ପାକିସ୍ତାନକୁ ପୁଣିଥରେ ଗ୍ରେ ତାଲିକାରେ ରଖିଲା ଏଫଏଟିଏଫ୍
ପ୍ୟାରିସ୍: ପ୍ୟାରିସରେ ଥିବା ଫାଇନାନ୍ସିଆଲ୍ ଆକ୍ସନ ଟାସ୍କ ଫୋର୍ସ୍ (ଏଫଏଟିଏଫ୍) ପାକିସ୍ତାନକୁ ପୁଣିଥରେ ଗ୍ରେ ତାଲିକାରେ ରଖିଛି । ଏହା ସହ ବେଆଇନ୍ ଅର୍ଥ କାରବାର ଉପରେ ମକଦ୍ଦମା ଓ ତଦନ୍ତ କରିବାକୁ ପାକିସ୍ତାନକୁ କୁହାଯାଇଛି । ଏଫଏଟିଏଫର ଚାରିଦିନ ଧରି ଚାଲିଥିବା ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି । ଆତଙ୍କବାଦୀଙ୍କ ଅର୍ଥ ନେଣଦେଣ ଓ ବେଆଇନ୍ ଅର୍ଥ କାରବାର ଉପରେ କୋହଳ ମନୋଭାବ ପୋଷଣ କରୁଥିବାରୁ ୨୦୧୮ରୁ ପାକିସ୍ତାନ ଏହି ଗ୍ରେ ତାଲିକାରେ ଅଛି । ଅନ୍ୟପକ୍ଷରେ ପାକିସ୍ତାନ ୨୦୨୩ ସୁଦ୍ଧା ସେ ଏଫଏଟିଏଫର ସମସ୍ତ ସର୍ତ୍ତ ପୂରଣ କରିବ ବୋଲି କହିଛି ।
ସୂଚନା ମୁତ।।ବକ, ଏଫଏଟିଏଫ୍ ୨୦୨୧ରେ ୩୪ରୁ ୪ଟି ସର୍ତ୍ତ ପୂରଣ କରିପାରି ନଥିବାରୁ ପାକିସ୍ତାନକୁ ଜାନୁଆରି ୨୦୨୨ ପର୍ଯ୍ୟନ୍ତ ଗ୍ରେ ତାଲିକାରେ ରଖିଥିଲା । ସେତେବେଳେ ଏଫଏଟିଏଫ କହିଥିଲା ଯେ, ସଂଯୁକ୍ତ ରାଷ୍ଟ୍ର ପ୍ରତିବନ୍ଧକ ଲଗାଇଥିବା ଆତଙ୍କବାଦୀଙ୍କ ଶୀର୍ଷ ନେତାଙ୍କୁ ଦଣ୍ଡ ଦେବାରେ ପାକିସ୍ତାନ ଅବହେଳା କରିଥିଲା । ଏହା ସହିତ ଆତଙ୍କବାଦୀଙ୍କ ନିକଟକୁ ଯାଉଥିବା ଅର୍ଥକୁ ରୋକିବାକୁ ମଧ୍ୟ ପାକିସ୍ତାନ ଅସମର୍ଥ ହୋଇଥିଲା । ତେବେ ଏହି ତାଲିକାରେ ରହିବା ଯୋଗୁଁ ପାକିସ୍ତାନ ଆମଦାନୀ-ରପ୍ତାନୀ ଓ ଅନ୍ତର୍ଜାତୀୟ ସ୍ତରରେ ଋଣ ପାଇବାରେ ଅସୁବିଧାର ସମ୍ମୁଖୀନ ହୋଇଛି । ଲଗାତାର ୪ ବର୍ଷ ପାଇଁ ପାକିସ୍ତାନ ଏହି ତାଲିକାରେ ରହିଆସୁଛି । ଅକ୍ଟୋବର ୨୦୧୮, ୨୦୧୯, ୨୦୨୦, ଏପ୍ରିଲ୍ ୨୦୨୧ ଓ ଅକ୍ଟୋବର ୨୦୨୧ ହୋଇଥିବା ସମୀକ୍ଷା ବୈଠକରେ ଆଦେଶ ଅନୁସାରେ ପାକିସ୍ତାନ କାର୍ଯ୍ୟାନୁଷ୍ଠାନ ନେବାରେ ବିଫଳ ହୋଇଥିବାରୁ ଗ୍ରେ ତାଲିକାରେ ରଖିଛି ଏଫଏଟିଏଫ୍ ।
