ବଳଙ୍ଗା ଥାନାରେ ବିସ୍ଫୋରଣ : ଫାଟିଲା କାନ୍ଥ, ଆସବାବପତ୍ର ନଷ୍ଟ
ନିମାପଡା : ପୁରୀ ଜିଲା ବଳଙ୍ଗା ଥାନାରେ ବିସ୍ଫୋରଣ । ସୋମବାର ବିଳମ୍ବିତ ରାତ୍ରରେ ଏହି ବିସ୍ଫୋରଣ ଘଟିଛି । ସେହି ସମୟରେ ଥାନାରେ କୌଣସି କର୍ମଚାରୀ ଉପସ୍ଥିତ ନଥିଲେ । କେବଳ ଥାନା ବାହାରେ ଜଣେ କନଷ୍ଟେବଳ ଡ୍ୟୁଟି କରୁଥିଲେ । ଏଥିରେ ଥାନାର କାନ୍ଥ ଫାଟି ଥିବାବେଳେ ଅନେକ ଆସବାବପତ୍ର ନଷ୍ଟ ହୋଇଥିବା ସୂଚନା ମିଳିଛି । ଏଥିରେ କେହି ଆହତ ହୋଇ ନ ଥିଲେ ମଧ୍ୟ ଆଖପାଖ ଗ୍ରାମବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି । ବିସ୍ଫୋରଣର କାରଣ ଜଣାପଡିନାହିଁ । ଘଟଣା ସ୍ଥଳରେ ପିପିଲି ଏସଡିପିଓଙ୍କ ସମେତ ପୁରୀ ଏସପି ପହଞ୍ଚିଥିଲେ ।
ସୂଚନା ଯେ, ସୋମବାର ରାତି ପ୍ରାୟ ୧୨ଟାରେ ବଳଙ୍ଗା ଥାନାରେ ବିସ୍ଫୋରଣ ଘଟିଥିଲା। ଏହି ବିସ୍ଫୋରଣରେ ଥାନାର ଛାତ ଭୁଷୁଡି ପଡ଼ିବା ସହ କାନ୍ଥ ଭାଙ୍ଗି ମାଟିରେ ମିଶିଯାଇଥିଲା। ବିସ୍ଫୋରଣ ଫଳରେ ସମଗ୍ର ଅଞ୍ଚଳ ଥରି ଉଠିଥିଲା। ଆଇଆଇସି ଅଫିସ ସମେତ ହାଜତ ମଧ୍ୟ ମାଟିରେ ମିଶିଛି। କେଉଁ କାରଣରୁ ବିସ୍ଫୋରଣ ହୋଇଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟି ହୋଇପାରିନାହିଁ। ଜବତ ହୋଇଥିବା ବିସ୍ଫୋରକ ଫୁଟି ଏହି ଅଘଟଣ ଘଟିଥିବା ଅନୁମାନ କରାଯାଉଛି। ଖବର ପାଇ ପୁରୀ ଏସଡିପିଓ ଘଟଣାସ୍ଥଳରେ ପହଞ୍ଚି ତଦାରଖ କରୁଛନ୍ତି। ତଦନ୍ତ ପରେ ବିସ୍ଫୋରଣର କାରଣ ସ୍ପଷ୍ଟ ହେବ ବୋଲି ଏସଡିପିଓ ସୂଚନା ଦେଇଛନ୍ତି। ବଳଙ୍ଗା ଥାନା ଅଧିକାରୀ ରଶ୍ମିରଞ୍ଜନ ପୃଷ୍ଟି କହିଛନ୍ତି, ମାଲଖାନାରେ ଥିବା ବ୍ୟାଟେରିଗୁଡ଼ିକର ସର୍ଟସର୍କିଟରୁ ଏହି ବିସ୍ଫୋରଣ ଘଟିଥିଲା।
