କୋର୍ଟରେ ବିସ୍ଫୋରଣ ମାମଲା : ଡିଆରଡିଓ ବୈଜ୍ଞାନିକ ଗିରଫ
ନୂଆଦିଲ୍ଲୀ : କିଛିଦିନ ତଳେ ଦିଲ୍ଲୀ ରୋହିଣୀ କୋର୍ଟରେ ଘଟିଥିବା ବିସ୍ଫୋରଣ ମାମଲାରେ ସମ୍ପୃକ୍ତି ଦର୍ଶାଇ ଡିଆରଡିଓର ଜଣେ ବୈଜ୍ଞାନିକଙ୍କୁ ଗିରଫ କଲା ପୁଲିସ। ସନ୍ଦେହରେ ପୁଲିସ ନ୍ୟାୟିକ ହେପାଜତରେ ରଖିଥିବା ବୈଜ୍ଞାନିକ ବିସ୍ଫୋରଣ ନେଇ ସ୍ବୀକାର କରିବା ପରେ ପୋଲିସ ତାଙ୍କୁ ଗିରଫ କରିଛି।
ଡିଫେନ୍ସ ରିସର୍ଚ୍ଚ ଆଣ୍ଡ ଡେଭଲ୍ପମେଣ୍ଟ ଅରଗାନାଇଜେସନ ଭରତ ଭୂଷଣ କତାରିଆ ନାମକ ଜଣେ ସିନିୟର ବୈଜ୍ଞାନିକଙ୍କୁ ଗିରଫ କରାଯାଇଥିବା ଜଣାପଡିଛି। ଜଣେ ଆଇନଜୀବୀଙ୍କୁ ମାରିବା ଉଦ୍ଦେଶ୍ୟରେ ଟିଫିନ ବୋମା ଖଞ୍ଜିବା ଅଭିଯୋଗରେ ଡିଆରଡିଓ ବୈଜ୍ଞାନିକଙ୍କୁ ଗିରଫ କରାଯାଇଛି। ଗତ ୯ ତାରିଖରେ ରୋହିଣୀ ଜିଲ୍ଲା କୋର୍ଟ ପରିସରରେ ଏହି ବିସ୍ଫୋରଣ ଘଟିଥିଲା । ଏଥିରେ ଜଣେ ପୋଲିସ କର୍ମୀ ଆହତ ହୋଇଥିଲେ। ସୂଚନାଯେ, ଅଭିଯୁକ୍ତ ବୈଜ୍ଞାନିକଙ୍କର ଜଣେ ଆଇନଜୀବୀଙ୍କ ସହ ବିବାଦ ଥିଲା। ତାଙ୍କୁ ହତ୍ୟା କରିବା ଉଦ୍ଦେଶ୍ୟରେ ବୈଜ୍ଞାନିକ ଜଣକ ନିଜେ ବିସ୍ଫୋରଣ ପ୍ରସ୍ତୁତ କରି କୋର୍ଟ ରୁମ୍ ନମ୍ବର ୧୦୨ରେ ରଖିଥିଲେ। ଏନେଇ ସମ୍ପୃକ୍ତ ବୈଜ୍ଞାନିକ ନିଜେ ପୋଲିସ ଆଗରେ ସ୍ବୀକାର କରିଛନ୍ତି। ଦିଲ୍ଲୀ ପୁଲିସ ଅଧିକ ତଦନ୍ତ ଜାରି ରଖିଛି।
