍ବକପ୍ (୧୭ ବର୍ଷରୁ କମ୍) ପଦାର୍ପଣ ଅଭିଯାନକୁ ଅତ୍ୟନ୍ତ ନିରାଶାଜନକ ଭାବେ ଶେଷ କରିଛି। କଳିଙ୍ଗ ଷ୍ଟାଡିୟମ୍ରେ ସୋମବାର ରାତିରେ ଖେଳାଯାଇଥିବା ଗ୍ରୁପ୍ ‘ଏ’ର ଅନ୍ତିମ ଲିଗ୍ ମ୍ୟାଚ୍ରେ ଭାରତକୁ ଫୁଟ୍ବଲ୍ ପ୍ରସିଦ୍ଧ ଦେଶ ବ୍ରାଜିଲ୍ ୫-୦ରେ ହରାଇ ଦେଇଥିଲା। ଏଥି ସହିତ ଭାରତୀୟ ଦଳ ବିନା ବିଜୟ ଓ ବିନା ଗୋଲ୍ରେ ବିଦାୟ ନେଇଛି। ଏକ ଫିଫା ବିଶ୍ବକପ୍ ଆୟୋଜନ ଅଧିକାର ପାଇଥିବା ଭୁବନେଶ୍ବର କିନ୍ତୁ ଇତିହାସ ପୃଷ୍ଠାରେ ନିଜ ଉପସ୍ଥିତ ଜାହିର କରିଛି। ଗ୍ରୁପ୍ ‘ଏ’ର ୬ରୁ ୫ ମ୍ୟାଚ୍ କଳିଙ୍ଗ ଷ୍ଟାଡିୟମ୍ ଖେଳାଯାଇଥିବା ବେଳେ ଦୁଇ ପଦାର୍ପଣକାରୀ ଦେଶ ଭାରତ ଓ ମରକ୍କୋ ଆଗକୁ ବଢ଼ି ପାରିନାହାନ୍ତି। ଏହି ଗ୍ରୁପ୍ରୁ ଆମେରିକା ଓ ବ୍ରାଜିଲ୍ କ୍ବାର୍ଟର ଫାଇନାଲ୍ ଉଠିଛନ୍ତି।
କଳିଙ୍ଗ ଷ୍ଟାଡିୟମ୍ ଆଥ୍ଲେଟିକ୍ ଟ୍ରାକ୍ ବଳୟ ଭିତରେ ଥିବା ମୁଖ୍ୟ ଫୁଟ୍ବଲ୍ ପଡ଼ିଆରେ ଭାରତୀୟ ଦଳ କିଛି କରିସ୍ମା କରିବ ବୋଲି ପ୍ରଶଂସକମାନେ ଆଶା ରଖିଥିଲେ। କମଳା ରଙ୍ଗରେ ଜର୍ସିରେ ପଡ଼ିଆକୁ ଆସିଥିବା ଭାରତର ପ୍ରଦର୍ଶନରେ ବିଶେଷ ଫରକ ଦେଖିବାକୁ ମିଳିନଥିଲା। ଅବଶ୍ୟ କିଛି ସୁଯୋଗ ସୃଷ୍ଟି କରିଥିବା ସତ୍ତ୍ବେ ସୁଟିଂ ଓ ଫିନିସିଂରେ ଦୁର୍ବଳତା କାରଣରୁ ଗୋଲ୍ ପାଇନଥିଲେ। ପ୍ରଥମାର୍ଦ୍ଧ ସୁଦ୍ଧା ଏହି ଦକ୍ଷିଣ ଆମେରିକୀୟ ଦେଶ ୨-୦ରେ ଆଗୁଆ ହୋଇ କ୍ବାର୍ଟର ଫାଇନାଲ୍ରେ ଗୋଟିଏ ପାଦ ରଖି ଦେଇଥିଲା। ୧୧ତମ ମିନିଟ୍ରେ ଗ୍ରାବିଏଲ୍ ବେର୍କନ୍ ଏବଂ ୪୦ତମ ମିନିଟ୍ରେ ଆଲିନ୍ଙ୍କ ଗୋଲ୍ ଦଳକୁ ଦ୍ବିତୀୟାର୍ଦ୍ଧରେ ଭଲ ଖେଳିବାକୁ ପ୍ରେରିତ କରିଥିଲା। ପାର୍ଶ୍ବ ପରିବର୍ତନ ପରେ ବି ବ୍ରାଜିଲ୍କୁ ପ୍ରଥମରୁ ଗୋଲ୍ ମିଳିଯାଇଥିଲା।
୫୧ତମ ମିନିଟ୍ରେ ଆଲିନ୍ ବ୍ୟକ୍ତିଗତ ଦ୍ବିତୀୟ ଗୋଲ୍ ଦେଇଥିଲେ। ଶେଷ ୧୦ ମିନିଟ୍ ଭିତରେ ଲାରା (୮୬ତମ ଓ ୯୩ତମ ମିନିଟ୍) ଦୁଇଟି ଗୋଲ୍ ଦେଇ ଭାରତୀୟ ପ୍ରଶଂସକମାନଙ୍କୁ ସମ୍ପୂର୍ଣ୍ଣ ନିରବ କରି ଦେଇଥିଲା। ବ୍ରାଜିଲ୍ ବିଜୟରୁ କଳିଙ୍ଗ ଷ୍ଟାଡିୟମ୍ ଅଭିଯାନ ଆରମ୍ଭ ହୋଇଥିବା ବେଳେ ଏବେ ଆଉ ଏକ ବିଜୟରୁ ହିଁ କଳିଙ୍ଗ ଅଭିଯାନ ଶେଷ ହୋଇଛି। ‘କିକ୍ ଅଫ୍ ଦି ଡ୍ରିମ୍’ ସ୍ଲୋଗାନ୍ର ଏହି ଫିଫା ଯୁବା ବିଶ୍ବକପ୍ରେ ଭାରତ ଗୋଟିଏ ବି ଗୋଲ୍ ଦେଇପାରିନଥିଲା। କିନ୍ତୁ ସୋମବାରର ବ୍ରାଜିଲ୍ ବିପକ୍ଷ ମ୍ୟାଚ୍ରେ ଭାରତୀୟ ଗୋଲି ମୋନାଲିସା ମୋରାଙ୍ଗଥେମ୍ ଚମତ୍କାର ଖେଳି ଏକାଧିକ ଗୋଲ୍ରୁ ଦଳକୁ ରକ୍ଷା କରିଥିଲେ। ବ୍ରାଜିଲ୍ ବଲ୍ ନିୟନ୍ତ୍ରଣ (୭୫-୨୫), ସଟ୍ ଅନ୍ ଟାର୍ଗେଟ୍ (୧୩-୨), ପାସ୍ରେ (୬୦୪-୨୧୬) ଆଦିରେ ଏତେ ବ୍ୟବଧାନ ରଖିଥିଲା ଯେ ପ୍ରାଧାନ୍ୟର ସବୁକିଛିକୁ ପ୍ରତିଫଳିତ କରୁଥିଲା। ବ୍ରାଜିଲର ବେରକନ୍ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଗୋଆର ଫତୋର୍ଦା ଷ୍ଟାଡିୟମ୍ରେ ଗ୍ରୁପ୍ ‘ଏ’ର ଅନ୍ୟ ମ୍ୟାଚ୍ଟି ସମାନ ସମୟରେ ଖେଳାଯାଇଥିଲା। ଆମେରିକା ୪-୦ ଗୋଲ୍ରେ ମରୋକ୍କୋକୁ ପରାସ୍ତ କରିଥିଲା। ଏଥିସହ ଆମେରିକା ଗ୍ରୁପ୍-ବି’ ବିଜେତା ହେବା ସହ କ୍ବାର୍ଟର ଫାଇନାଲ୍ ସ୍ଥାନ ପକ୍କା କରିଥିଲା। ବିଜୟୀ ଦଳର ଚାର୍ଲୋଟ ରୁଥ କୋଲର (୨୪, ୭୩ ମିନିଟ୍) ଏବଂ ସାମନ୍ଥା ଏଲିଜାବେଥ ସ୍ମିଥ୍ (୬୮, ୮୧ ମିନିଟ୍) ଦୁଇଟି ଲେଖାଏଁ ଗୋଲ୍ ଦେଇଥିଲେ।
ସୂଚନା ଯେ, ଗତ ୧୧ ତାରିଖରୁ ଆରମ୍ଭ ହୋଇଥିବା ବିଶ୍ୱର ସବୁଠୁ ପପୁଲାର ଫିଫା ବିଶ୍ୱକପ ସଫଳତାର ସହ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିଅମରେ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶାରେ ଫିଫା ବିଶ୍ୱକପର ମ୍ୟାଚ ଶେଷ ହୋଇଥିବା ବେଳେ ଦର୍ଶକଙ୍କ ମଧ୍ୟରେ ଉତ୍ସାହ କାହିଁରେ କଣ ରହିଥିଲା। ହକି କ୍ରିକେଟ ଭଳି ଫୁଟବଲ ପାଇଁ ମଧ୍ୟ ଦେଖିବାକୁ ମିଳିଥିଲା ଉତ୍ସାହ। କେବଳ ରାଜ୍ୟ ତଥା ଦେଶ ଭିତରୁ ନୁହେଁ ଦେଶ ବାହାରୁ ମଧ୍ୟ ବିଦେଶୀ ଫୁଟବଲ ପ୍ରେମୀ ଓଡିଶାକୁ ଛୁଟି ଆସିଥିଲେ। ଏଆଇଏଫଏଫ ଓ ଫିଫା ଓଡ଼ିଶାର ଆୟୋଜନକୁ ବେଶ ପ୍ରଶଂସା କରିଥିବା ବେଳେ ବିଦେଶୀ ଖେଳାଳି ମଧ୍ୟ ଓଡ଼ିଶା ସରକାରଙ୍କ ସହଯୋଗ ଓ ପ୍ରୋତ୍ସାହନକୁ ଭୁରି ପ୍ରଶଂସା କରିଥିଲେ।
