ମହଙ୍ଗା ପଡ଼ିଲା ଚାପୁଡା ମାଡ଼: ଓସ୍କାରରୁ ୧୦ ବର୍ଷ ବାସନ୍ଦ ହେଲେ ୱିଲ ସ୍ମିଥ
ଲସ୍ ଆଞ୍ଜେଲେସ୍ : ହଲିଉଡ ଅଭିନେତା ୱିଲ ସ୍ମିଥଙ୍କୁ ଆସନ୍ତା ୧୦ ବର୍ଷ ପାଇଁ ‘ଏକାଡେମୀ ଅଫ୍ ମୋସନ ପିକ୍ଚର୍ସ ଆର୍ଟ୍ସ ଆଣ୍ଡ ସାଇସେନ୍ସ (ଓସ୍କାର)’ରୁ ବାସନ୍ଦ କରାଯାଇଛି। ନିକଟରେ ଓସ୍କାର ପୁରସ୍କାର ଉତ୍ସବରେ ସ୍ମିଥ୍ ହାସ୍ୟ ଅଭିନେତା କ୍ରିସ୍ ରକଙ୍କୁ ଚାପୁଡ଼ା ମାରିବା ପରେ ତାଙ୍କ ଉପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସ୍ମିଥ୍ ଆଗାମୀ ୧୦ ବର୍ଷ ପାଇଁ ମୋସନ୍ ପିକ୍ଚର୍ସ ଆର୍ଟ ଆଣ୍ଡ ସାଇନ୍ସ ଏକାଡେମୀର କୌଣସି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିପାରିବେ ନାହିଁ । ଏହି ସୂଚନା ଏକାଡେମୀର ଚିଠିରେ ଦିଆଯାଇଛି | ତେବେ ‘କିଙ୍ଗ ରିଚାର୍ଡ’ ପାଇଁ ତାଙ୍କୁ ଦିଆଯାଇଥିବା ଶ୍ରେଷ୍ଠ ଅଭିନେତା ପୁରସ୍କାର ପ୍ରତ୍ୟାହାର କରାଯିବ ନା ଭବିଷ୍ୟତରେ ତାଙ୍କୁ ଓସ୍କାର ପାଇଁ ମନୋନୀତ କରାଯିବ ତାହା ସ୍ପଷ୍ଟ ହୋଇନାହିଁ।
ଏକାଡେମୀ ମୁଖ୍ୟ ଲେଖିଛନ୍ତି ଯେ, ୮ ଏପ୍ରିଲ୍ ୨୦୨୨ ଠାରୁ ୧୦ ବର୍ଷ ପର୍ଯ୍ୟନ୍ତ ୱିଲ ସ୍ମିଥଙ୍କୁ କୌଣସି ଏକାଡେମୀ ଇଭେଣ୍ଟ କିମ୍ବା କାର୍ଯ୍ୟକ୍ରମରେ ଯୋଗଦେବାକୁ ଅନୁମତି ଦିଆଯିବ ନାହିଁ। ଏହା ଉଭୟ ବ୍ୟକ୍ତିଗତ ଓ ଭର୍ଚ୍ଚୁଆଲ କାର୍ଯ୍ୟକ୍ରମ ପାଇଁ ଲାଗୁ ହେବ। ଏହି ୫୩ ବର୍ଷିୟ ଅଭିନେତାଙ୍କ ଭାଗ୍ୟ ନିର୍ଦ୍ଧାର କରିବାକୁ ବସିଥିବା ବୈଠକରେ ଏକାଡେମି ବୋର୍ଡ ସଦସ୍ୟ ଷ୍ଟିଭେନ୍ ସ୍ପିଲବର୍ଗ ଏବଂ ହ୍ୱୋପି ଗୋଲଡବର୍ଗ ଉପସ୍ଥିତ ଥିଲେ। ହଲିଉଡର ଏହି ଶ୍ରେଷ୍ଠ ସଂସ୍ଥାରୁ ସ୍ମିଥଙ୍କୁ ନିଲମ୍ବନ କିମ୍ବା ବିହାଷ୍କାର କରିବା ନେଇ ଆଲୋଚନା ହୋଇଥିଲା। କିନ୍ତୁ ପ୍ରାଥମିକ ପର୍ଯ୍ୟାୟରେ ତାଙ୍କୁ ବୋର୍ଡ ସଦସ୍ୟ ପଦରୁ ହଟାଇବାକୁ ନିଷ୍ପତ୍ତି ନିଆଯାଇଥିଲା। ୱିଲ୍ ସ୍ମିଥ୍ ଏକାଡେମୀ ପୁରସ୍କାରରୁ ତାଙ୍କ ଉପରେ ଲାଗିଥିବା ଦଶ ବର୍ଷର ପ୍ରତିବନ୍ଧକକୁ ଗ୍ରହଣ କରିଛନ୍ତି। ଏହା ସହ ଆଗାମୀ ଦିନରେ ବୋର୍ଡ ଯାହା ନିଷ୍ପତ୍ତି ନେବ, ସେ ତାହାକୁ ସମ୍ମାନ ଜଣାଇବେବୋଲି ମଧ୍ୟ କହିଛନ୍ତି। ଗତ ମାସ ୨୭ ତାରିଖରେ ଓସ୍କାର ପୁରସ୍କାର ବିତରଣ ସମାରୋହରେ ହାସ୍ୟ ଅଭିନେତା କ୍ରିସ୍ ରକ୍ ଷ୍ଟେଜ୍ ଉପରେ ୱିଲ୍ ସ୍ମିଥଙ୍କ ରୋଗିଣୀ ପତ୍ନୀଙ୍କୁ ନେଇ କୌତୁହଳ ବା ଥଟ୍ଟା କରିଥିଲେ। ଯାହାକୁ ନେଇ ସ୍ମିଥ ରାଗିଯାଇଥିଲେ ଓ କ୍ରିସଙ୍କୁ ସମସ୍ତଙ୍କ ଆଗରେ ଶକ୍ତ ଚାପୁଡା ମାରିଥିଲେ। ଆଉ ଏହାର ୨୪ ଘଣ୍ଟା ପରେ ସୋସିଆଲ ମିଡିଆରେ ଏକ ଲମ୍ବା ପୋଷ୍ଟ ଲେଖି ନିଜର ଚରମ ପଦକ୍ଷେପର ସଫେଇ ଦେଇଥିଲେ।
