ଜାଭା ଦ୍ୱୀପରେ ଭୟଙ୍କର ଆଗ୍ନେୟଗିରି ବିସ୍ଫୋରଣ : ୧୩ ମୃତ, ଅନେକ ଆହତ
ଜାକର୍ତ୍ତା : ଇଣ୍ଡୋନେସିଆର ଜାଭା ଦ୍ୱୀପରେ ଭୟଙ୍କର ଆଗ୍ନେୟଗିରି ବିସ୍ଫୋରଣ ହୋଇଛି। ଫଳରେ ଏଠାରେ ୧୩ ଜଣଙ୍କ ମୃତ୍ୟୁ ହୋଇଛି। ଏନେଇ ଇଣ୍ଡୋନେସିଆର ବିପର୍ଯ୍ୟୟ ପରିଚାଳନା ଏଜେନ୍ସି ପକ୍ଷରୁ ସୂଚନା ଦିଆଯାଇଛି। ଏନେଇ ଏଜେନ୍ସିର ମୁଖପାତ୍ର ଅବଦୁଲ ମୁହାରୀ କହିଛନ୍ତି ଯେ ସ୍ଥାନୀୟ ସେମେରୁ ପାହାଡ ନିକଟରେ ଥିବା ଆଗ୍ନେୟଗିରିରେ ହୋଇଥିବା ବିସ୍ଫୋରଣର ମୃତକଙ୍କ ମଧ୍ୟରୁ ୨ ଜଣଙ୍କର ପରିଚୟ ମିଳିଛି। ଏହି ପ୍ରାକୃତିକ ବିପର୍ଯ୍ୟୟରେ ଅନେକ ଲୋକ ଆହତ ବି ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆଗ୍ନେୟଗିରିରେ ବିସ୍ଫୋରଣ କାରଣରୁ ଅଧିକାଂଶ ଲୋକ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି ବୋଲି ସେଠାକାର ସରକାରଙ୍କ ସୂଚନା ଦେଇଛନ୍ତି। ଏହି କାରଣରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ତେବେ ଏକ ଗଣମାଧ୍ୟମ ରିପୋର୍ଟରେ କୁହାଯାଉଛି ଯେ ଏହି ବିସ୍ଫୋରଣରେ ପାଖାପାଖି ୪୧ ଜଣ ଆହତ ହୋଇଛନ୍ତି। ଗତ କିଛି ଦିନ ହେବ ଏହି ଆଗ୍ନେୟଗିରିରୁ ନିୟମିତ ଭାବେ ପାଉଁଶ ଓ ଧୂଆଁ ଉଠିଥିଲା। ଆଗ୍ନେୟଗିରିରୁ ବାହାରୁଥିବା ପାଉଁଶ ଓ ଧୂଳିର ଆସ୍ତରଣ ଏତେ ବହଳ ଥିଲା ଯେ ଜାଭା ଦ୍ୱୀପପୁଞ୍ଜ ଦିନରେ ବି ରାତି ପରି ଦେଖାଯାଉଥିଲା।
ସୋସାଲ୍ ମିଡିଆରେ ଭାଇରାଲ୍ ହୋଇଥିବା ଏକ ଭିଡିଓରେ ଆଗ୍ନେୟଗିରିରୁ ବେଶ୍ ମୋଟା ଆକାରର ଧୂଆଁ ଉଠିବା ଫଳରେ ସ୍ଥାନୀୟ ଲୋକେ ଭୟଭୀତ ହୋଇ ଦୂରକୁ ଦୌଡ଼ି ଚାଲିଯାଉଥିବା ଦେଖାଯାଇଛି। ଅନ୍ୟପଟେ ଆଗ୍ନେୟଗିରିରେ ବିସ୍ଫୋରଣ ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ଲୋକଙ୍କ ରହିବା ଓ ଖାଇବା ଲାଗି ସହାୟତା ଯୋଗାଇବା ପାଇଁ ସରକାର ନିର୍ଦେଶ ଦେଇଛନ୍ତି। ଏହି ପ୍ରାକୃତିକ ବିପର୍ଯ୍ୟୟ ଦ୍ୱାରା ପୂର୍ବ ଜାଭା ପ୍ରଦେଶର ୨ଟି ଜିଲ୍ଲା ପ୍ରଭାବିତ ହୋଇଛି। ଏହି ଜିଲ୍ଲାଗୁଡିକ ଉପରେ ବିଶେଷ ଧ୍ୟାନ ଦିଆଯାଉଛି ବୋଲି ସ୍ଥାନୀୟ ସରକାରଙ୍କ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ ଯେ ଇଣ୍ଡୋନେସିଆର ଟୋବେଲୋଠାରୁ ୨୫୯ କିମି ଦୂରରେ ସକାଳେ ଭୂମିକମ୍ପ ଅନୁଭୂତ ହୋଇଥିଲା। ଏନେଇ ଆମେରିକାର ଭୂତତ୍ତ୍ବ ସର୍ବେକ୍ଷଣରୁ ମିଳିଥିବା ସୂଚନାନୁଯାୟୀ, ରିକ୍ଟର ସ୍କେଲ୍ରେ ଏହି ଭୂମିକମ୍ପର ତୀବ୍ରତା ୬ ରେକର୍ଡ କରାଯାଇଛି। ତେବେ ଏହି ଭୂମିକମ୍ପରେ କୌଣସି କ୍ଷୟକ୍ଷତି ନେଇ ସୂଚନା ମିଳିପାରିନାହିଁ।
