ଟଳିଲା ବାତ୍ୟା ‘ଜୱାଦ’ ଭୟ, ଏବେ କେବଳ ବର୍ଷା
ଭୁବନେଶ୍ବର : ସମୁଦ୍ର ଭିତରେ ଦୁର୍ବଳ ହେବାରେ ଲାଗିଛି ବାତ୍ୟା ଜୱାଦ। ରାତିରେ ଗଭୀର ଅବପାତ ହେବା ସହ ଆହୁରି ଦୁର୍ବଳ ହେବାର ସମ୍ଭାବନା ରହିଛି। ଏଥି ସହିତ ପୁରୀରେ ପହଞ୍ଚିଲା ବେଳକୁ ଆହୁରି ଶକ୍ତିହୀନ ହୋଇପଡ଼ିଥିବ ଓ ମୋଡ଼ ବଦଳାଇ ପଶ୍ଚିମବଙ୍ଗ ଆଡ଼କୁ ଚାଲିଯିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ତେବେ ବାତ୍ୟା ପ୍ରଭାବ କମିଥିବା ବେଳେ ପବନ କମ୍ ହେବ। ମାତ୍ର ବର୍ଷା ଅଧିକ ହେବ ବୋଲି ଅନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପ ସାଗରରେ ଘଣ୍ଟାପ୍ରତି ୬ କିଲୋମିଟର ବେଗରେ ଉତ୍ତର ଦିଗକୁ ଗତି କରୁଛି ଜୱାଦ।
ରବିବାର ରାତି ବେଳକୁ ଓଡ଼ିଶାରୁ ବାତ୍ୟାର ପ୍ରଭାବ ହଟିଯିବାର ସମ୍ଭାବନା ରହିଥିବା ସ୍ବତନ୍ତ୍ର ରିଲିଫ କମିସନର(ଏସ୍ଆର୍ସି) ପ୍ରଦୀପ କୁମାର ଜେନା କହିଛନ୍ତି। ସାମୁଦ୍ରିକ ଝଡ଼ ଦକ୍ଷିଣପୂର୍ବ ଦିଗରେ ବିଶାଖାପାଟନମ୍ଠାରୁ ୨୧୦ କିମି, ଗୋପାଳପୁରଠାରୁ ଦକ୍ଷିଣ ଦିଗରେ ୩୨୦ କିମି, ପୁରୀଠାରୁ ଦକ୍ଷିଣ-ଦକ୍ଷିଣପଶ୍ଚିମ ଦିଗରେ ୩୯୦ କିମି ଏବଂ ପାରାଦୀପଠାରୁ ଦକ୍ଷିଣ-ଦକ୍ଷିଣପଶ୍ଚିମ ଦିଗରେ ୪୭୦ କିମି ଦୂରରେ ରହିଛି। ଏହା କ୍ରମଶଃ ଦୁର୍ବଳ ହୋଇ ଆସନ୍ତା ୧୨ ଘଣ୍ଟା ମଧ୍ୟରେ ପ୍ରାୟ ଉତ୍ତର ଦିଗକୁ ଗତି କରିବ। ପରବର୍ତ୍ତୀ ସମୟରେ ଉତ୍ତର-ଉତ୍ତରପୂର୍ବ ଦିଗରେ ଓଡ଼ିଶା ଉପକୂଳରେ ରବିବାର ମଧ୍ୟାହ୍ନରେ ପୁରୀ ନିକଟରେ ପହଞ୍ଚିବ। ପରବର୍ତ୍ତୀ ସମୟରେ ଏହା ଆହୁରି ଦୁର୍ବଳ ହେବାର ସମ୍ଭାବନା ରହିଛି। ଉତ୍ତର-ଉତ୍ତରପୂର୍ବ ଦିଗକୁ ଓଡ଼ିଶା ଉପକୂଳ ଦେଇ ପଶ୍ଚିମ ବଙ୍ଗୋପସାଗର ଉପକୂଳ ଆଡ଼କୁ ଗତି କରିପାରେ। ବାତ୍ୟା ‘ଜୱାଦ୍’ର ତୀବ୍ରତା ହ୍ରାସ ପାଇବାରେ ଲାଗିଥିବା ଅନୁମାନ କରାଯାଉଛି। ରବିବାର ମଧ୍ୟାହ୍ନରେ ଏହା ପୁରୀ ଉପକୂଳ ଦେଇ ହୁଏତ ସ୍ଥଳଭାଗରେ ପ୍ରବେଶ କରିବାର ସମ୍ଭାବନା ରହିଛି ଓ ପରବର୍ତ୍ତୀ ସମୟରେ ଏହା ପଶ୍ଚିମବଙ୍ଗ ଉପକୂଳ ଆଡ଼କୁ ମୁହାଁଇପାରେ। ପୁରୀ ଉପକୂଳରେ ପବନର ବେଗ ଘଣ୍ଟା ପ୍ରତି ୬୦-୭୦ କିମି ରହିବ ବୋଲି ଆକଳନ କରାଯାଉଛି।
ପାଣିପାଗ ବିଭାଗର ଆକଳନ ଅନୁସାରେ, ଗଞ୍ଜାମ, ପୁରୀ, ଜଗତସିଂହପୁର ଏବଂ ଖୋର୍ଦ୍ଧା ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ସେହିପରି କଟକ ଏବଂ ଭୁବନେଶ୍ୱରରେ ୨୦୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ। ବାତ୍ୟାରେ ଅତ୍ୟଧିକ ଭିତ୍ତିଭୂମି ନଷ୍ଟ ହେବାର ସମ୍ଭାବନା ନାହିଁ। କିନ୍ତୁ ଉପକୂଳବର୍ତ୍ତୀ ଅଞ୍ଚଳରେ ଚାଷ ପ୍ରଭାବିତ ହୋଇପାରେ। ଧାନ ଏବଂ ପନିପରିବା ଚାଷରେ ଅଧିକ କ୍ଷତି ହୋଇପାରେ। ରବିବାର ସନ୍ଧ୍ୟାରେ ବାତ୍ୟା ଓଡ଼ିଶା ଉପକୂଳ ଅତିକ୍ରମ କରି ମଧ୍ୟରାତ୍ର ପୂର୍ବରୁ ଓଡ଼ିଶାରୁ ଏହା ହଟି ଯାଇଥିବ ବୋଲି ଏସ୍ଆର୍ସି ସୂଚନା ଦେଇଛନ୍ତି। ତେବେ ବାତ୍ୟା କୋପରୁ ଲୋକଙ୍କୁ ସୁରକ୍ଷା ଦେବାକୁ ସଜାଗ ରହିଛି ପ୍ରଶାସନ। ଖୋର୍ଦ୍ଧା ଜିଲ୍ଲାରେ ଚିଲିକା କୂଳ ଅଞ୍ଚଳର କଚ୍ଚା ଘରେ ରହୁଥିବା ଲୋକମାନଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି। ବାଲୁଗାଁ ଏନଏସି ପକ୍ଷରୁ ୧୭ଜଣ ଶିଶୁ ଓ ମହିଳାଙ୍କୁ ସ୍ଥାନୀୟ ହାଇସ୍କୁଲରେ ବାତ୍ୟା ଆଶ୍ରୟସ୍ଥଳୀକୁ ନିଆଯାଇଥିଲା। ଖୋର୍ଦ୍ଧା ଭଳି ଗଞ୍ଜାମ, ପୁରୀ, ଜଗତସିଂହପୁର ଓ ବାଲେଶ୍ୱର ଜିଲ୍ଲାରେ ବି କେତେକ ସ୍ଥାନରେ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା। ଏସ୍ଆରସିଙ୍କ ସୂଚନା ଅନୁସାରେ, ଏଥର ମାତ୍ର ଦେଢ଼ ହଜାର ଲୋକଙ୍କୁ ସ୍ଥାନାନ୍ତରଣ କରାଯାଇ ଥିବାବେଳେ ୩ଶହ ଗର୍ଭବତୀ ମହିଳାଙ୍କୁ ଆଗୁଆ ହସ୍ପିଟାଲ ନିଆଯାଇଛି।
