ଫକୀରମୋହନ ବିଶ୍ୱବିଦ୍ୟାଳୟରେ ‘ପରିବର୍ତ୍ତିତ ସମୟରେ ବୃତ୍ତିଗତ ଯୋଜନାର ସମସ୍ୟା’ ଶୀର୍ଷକ ଆଲୋଚନା ଚକ୍ର
ବାଲେଶ୍ୱର : ବାଲେଶ୍ୱର ଫକୀରମୋହନ ବିଶ୍ୱବିଦ୍ୟାଳୟର ବୃତ୍ତିଗତ ପରାମର୍ଶ କେନ୍ଦ୍ର (କ୍ୟାରିଅର କାଉନ୍ସେଲିଂ ସେଲ) ଆନୁକୂଲ୍ୟରେ ‘ପରିବର୍ତ୍ତିତ ସମୟରେ ବୃତ୍ତିଗତ ଯୋଜନାର ସମସ୍ୟା’ ଶୀର୍ଷକ ଆଲୋଚନାଚକ୍ର ଆୟୋଜିତ ହୋଇଯାଇଛି । କାର୍ଯ୍ୟକ୍ରମକୁ ଫକୀରମୋହନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଉଦ୍ଘାଟନ କରିଥିଲେ । ବିଦ୍ୟାର୍ଥୀମାନଙ୍କ ପାଇଁ ଧାରାବାହିକ ଶିକ୍ଷା ପଦ୍ଧତି ସହିତ ବୃତ୍ତିଗତ ପରାମର୍ଶର ଆବଶ୍ୟକତା, ଗୁରୁତ୍ୱ ଓ ଉପଯୋଗୀତା ଉପରେ ଆଲୋକପାତ କରିବା ସହିତ ଏହାକୁ କିପରି ବିଦ୍ୟାର୍ଥୀ ବୃତ୍ତିଗତ ଜୀବନରେ ପ୍ରୟୋଗ କରିବେ ସେ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ ।
ମୁଖ୍ୟବକ୍ତା ଭାବେ ଜାତୀୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦର ପ୍ରଫେସର ରମାକାନ୍ତ ମହାଳିକ ଯୋଗଦେଇ ବୃତ୍ତିଗତ ଶିକ୍ଷା ବ୍ୟବସ୍ଥା ସମ୍ପର୍କରେ ନିଜର ଗବେଷଣାଲବ୍ଧ ଓ ଅଭିଜ୍ଞତା ସମ୍ପନ୍ନ ଅଭିବ୍ୟକ୍ତି ବ୍ୟକ୍ତ କରିଥିଲେ । ପ୍ରାରମ୍ଭରେ କ୍ୟାରିଅର କାଉନ୍ସେଲିଂ ସେଲର ନିର୍ଦ୍ଦେଶକ ଡ. ଜ୍ୟୋତିଶଙ୍କର ପ୍ରଧାନ ଅତିଥି ପରିଚୟ ପ୍ରଦାନ କରିବା ସହିତ ବୃତ୍ତିଗତ ପରାମର୍ଶ କେନ୍ଦ୍ରର ଉଦ୍ଦେଶ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ମୁନେଶ ଚନ୍ଦ୍ର ଅଧିକାରୀ ବୃତ୍ତିଗତ ପରାମର୍ଶର ବିବିଧ ଦିଗ ଉପରେ ନିଜର ସୁଚିନ୍ତିତ ମତବ୍ୟକ୍ତ କରିଥିଲେ । ଷ୍ଟୁଡେଣ୍ଟସ୍ ୱେଲଫେୟାର ନିର୍ଦ୍ଦେଶିକା ଡ. ପଦ୍ମଲିତା ରାଉତରାୟ ବୃତ୍ତିଗତ ପରାମର୍ଶର ଉପଯୋଗୀତା ସମ୍ପର୍କରେ ଆଲୋଚନା କରିଥିଲେ । ଶିକ୍ଷା ବିଭାଗର ସହକାରୀ ପ୍ରଫେସର ଡ. ପ୍ରତିମା ପ୍ରଧାନ ଧନ୍ୟବାଦ ଦେଇଥିଲେ । କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର ସମସ୍ତ ବିଭାଗର ଛାତ୍ରୀଛାତ୍ର ଉପସ୍ଥିତ ରହି ଅତିଥିମାନଙ୍କ ଦ୍ୱାରା ଦିଆଯାଇଥିବା ବୃତ୍ତିଗତ ପରାମର୍ଶକୁ ଉପଭୋଗ କରିଥିଲେ ।
