କାମୁଡ଼ା କୁକୁର ଆତଙ୍କ, ବଜାରକୁ ଆସିବାକୁ ଭୟ କରୁଛନ୍ତି ଲୋକେ
ଔପଦା : ବାଲେଶ୍ୱର ଜିଲା ଔପଦା ବଜାରରେ ଦୀର୍ଘ ୬ ମାସରୁ ଉର୍ଦ୍ଧ୍ୱ ସମୟ ହେବ କାମୁଡ଼ା କୁକୁର ଆତଙ୍କ ଲାଗିରହିଥିଲେ ବି ସ୍ଥାନୀୟ ପ୍ରଶାସନର ନୀରବତା ପାଇଁ ସାଧାରଣ ଲୋକେ ବଜାରକୁ ଆସିବା ପାଇଁ ଭୟ କଲେଣି । ବଜାରକୁ ଆସୁଥିବା ଲୋକମାନେ କୁକୁର କାମୁଡାରେ ଶିକାର ହୋଇ ପ୍ରତିଷେଧକ ଇଞ୍ଜେକ୍ସନ ପାଇଁ ଖଇରା ଡାକ୍ତରଖାନାକୁ ଧାଉଁଛନ୍ତି ।
ପ୍ରତିଦିନ ପ୍ରାୟ ଜଣେରୁ ଦୁଇ ଜଣ କୁକୁର କାମୁଡାରେ ଶିକାର ହେଉଥିବା ବେଳେ ଏହି ପରି ଶତାଧିକ ଲୋକ ଆକ୍ରାନ୍ତ ହେଲେଣି । ସ୍ଥାନୀୟ ପ୍ରଶାସନ ସବୁ ଜାଣି ନଜାଣିଲା ପରି ମନେ ହେଉଥିବା ଜଣାଯାଉଥିବାରୁ ସାଧାରଣରେ ଅସନ୍ତୋଷ ଦେଖାଦେଉଛି । କୁକୁର କାମୁଡା ସମ୍ପର୍କରେ ସ୍ଥାନୀୟ ତଳକିଆ ପଞ୍ଚାୟତର ସରପଞ୍ଚ ଦୀପ୍ତିରାଣୀ ନାୟକ ପ୍ରଶାସନକୁ ଲିଖିତ ଭାବେ ଜଣାଇ ଥିବାବେଳେ କୌଣସି ପଦକ୍ଷେପ ଗ୍ରହଣ କରାଯାଉନଥିବା ଜଣାଯାଉଛି । ବାରମ୍ବାର କୁକୁର କାମୁଡ଼ାରେ ଶିକାର ଲୋକମାନଙ୍କୁ ମାରାତ୍ମକ ଜଳାନ୍ତକ ରୋଗରେ ଆକ୍ରାନ୍ତ ହେବେ ବୋଲି ଆଶଙ୍କା କରି ଭୟଭୀତ ସହ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଥିବାରୁ ଦୀର୍ଘ ଦିନ ଧରି ଆତଙ୍କ ଖେଳାଉଥିବା କୁକୁରକୁ ତୁରନ୍ତ ଧରିବା ପାଇଁ ଦୃଢ଼ ଦାବି ହେଉଛି ।
