ସୁବର୍ଣ୍ଣପୁର ଜିଲ୍ଲାରେ ସାର କଳାବଜାରୀକୁ ଦୃଢ଼ହସ୍ତରେ ଦମନ କରାଯିବ – ଜିଲ୍ଲାପାଳ
ସୁବର୍ଣ୍ଣପୁର : ଜିଲ୍ଲାର ବିଭିନ୍ନ ସୂତ୍ରରୁ ପ୍ରାପ୍ତ ଅଭିଯୋଗକ୍ରମେ ସୁବର୍ଣ୍ଣପୁର ଜିଲ୍ଲାରେ ସମସ୍ତ ରାସାୟନିକ ସାର ଓ କୀଟନାଶକର ସହଜ ଓ ବ୍ୟବସ୍ଥିତ ଉପଲବ୍ଧତା ଏବଂ ବିଶେଷ କରି ଜିଲ୍ଲାରେ ୟୁରିଆର କଳାବଜାରୀ ରୋକିବା ପାଇଁ ଜିଲ୍ଲାପାଳ ଶ୍ରୀମତୀ ଅବୋଲି ସୁନୀଲ ନରୱଣେ ଦୃଢ଼ ପଦକ୍ଷେପ ନେଇଛନ୍ତି । ସୁବର୍ଣ୍ଣପୁର ଏକ କୃଷିପ୍ରଧାନ ଜିଲ୍ଲା ହୋଇଥିବାରୁ ଏଠାକାର ହଜାର ହଜାର କୃଷକ ରବି ରୁତୁରେ ଧାନ ଚାଷ କରୁଛନ୍ତି ଓ କିନ୍ତୁ ବିଗତ ବର୍ଷମାନଙ୍କରେ ଦେଖାଯାଇଛି ଯେ ଠିକ୍ ଦରକାର ବେଳେ ଅସାଧୁ ବ୍ୟବସାୟୀମାନେ ରାସାୟନିକ ସାର ଗଚ୍ଛିତ କରି ଅହେତୁକ ଭାବରେ ଏହାର ମୂଲ୍ୟ ବୃଦ୍ଧି କରୁଛନ୍ତି । ଏହାର ସିଧାସଳଖ ପ୍ରଭାବ ଗରିବ କୃଷକ ମାନଙ୍କ ଉପରେ ପଡୁଛି ଓ ଏହା ଏକ ସମ୍ବେଦନଶୀଳ ଘଟଣା ହୋଇଥିବାରୁ ଜିଲ୍ଲା ପ୍ରଶାସନ ଏହାକୁ ଗୁରୁତ୍ୱ ସହକାରେ ନେଇଛନ୍ତି ଓ ଉଭୟ ସୋନପୁର ଓ ବୀରମହାରାଜପୁର ଉପଖଣ୍ଡ ରେ ଉପଜିଲ୍ଲାପାଳମାନଙ୍କ ନେତୃତ୍ୱରେ ଦୁଇଟି ଟାସ୍କଫୋର୍ସ ଗଠନ କରାଯାଇଛି । ଏହି ଚଢାଉ ଦଳରେ ବିଭିନ୍ନ ବ୍ଲକର ବରିଷ୍ଠ କୃଷି ଅଧିକାରୀ, ଅତିରିକ୍ତ ତହସିଲଦାର, ଥାନା ଅଧିକାରୀ ଇତ୍ୟାଦି ରହିବେ ଓ ଏହି ଏନଫୋର୍ସମେଂଟ ଟିମ୍ ଜିଲ୍ଲାର ସମସ୍ତ ସାର ଡିପୋ, ସରକାରୀ ତଥା ବେସରକାରୀ ସାର ଓ କୀଟନାଶକ ବିକ୍ରି କେନ୍ଦ୍ର ଉପରେ ୨୪ଙ୍ଘ ୭ ଘଂଟିଆ ନଜର ରଖିବ ଓ କୌଣସି ବି ଜାଗାରେ ସାର କଳାବଜାରୀ ଓ ନକଲି କୀଟନାଶକ ବିକ୍ରିର ଖବର ପାଇଲା ମାତ୍ରେ ସେଠାରେ ଚଢ଼ାଉ କରି ଆଇନ ଅନୁଯାୟୀ ଦୃଢ଼ ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲାପାଳ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି । କୌଣସି ଅଂଚଳରେ କୃଷକମାନେ ସାର କ୍ରୟ ସମ୍ବନ୍ଧୀୟ ଅସୁବିଧାର ସମ୍ମୁଖୀନ ହେଲେ ଅତିଶୀଘ୍ର ଅଂଚଳର କୃଷି ଅଧିକାରୀ କିମ୍ବା ନିକଟସ୍ଥ ଥାନା ରେ ଜଣାଇବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି ।
