ଆଜି ପ୍ରଥମାଷ୍ଟମୀ ! ଘରର ପ୍ରଥମ ପୁଅ-ଝିଅଙ୍କୁ କାହିଁକି ପୂଜା କରାଯାଏ
ଆଜି ପ୍ରଥମାଷ୍ଟମୀ। ଓଡ଼ିଆ ପରମ୍ପରାରେ ମାର୍ଗଶୀର ମାସ ଅଷ୍ଟମୀ ତିଥିରେ ଘରର ପ୍ରଥମ ପୁଅ ଝିଅଙ୍କୁ ପୂଜାର୍ଚ୍ଚନା କରାଯାଏ। ଏହିଦିନ ମା‘ମାନେ ଘରେ ନିଜର ପ୍ରଥମ ପୁଅ ଝିଅଙ୍କୁ ଦିଅଁଙ୍କ ଆଗରେ ବସାଇ ପୂଜାର୍ଚ୍ଚନା କରିଥା’ନ୍ତି। ପ୍ରଥମ ପୁଅ ଝିଅଙ୍କୁ ପୂଜା କରିବା ପାଇଁ ଘରମାନଙ୍କରେ ପିଠାପଣାର ମଧ୍ୟ ଆସର ଜମିଥାଏ।
ଓଡ଼ିଆ ପରମ୍ପରା ଅନୁଯାୟୀ ଘରର ପ୍ରଥମ ପୁଅ ଝିଅଙ୍କୁ ଘରର ସୌଭାଗ୍ୟ ବୋଲି ଗ୍ରହଣ କରାଯାଏ। ପିତାଙ୍କ ପରେ ଘରର ବଡ଼ପୁଅକୁ ଘରର ଉତ୍ତରାଧିକାରୀ ବୋଲି କୁହାଯାଏ। ତେଣୁ ପ୍ରଥମାଷ୍ଟମୀରେ ଘରର ପ୍ରଥମ ପୁଅଙ୍କୁ ପୂଜାର୍ଚ୍ଚନା କରାଯାଏ। ସେହିପରି ଘରର ଝିଅଙ୍କୁ ଘରର ସମ୍ମାନ କୁହାଯାଏ। ତେଣୁ ଝିଅଙ୍କୁ ବି ପୂଜା କରାଯାଏ।
ସକାଳୁ ସକାଳୁ ଦିଅଁଙ୍କ ଆଗରେ ବଡ଼ ପୁଅ, ଝିଅଙ୍କୁ ପିଢ଼ା ଉପରେ ବସାଇ ଦୁଇ କାନରେ ଫୁଲ ଓ ମୁଣ୍ଡରେ ଚନ୍ଦନ ଲଗାଇ ଦୁବ, ବରକୋଳି ପତ୍ର ଓ ହଳଦୀମିଶା ଚାଉଳ ମିଶାଇ ସେଥିରେ ମା’ ମାନେ ତାଙ୍କୁ ବନ୍ଦାପନା କରନ୍ତି। ନୂଆ ଡ୍ରେସରେ ବନ୍ଦାପନା ପରେ ଜ୍ୟେଷ୍ଠ ସନ୍ତାନ ଷଠୀ ଦେବୀଙ୍କୁ ମୁଣ୍ଡିଆ ମାରିବା ସହିତ ପିତାମାତାଙ୍କୁ ଓ ଗୁରୁଜନଙ୍କୁ ମୁଣ୍ଡିଆ ମାରି ଆଶୀର୍ବାଦ ନିଅନ୍ତି। ପରିବାରର ଜ୍ୟେଷ୍ଠ ପୁତ୍ର ବା ଜ୍ୟେଷ୍ଠା କନ୍ୟାର ନବ ବସ୍ତ୍ର ପରିଧାନ ଓ ବନ୍ଦାପନା ହେବାର ଏହି ବିଶେଷ ବିଧିକୁ ‘ପଢୁଆଁ ହେବା’ କୁହାଯାଏ।
