ଦିବ୍ୟାପୁରରେ ନିର୍ବାଚନୀ ଜନସଭାକୁ ସମ୍ବୋଧିତ! କ୍ଷମତାକୁ ଆସିଲା ପରେ ଆଗାମୀ ୫ବର୍ଷ ପର୍ଯ୍ୟନ୍ତ ବିଜୁଳି ବିଲ ଦେବେ ନାହିଁ ଚାଷୀ : ଶାହା
ଲକ୍ଷ୍ନୌ : ଉତ୍ତର ପ୍ରଦେଶରେ ଦ୍ବିତୀୟ ପର୍ଯ୍ୟାୟ ଭୋଟିଂ ସରିଥିବା ବେଳେ ଆସନ୍ତା ୨୦ ତାରିଖରେ ତୃତୀୟ ପର୍ଯ୍ୟାୟ ମତଦାନ ପୂର୍ବରୁ ପୁଣି ଚଳଚଞ୍ଚଳ ହୋଇଛି ପ୍ରଚାର ମୈଦାନ। ଗତ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାନପୁରରେ ଜନସଭାକୁ ସମ୍ବୋଧିତ କରି ସମାଜବାଦୀ ପାର୍ଟି ଉପରେ ପ୍ରବଳ ଆକ୍ରମଣ କରିଥିବା ବେଳେ ବୁଧବାର ରାଜ୍ୟରେ ପ୍ରଚାର ଜାରି ରଖିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା। ଶାହା ଆଜି ଉତ୍ତରପ୍ରଦେଶର ଦିବ୍ୟାପୁରରେ ନିର୍ବାଚନୀ ଜନସଭାକୁ ସମ୍ବୋଧିତ କରିବା ସହ ରାଜ୍ୟବାସୀଙ୍କୁ ଏକାଧିକ ପ୍ରତିଶ୍ରୁତି ଦେଇଛନ୍ତି।
ଜନସଭାକୁ ସମ୍ବୋଧିତ କରିବା ଅବସରରେ କହିଛନ୍ତି, ବିଜେପି ରାଜ୍ୟରେ ପୁଣି ଥରେ କ୍ଷମତାକୁ ଆସିଲା ପରେ ରାଜ୍ୟରେ କୌଣସି ଚାଷୀଙ୍କୁ ଆସନ୍ତା ୫ ବର୍ଷ ପର୍ଯ୍ୟନ୍ତ ବିଜୁଳି ବିଲ ଦେବାକୁ ପଡିବ ନାହିଁ। ପରବର୍ତ୍ତୀ ପାଞ୍ଚ ବର୍ଷ ପାଇଁ ରାଜ୍ୟର କୃଷକମାନେ ମୁକ୍ତ ବିଜୁଳି ଶକ୍ତି ବ୍ୟବହାର କରିବେ। ମାର୍ଚ୍ଚ ୧୮ ରେ ଦେଶ ହୋଲି ପାଳିବାକୁ ଯାଉଥିବା ବେଳେ ୧୦ ତାରିଖରେ ମତଗଣନା ସହ ଜନାଦେଶ ପ୍ରକାଶ ପାଇବାକୁ ଯାଉଛି। ବିଜେପିକୁ ପୁଣିଥରେ କ୍ଷମତାକୁ ଆଣନ୍ତୁ,ହୋଲି ପୂର୍ବରୁ ଘରେ ମାଗଣା ଗ୍ୟାସ ସିଲିଲଣ୍ଡର ପହଞ୍ଚିବା ନେଇ ଶାହା ମଧ୍ୟ କହିଛନ୍ତି।
ତେବେ ରାଜ୍ୟରେ ପୁଣିଥରେ ବିଜେପି କ୍ଷମତାକୁ ଫେରିବା ନେଇ ଦୃଢୋକ୍ତି ପ୍ରକାଶ କରି ଶାହ କହିଛନ୍ତି, ରାଜ୍ୟରେ ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ମତଦାନ ଶେଷ ସୁଦ୍ଧା ଫଳାଫଳ ମଧ୍ୟ ସ୍ପଷ୍ଟ ହୋଇସାରିଛି। ସମାଜବାଦୀ ପାର୍ଟି ରାଜ୍ୟରୁ ସଫା ହୋଇସାରିଥିବା ବେଳେ ବିଜେପି କ୍ଷମତାକୁ ଫେରିବା ଏକପ୍ରକାର ସ୍ପଷ୍ଟ ହୋଇସାରିଛି। ଏହି ଦ୍ବିତୀୟ ପର୍ଯ୍ୟାୟ ମତଦାନ ସୁଦ୍ଧା ରାଜ୍ୟରେ ବିଜେପି ପଶ୍ଚିମ ଭାଗରେ ପ୍ରାୟ ୩୦୦ରୁ ଅଧିକ ଆସନ ସହିତ ଦଳ କ୍ଷମତା ହାତେଇବା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିସାରିଛି। ଆସନ୍ତା ତଥା ତୃତୀୟ ପର୍ଯ୍ୟାୟରେ ହେବାକୁ ଥିବା ଭୋଟିଂ ବିଜେପିର ସଂଖ୍ୟା ଗରିଷ୍ଠତାକୁ ପୂରଣ କରିବାକୁ ଯାଉଛି।
ସେହିପରି ଅଖିଳେଶ ଯାଦବଙ୍କ ଉପରେ ମଧ୍ୟ ବର୍ଷିଛନ୍ତି ଶାହା। ରାଜ୍ୟରେ ଅଖିଳେଶଙ୍କ ଶାସନରେ ବନ୍ଧୁକ, ମାରଣାସ୍ତ୍ର ଅପରାଧୀମାନେ ପ୍ରସ୍ତୁତ କରୁଥିଲେ। ବର୍ତ୍ତମାନ ସେହି ଉତ୍ତର ପ୍ରଦେଶରେ ଭାରତୀୟ ସଶସ୍ତ୍ର ବଳଙ୍କ ପାଇଁ ଗୁଳି ଓ ଯୁଦ୍ଧାସ୍ତ୍ର ସାମଗ୍ରୀ ଉତ୍ପାଦନ ହେବା ଆରମ୍ଭ ହୋଇଛି। ପାକିସ୍ତାନକୁ ଜବାବ ଦେବା ପାଇଁ ଆବଶ୍ୟକ ହେଉଥିବା ଯୁଦ୍ଧାସ୍ତ୍ର ଉତ୍ପାଦନର କେନ୍ଦ୍ର ପାଲଟିବାକୁ ଯାଉଛି ଉତ୍ତର ପ୍ରଦେଶ।
ଆସନ୍ତା ୨୦ ତାରିଖରେ ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ ହେବାକୁ ଯାଉଛି। ଦୁଇ ପର୍ଯ୍ୟାୟ ମତଦାନରେ ବିଜେପି ଭଲ ଭୋଟ ପାଇଥିବା ସହ କ୍ଷମତା ହାସଲ କରିବା ପାଇଁ ଆବଶ୍ୟକ ସଂଖ୍ୟା ଆଡକୁ ଅଗ୍ରସର ହେଉଥିବା ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଗୃହମନ୍ତ୍ରୀ ଶାହାଙ୍କ ପର୍ଯ୍ୟନ୍ତ ସମସ୍ତେ ଦାବି କରିବାରେ ଲାଗିଛନ୍ତି। ତେବେ ରାଜ୍ୟରେ ସମସ୍ତ ୭ ପର୍ଯ୍ୟାୟରେ ମତଦାନ ହେବାକୁ ଥିବା ବେଳେ ମାର୍ଚ୍ଚ ୧୦ ରେ ଅନ୍ୟ ରାଜ୍ୟଙ୍କ ସହ ଫଳାଫଳ ପ୍ରକାଶ ପାଇବ।
