ଜାଲ୍ ରସିଦରେ ଅର୍ଥ ହଡ଼ପ ଘଟଣା: ଚାର୍ଜସିଟ୍ ଦାଖଲ ପାଇଁ ଲୋକାୟୁକ୍ତଙ୍କ ନିର୍ଦ୍ଦେଶ
କେନ୍ଦୁଝର : କେନ୍ଦୁଝର ଜିଲ୍ଲା ହାଟଡିହି ତହସିଲରେ ଜାଲ୍ ରସିଦ ଦେଇ ଅର୍ଥ ହଡ଼ପ ଘଟଣାରେ ଲୋକାୟୁକ୍ତଙ୍କ ନିର୍ଦେଶ ପରେ ଭିଜିଲାନ୍ସ ପକ୍ଷରୁ ତଦନ୍ତ କରାଯାଇଥିଲା । ଏବେ ଚାର୍ଜସିଟ୍ ଦାଖଲ ପାଇଁ ଲୋକାୟୁକ୍ତ ନିର୍ଦେଶ ଦେଇଛନ୍ତି । ହାଟଡିହି ତହସିଲ ପକ୍ଷରୁ ଜାଲ୍ ରସିଦ ଦିଆଯାଇ ଟ୍ରାକ୍ଟର ମାଲିକ ଜିତେନ୍ଦ୍ର ରାଉତରାୟଙ୍କଠାରୁ ୪୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିଲା । ସରକାରୀ ତହବିଲରେ ମାତ୍ର ୪ ହଜାର ଟଙ୍କା ଜମା କରାଯାଇ ବାକି ୩୬ ହଜାର ଟଙ୍କା ହଡ଼ପ କରାଯାଇଥିଲା । ଏନେଇ ଲୋକାୟୁକ୍ତରେ ମାମଲା ରୁଜୁ ହେବା ସହ ହାଟଡିହିର ପୂର୍ବତନ ତହସିଲଦାର ଗାୟତ୍ରୀ ସୋରେନ, କିରାଣି ଶ୍ରୀକାନ୍ତ ଜେନା, ଚେନ୍ମ୍ୟାନ୍ ଅଭିମନ୍ୟୁ ଭୂୟାଁଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଯାଇଥିଲା । ପରେ ଏହି ମାମଲାର ତଦନ୍ତ ଦାୟିତ୍ୱ ଭିଜିଲାନ୍ସକୁ ଦିଆଯାଇଥିଲା । ଭିଜିଲାନ୍ସ ତଦନ୍ତ କରିବା ବେଳେ ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ସଂଗିନ ତଥ୍ୟ ପାଇଥିଲା । ଅର୍ଥାତ୍ କେବଳ ଜିତେନ୍ଦ୍ରଙ୍କୁ ଜାଲ୍ ରସିଦ ଦିଆଯାଇ ନାହିଁ, ଆହୁରି ତିନିଜଣ ଗାଡ଼ି ମାଲିକଙ୍କୁ ଏଭଳି ଜାଲ୍ ରସିଦ ଦିଆଯାଇ ସେମାନେ ଦେଇଥିବା ଅର୍ଥ ହଡ଼ପକୁ କରାଯାଇଛି । ଏନେଇ ଭିଜିଲାନ୍ସ ପକ୍ଷରୁ ଲୋକାୟୁକ୍ତଙ୍କ ନିକଟରେ ଦାଖଲ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି । ରିପୋର୍ଟ ଦାଖଲ ପରେ ମାମଲାର ଚାର୍ଜସିଟ୍ ଦାଖଲ କରିବାକୁ ଲୋକାୟୁକ୍ତ ନିର୍ଦେଶ ଦେଇଛନ୍ତି । ପୂର୍ବତନ ତହସିଲଦାର ତଥା ବର୍ତମାନ ବାଲେଶ୍ୱର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଡେପୁଟି କଲେକ୍ଟର ଥିବା ଗାୟତ୍ରୀ ସୋରେନ, ପୂର୍ବତନ କିରାଣି ତଥା ବର୍ତମାନ ହରିଚନ୍ଦନପୁର ତହସିଲ କାର୍ଯ୍ୟାଳୟର ବରିଷ୍ଠ ରାଜସ୍ୱ ସହାୟକ ଶ୍ରୀକାନ୍ତ ଜେନା, ପୂର୍ବତନ ଚେନ୍ମ୍ୟାନ୍ ତଥା ବର୍ତମାନ ଘସିପୁରା ତହସିଲ କାର୍ଯ୍ୟାଳୟରେ ଚେନ୍ମ୍ୟାନ୍ ଭାବେ କାମ କରୁଥିବା ଅଭିମନ୍ୟୁ ଜେନାଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିବାକୁ ଲୋକାୟୁକ୍ତ ଭିଜିଲାନ୍ସକୁ ନିର୍ଦେଶ ଦେଇଛନ୍ତି ।
