କେକେବିଏନ୍ ଡିଭିଜନର ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ
ଫୁଲବାଣୀ : ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ। କେକେବିଏନ୍ ଡିଭିଜନର ମହିଳା ମାଓବାଦୀ କାନ୍ତି ମଲ୍ଲିକ କନ୍ଧମାଳ ଏସ୍ପି ଭିନୀତ ଅଗ୍ରୱାଲଙ୍କ ନିକଟରେ ରବିବାର ଆତ୍ମସମର୍ପଣ କରିଛନ୍ତି। କାନ୍ତି ୨୦୧୮ରୁ ମାଓବାଦୀଙ୍କ ପାର୍ଟି ମେମ୍ବର ଭାବେ କାମ କରୁଥିଲେ। ଏହାସହିତ ସେ ଅନେକ ମାଓ ହିଂସା କାଣ୍ଡରେ ସାମିଲ ଥିଲେ। ମାଓବାଦୀ କାର୍ଯ୍ୟକଳାପରେ ଅତିଷ୍ଠ ଏବଂ ସରକାରଙ୍କ ବିକାଶମୂଳକ କାର୍ଯ୍ୟରେ ସନ୍ତୁଷ୍ଟ ହୋଇ ମାଓ ସଙ୍ଗଠନ ଛାଡ଼ି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନକ୍ରମେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ସେ ଆତ୍ମସମର୍ପଣ କରିଥିବା କହିଛନ୍ତି ।
ସୂଚନା ଯେ, କନ୍ଧମାଳ-ବୌଦ୍ଧ-କଳାହାଣ୍ଡି ଜିଲ୍ଲା ସୀମାନ୍ତବର୍ତ୍ତୀ ଜଙ୍ଗଲରେ ଏବେ ମାଓବାଦୀମାନେ ଖୁବ୍ ସକ୍ରିୟ ହୋଇପଡ଼ିଛନ୍ତି, ଯାହାକି ପୁଲିସର ମୁଣ୍ଡବିନ୍ଧା ବଢ଼ାଇ ଦେଇଛି। ଗୋଟିଏପଟେ କନ୍ଧମାଳ-କଳାହାଣ୍ଡି ସୀମା ବେଲଘର, ଗୁମା, ଝିରିପାଣି, ଲଙ୍କାଗଡ଼ ଅଞ୍ଚଳରେ ଥିବା ଜଙ୍ଗଲରେ ମାଓବାଦୀମାନେ ନିଜର ସଂଗଠନକୁ ସୁଦୃଢ଼ କରୁଥିବାବେଳେ ଅନ୍ୟପଟେ କନ୍ଧମାଳ-ବୌଦ୍ଧ ସୀମାନ୍ତବର୍ତ୍ତୀ ଗୋଛାପଡ଼ା, କଣ୍ଟାମାଳ ଜଙ୍ଗଲରେ ମାଓବାଦୀମାନେ ସକ୍ରିୟ ହୋଇପଡ଼ିଛନ୍ତି। ଏସବୁ ଇଲାକାରେ ବିଶେଷକରି କେକେବିଏନ୍ (କଳାହାଣ୍ଡି-କନ୍ଧମାଳ-ବୌଦ୍ଧ-ନୟାଗଡ଼) ଡିଭିଜନ ବେଶ ସକ୍ରିୟ ରହିଛି।
