ରପ୍ତାନି ନିଷିଦ୍ଧ କଲା ଇଣ୍ଡୋନେସିଆ, ଭାରତରେ ଆହୁରି ମହଙ୍ଗା ହେବ ଖାଇବା ତେଲ
ନୂଆଦିଲ୍ଲୀ: ଏହି ମହଙ୍ଗା ଯୁଗରେ ପୁଣି ଥରେ ରୋଷେଇ ଘରେ ନିଆଁ ଲାଗିବାକୁ ଯାଉଛି। ପୂର୍ବରୁ ଗ୍ୟାସ, ପନିପରିବା ଦାମ ବୃଦ୍ଧି ପାଇଥିବା ବେଳେ ଏବେ ଖାଇବା ତେଲ ମହଙ୍ଗା ହେବାକୁ ଯାଉଛି। ଖାଇବା ତେଲର ଘରୋଇ ମୂଲ୍ୟକୁ ହ୍ରାସ କରିବା ଉଦ୍ଦେଶ୍ୟରେ ଇଣ୍ଡୋନେସିଆ ଶୁକ୍ରବାର ପାମ୍ ଅଏଲ୍ ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇଛି। ଯାହାର ପ୍ରଭାବ ଭାରତ ଉପରେ ଅଧିକ ପଡିବ ବୋଲି ପୂର୍ବାନୁମାନ କରାଯାଉଛି। ଜାକର୍ତ୍ତାରେ ଏକ ବିଶାଳ ରାଲି କରି ହଜାର ହଜାର ଲୋକ ତୈଳ ଏବଂ ଖାଦ୍ୟ ମୂଲ୍ୟ ବୃଦ୍ଧିକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରିବା ପରେ ଇଣ୍ଡୋନେସିଆ ସରକାର ପାମ୍ ଅଏଲ ରପ୍ତାନି ବ୍ୟାନ ଘୋଷଣା କରିଥିଲେ।
ପାମ୍ ଅଏଲ୍ ହେଉଛି ବିଶ୍ୱରେ ସର୍ବାଧିକ ଉତ୍ପାଦିତ, ବ୍ୟବସାୟିକ ଏବଂ ଖାଇବା ତେଲ। ଋଷ-ୟୁକ୍ରେନ ଯୁଦ୍ଧ ଯୋଗୁଁ ରନ୍ଧନ ତେଲର ମୂଲ୍ୟ ଯଥେଷ୍ଟ ବୃଦ୍ଧି ପାଇଛି। ଉଭୟ ୟୁକ୍ରେନ ଏବଂ ଋଷ ସୂର୍ଯ୍ୟମୁଖୀ ତେଲର ପ୍ରମୁଖ ରପ୍ତାନିକାରୀ ଦେଶ। ଏବେ ଇଣ୍ଡୋନେସିଆ ପାମ୍ ଅଏଲ୍ ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇଛି। ଫଳରେ ବିଭିନ୍ନ ଦେଶରେ ତେଲ ସଙ୍କଟ ଦେଖାଦେବାର ସମ୍ଭାବନା ଅଛି। ଇଣ୍ଡୋନେସିଆର ରାଷ୍ଟ୍ରପତି ଜୋକୋ ୱିଡୋଡୋ କହିଛନ୍ତି, ମୁଁ ଏହି ନୀତିର କାର୍ଯ୍ୟକାରିତା ଉପରେ ନଜର ରଖିବା ସହ ମୂଲ୍ୟାଙ୍କନ କରିବି, ଯାହା ଦ୍ୱାରା ଦେଶରେ ଖାଇବା ତେଲର ଉପଲବ୍ଧତା ପ୍ରଚୁର ମାତ୍ରାରେ ତଥା ସୁଲଭ ମୂଲ୍ୟରେ ଉପଲବ୍ଧ ହେବ।
ଇଣ୍ଡୋନେସିଆର ଅର୍ଥମନ୍ତ୍ରୀ ମୁଲ୍ୟାନି ଇନ୍ଦ୍ରାବତୀ କହିଛନ୍ତି ଯେ, ଏହି ନିଷେଧାଦେଶ ଅନ୍ୟ ଦେଶକୁ କ୍ଷତି ପହଞ୍ଚାଇବ ବୋଲି ଜାକର୍ତ୍ତା ବୁଝିଛି, କିନ୍ତୁ ଚାହିଦା ଯୋଗାଣଠାରୁ ଅଧିକ ଥିବାରୁ ଖାଇବା ତେଲର ଘରୋଇ ମୂଲ୍ୟ ହ୍ରାସ କରିବା ଆବଶ୍ୟକ। ମୂଲ୍ୟ ସ୍ଥିର କରିବାରେ ବିଫଳ ହେବା ପରେ ସରକାର “କଠୋର ପଦକ୍ଷେପ” ମଧ୍ୟରୁ ଗୋଟିଏକୁ ବାଝିଛନ୍ତି। ସାଧାରଣ ପରିବାର ପାଇଁ ଏବେ ଏହି ତେଲ କିଣିବା ମହଙ୍ଗା ହୋଇଛି। ଘରୋଇ ବ୍ୟବହାର ପାଇଁ ଷ୍ଟକ୍ ସଂରକ୍ଷଣ ନୀତି ସଫଳ ହୋଇନାହିଁ। ଇନ୍ଦ୍ରାବତୀ କହିଛନ୍ତି ଯେ, ଆମେ ଜାଣୁ ରପ୍ତାନୀ ବ୍ୟାନ ସର୍ବୋତ୍ତମ ଫଳାଫଳ ହେବ ନାହିଁ। ଯଦି ଆମେ ରପ୍ତାନି କରିବାକୁ ଯାଉ ନାହୁଁ, ତାହା ନିଶ୍ଚିତ ଭାବରେ ଅନ୍ୟ ଦେଶକୁ ଧକ୍କା ଦେବ।
ଚୀନ୍ ଏବଂ ଭାରତ ପରି ଏସିୟ ଦେଶ ହେଉଛନ୍ତି ଇଣ୍ଡୋନେସିଆର ପାମ ଅଏଲର ବଡ ଆମଦାନୀକାରୀ। ଇଣ୍ଡୋନେସିଆ ପାମ୍ ଅଏଲର ବୃହତ୍ତମ ଉତ୍ପାଦକ ଏବଂ ବିଶ୍ୱର ଅଧାରୁ ଅଧିକ ଚାହିଦା ମେଣ୍ଟାଇଥାଏ। ପଡୋଶୀ ମାଲେସିଆ ହେଉଛି ବିଶ୍ୱର ଦ୍ୱିତୀୟ ବୃହତ୍ତମ ପାମ୍ ଅଏଲ ଉତ୍ପାଦକ। ଭାରତ ଆବଶ୍ୟକତା ପ୍ରାୟ ୯୦ ପ୍ରତିଶତ ପାମ ଅଏଲ ଆମଦାନୀ କରିଥାଏ। ସେଥିରୁ ୯୦ ପ୍ରତିଶତ ରୋଷେଇରେ ବ୍ୟବହାର ହେଉଥିବା ବେଳେ ବଳକା ୧୦ ପ୍ରତିଶତ ପ୍ରଶାଧନ ସାମଗ୍ରୀ ବା ବ୍ୟୁଟି କେୟାର ତିଆରି କରାଯାଏ। ଗତ ୨୦ ବର୍ଷରେ ପାମ୍ ଅଏଲବ ବ୍ୟବହାର ୧୦ ଗୁଣ ବୃଦ୍ଧି ପାଇଛି। ଆମେରିକାର କୃଷି ବିଭାଗ ଅନୁଯାୟୀ ଚଳିତ ବର୍ଷ ପ୍ରାୟ ୭୭ ନିୟୁତ ମେଟ୍ରିକ୍ ଟନ୍ ଖଜୁରୀ ତେଲ ଉତ୍ପାଦନ ହେବ ବୋଲି ଆଶା କରାଯାଉଛି।
ଗତ ଦୁଇ ବର୍ଷ ହେଲା ପାମ୍ ଅଏଲ ଉତ୍ପାଦନ ହ୍ରାସ ପାଇଛି। କୋରୋନା ସଙ୍କଟ ଯୋଗୁ ଦକ୍ଷିଣ ପୂର୍ବ ଏସିଆରେ ବୃକ୍ଷରୋପଣ ପାଇଁ ପ୍ରବାସୀ ଶ୍ରମିକ ମିଳିଲେ ନାହିଁ। ଫଳରେ ତେଲ ଉତ୍ପାଦନ କମିଥିଲା। କେବଳ ପାମ ଅଏଲ ନୁହଁ ଅନ୍ୟାନ୍ୟ ଖାଇବା ତେଲର ରପ୍ତାନି ମଧ୍ୟ ହ୍ରାସ ପାଇଛି। ପ୍ରମୁଖ ସୋୟାବିନ୍ ତୈଳ ଉତ୍ପାଦନକାରୀ ଆର୍ଜେଣ୍ଟିନାରେ ପ୍ରକୃତି ଦାଉ ସାଧିଛି। ଖରାପ ପାଣିପାଗ ଯୋଗୁଁ ସେଠାରେ ଆଶାନୁରୂପକ ଫସଲ ଅମଳ ହୋଇନାହିଁ। ଅନ୍ୟପଟେ ୨୦୨୧ ମସିହାରେ ମରୁଡ଼ି ଯୋଗୁଁ କାନାଡାରେ ଫସଲ ନଷ୍ଟ ହୋଇଛି।
ଆସନ୍ତା ୨୮ ତାରିଖରୁ ଇଣ୍ଡୋନେସିଆ ପାମ୍ ଅଏଲ ରପ୍ତାନୀ ବନ୍ଦ କରିବ। ଯାହାର ପ୍ରଭାବ ଭାରତ ସମେତ ବିଶ୍ୱର ଅନେକ ଦେଶରେ ପଡିବ। ବର୍ତ୍ତମାନ ସମୟରେ ଭାରତରେ ପାମ୍ ଅଏଲର ପାଇକାରୀ ମୂଲ୍ୟ ପ୍ରାୟ ୧୫୦ ଟଙ୍କା ରହିଥିବା ବେଳେ ସୋୟାବିନ ତେଲ ୧୭୫ ଟଙ୍କା ରହିଛି। ସେହିପରି ଗୋଟିଏ ଲିଟର ସୋରିଷ ତେଲ ୨୦୦ରୁ ଅଧିକ ଦରରେ ବିକ୍ରି ହେଉଛି। ତେବେ ଆଗାମୀ ଦିନରେ ତେଲ ଦର ଆହୁରି ବଢିବ ବୋଲି ପୂର୍ବାନୁମାନ କରାଯାଉଛି।
