ଆଜି ନୂଆ ଦଳ ଘୋଷଣା କରିବେ କୃଷକ ନେତା ଗୁରୁନାମ ସିଂହ ଚରୁନି!
ଚଣ୍ଡୀଗଡ : ଆସନ୍ତା ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ କୃଷକ ନେତା ଗୁରୁନାମ ସିଂହ ଚରୁନି ଏକ ନୂଆ ରାଜନୈତିକ ଦଳ ଗଠନ କରିବାକୁ ଯାଉଛନ୍ତି । ଆଜି ଚରନି ନୂଆ ଦଳର ନାମ ଘୋଷଣା କରିବେ ବୋଲି ସ୍ପଷ୍ଟ ହୋଇଛି । ଚରୁନି ଆଜି ଚଣ୍ଡିଗଡ଼ ପ୍ରେସ କ୍ଲବରେ ଏକ ସାମ୍ବାଦିକ ସମ୍ମିଳନୀରେ ନୂଆ ଦଳ ନେଇ ଘୋଷଣା କରିବେ । ତେବେ ଗୋଟିଏ ବର୍ଷରୁ ଅଧିକ ସମୟ ଧରି ଚାଲିଥିବା କୃଷକ ଆନ୍ଦୋଳନରେ ଚରନି ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ବର୍ତ୍ତମାନ ସେ ପଞ୍ଜାବରେ ନୂଆ ଦଳ ଗଠନ କରିବାକୁ ଯାଉଛନ୍ତି ।
ଅନ୍ୟପଟେ ଗତ ଶୁକ୍ରବାର ଭାରତୀୟ ଜନତା ପାର୍ଟି ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହଙ୍କ ନୂଆ ଦଳ ପଞ୍ଜାବ ଲୋକ କଂଗ୍ରେସ ସହ ମିଳିତ ଭାବେ ଆଗାମୀ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ବିତା କରିବ ବୋଲି ଘୋଷଣା କରିଛି । କେନ୍ଦ୍ରମନ୍ତ୍ରୀ ତଥା ପଞ୍ଜାବ ବିଜେପି ଦାୟିତ୍ୱରେ ଥିବା ଗଜେନ୍ଦ୍ର ସିଂ ଶେଖାୱତ ଏନେଇ କହିଛନ୍ତି ଯେ, ୭ ରାଉଣ୍ଡ ଆଲୋଚନା ପରେ ଆଜି ମୁଁ ସ୍ପଷ୍ଟ କରୁଛି ଯେ, ଆଗାମୀ ପଞ୍ଜାବ ବିଧାନସଭା ନିର୍ବାଚନରେ ବିଜେପି ଏବଂ ପଞ୍ଜାବ ଲୋକ କଂଗ୍ରେସ ଏକାଠି ଲଢିବାକୁ ଯାଉଛନ୍ତି । ଆଗାମୀ ଦିନରେ ଆସନ ଭାଗ ବଣ୍ଟା ନେଇ ଆଲୋଚନା ହେବ ।’ ପଞ୍ଜାବ ଲୋକ କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ ମଧ୍ୟ ଗତକାଲି ଦିଲ୍ଲୀର ବାସଭବନରେ କେନ୍ଦ୍ରମନ୍ତ୍ରୀ ତଥା ପଞ୍ଜାବ ବିଜେପି ଦାୟିତ୍ୱରେ ଥିବା ଗଜେନ୍ଦ୍ର ସିଂ ଶେଖାୱତଙ୍କୁ ଭେଟିଛନ୍ତି । ଆଜି ଏନେଇ ସେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ‘ନିର୍ବାଚନ ପାଇଁ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ ଏବଂ ଆମେ ଏହି ନିର୍ବାଚନରେ ଜିତିବାକୁ ଯାଉଛୁ । ଆସନ ବାଣ୍ଟିବା ନିଷ୍ପତ୍ତି ସିଟ୍ ଆଧାରରେ ନିଆଯିବ, ଜିତିବାକୁ ସାମର୍ଥ୍ୟ ସୃଷ୍ଟି କରିବା ପ୍ରାଥମିକତା ଅଟେ । ନିର୍ବାଚନରେ ଆମର ବିଜୟ ୧୦୧ ପ୍ରତିଶତ ନିଶ୍ଚିତ । ‘ ତେବେ ୨୦୧୨ରେ ପଞ୍ଜାବ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ।
ସୂଚନା ଯେ, ନଭେମ୍ବର ୨ ରେ ପଞ୍ଜାବର କ୍ୟାପଟେନ ଅମରିନ୍ଦର ସିଂ କଂଗ୍ରେସ ଏବଂ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଏହାପରେ ନୂଆ ଦଳ ପଞ୍ଜାବ ଲୋକ କଂଗ୍ରେସ ଘୋଷଣା କରିଥିଲେ । ସେପଟେ ୨୦୧୭ ପଞ୍ଜାବ ବିଧାନସଭା ନିର୍ବାଚନରେ କଂଗ୍ରେସ ୭୭ଟି ସିଟ୍ ଜିତି ରାଜ୍ୟରେ ବହୁମତ ହାସଲ କରି ସରକାର ଗଠନ କରିଥିଲା । ୧୧୭ ସଦସ୍ୟ ବିଶିଷ୍ଟ ପଞ୍ଜାବ ବିଧାନସଭା ନିର୍ବାଚନରେ ୨୦ ଟି ଆସନ ଜିତି ଆମ୍ ଆଦମୀ ପାର୍ଟି ଦ୍ୱିତୀୟ ବୃହତ୍ତମ ଦଳ ଭାବରେ ବିବେଚିତ ହୋଇଥିଲା । ଶିରୋମଣି ଅକାଳି ଦଳ(ଏସଏଡ଼ି) କେବଳ ୧୫ଟି ସିଟ୍ ଜିତିବାରେ ସଫଳ ହୋଇଥିବାବେଳେ ବିଜେପି ୩ ଟି ସିଟ୍ ହାସଲ କରିଥିଲା ।
