ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଘାଟିରୁ ବସ ଖସି ୫ ମୃତ
ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ନୈନିତାଲ ଜିଲ୍ଲାରୁ ଏକ ବଡ ଦୁଃଖଦ ଖବର ସକାଳୁ ଆସି ପହଞ୍ଚିଛି। ନୈନିତାଲ ଠାରେ ଏକ ବସ୍ ନିୟନ୍ତ୍ରଣ ହରାଇ ଘାଟିରୁ ଖସି ପଡ଼ିଥିବା ନେଇ ସୂଚନା ରହିଛି। ଏହି ଦୁର୍ଘଟଣାରେ ପାଞ୍ଚ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୪ଜଣ ପୁରୁଷ ଏବଂ ଜଣେ ମହିଳା ଅଛନ୍ତି। ସେପଟେ ଏହି ଦୁର୍ଘଟଣାରେ ୨୭ ଜଣ ଆହତ ହୋଇ ଚିକିତ୍ସାଧିନ ରହିଛନ୍ତି। ସମସ୍ତ ଆହତଙ୍କୁ ହଲଦ୍ୱାନୀ ଏବଂ ନିକଟସ୍ଥ ଅନ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ସମ୍ପର୍କରେ ପୋଲିସ ସୂଚନା ପାଇଁ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିବା ସୂଚନା ରହିଛି। ଏହି ଦୁର୍ଘଟଣାର ସମସ୍ତ ପୀଡିତ ବ୍ୟକ୍ତି ହରିୟାଣାର ହିସାର ବାସିନ୍ଦା ବୋଲି କୁହାଯାଉଛି। ଘଟଣାସ୍ଥଳରେ ନୈନିତାଲ ଏସଏସପି ପ୍ରହ୍ଲାଦ ମୀନା ଏବଂ ଏସପି ସିଟି ହରବାନ୍ ସିଂ ଉପସ୍ଥିତ ଅଛନ୍ତି। SDRF ସମେତ ପୋଲିସ ଟିମ୍ ଉଦ୍ଧାର କାର୍ଯ୍ୟ କରୁଛନ୍ତି। କୁହାଯାଉଛି ଯେ ବସ୍ରେ ପ୍ରାୟ ୩୨ ଜଣ ଲୋକ ଯାତ୍ରା କରୁଥିଲେ। କିଛି ଲୋକ ନିଖୋଜ ଥିବା ଜଣାପଡିଛି।
ସୂଚନା ଅନୁଯାୟୀ, ଏହି ଦୁର୍ଘଟଣା ନୈନିତାଲର କାଲାଡୁଙ୍ଗି ରୋଡରେ ଘଟିଛି। କୁହାଯାଉଛି ଯେ ହିସାରର ଏକ ସ୍କୁଲର ପିଲା ଏବଂ କର୍ମଚାରୀମାନେ ନୈନିତାଲକୁ ବୁଲିବାକୁ ଆସିଥିଲେ। ରବିବାର ବିଳମ୍ବିତ ରାତିରେ ପୋଲିସ ଏକ ବସ୍ ଖାଲରେ ପଡ଼ିଥିବାର ସୂଚନା ପାଇଥିଲା। ଏହା ପରେ ସ୍ଥାନୀୟ ପୋଲିସ ଏସଡିଆରଏଫକୁ ଏ ସମ୍ପର୍କରେ ସୂଚନା ଦେଇଥିଲା। ଏହା ପରେ SDRF କାର୍ଯ୍ୟରେ ଆସି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ଘଟଣାସ୍ଥଳରେ ରିଲିଫ ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି।
