ବିଦେଶୀ ପକ୍ଷୀ, କାଉ ଓ କୁକୁଡ଼ା ମଡ଼କ ଆତଙ୍କ : ବାର୍ଡ ଫ୍ଲୁ ଆଶଙ୍କାକୁ ନେଇ ଚିନ୍ତାରେ ପୁରୀବାସୀ
ପୁରୀ : ପୁରୀ ଜିଲାରେ ବାର୍ଡ ଫ୍ଲୁ ଆତଙ୍କ । କୃଷ୍ଣ ପ୍ରସାଦ ବ୍ଳକରେ ବିଦେଶୀ ପକ୍ଷୀ, କାଉ ଓ କୁକୁଡ଼ା ମଡ଼କକୁ ନେଇ ଭୟ ଏବେ ସୃଷ୍ଟି ହୋଇଛି ଭୟର ବାତାବରଣ । ଲଗାତାର ୩ ଦିନ ଧରି କାଉ ଓ କୁକୁଡ଼ା ମଡ଼କକୁ ନେଇ ଏବେ କୁକୁଡା ବେପାରୀ ବାର୍ଡ଼ ଫ୍ଲୁ ବ୍ୟାପୁଥିବା ଆଶଙ୍କା କରିଛନ୍ତି । ପକ୍ଷୀ ଅଭୟାରଣ୍ୟ ଚିଲିକା ନଳବଣ କାଉ ମୃତ୍ୟୁ ସ୍ଥାନ ଠାରୁ ମାତ୍ର ୧୦ରୁ ୧୨ କିଲୋମିଟର ହୋଇଥିବାରୁ ବନ ବିଭାଗର ନିଦ ହଜିଯାଇଛି । ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ବ୍ଲକର ନୂଆପଡ଼ା ନଟା ଗ୍ରାମରେ କାଉ ଓ କୁକୁଡ଼ା ମଡ଼କ ଦେଖିବାକୁ ମିଳିଥିବା ବେଳେ ପାଖରେ ଥିବା ଚିଲିକା ନଳବଣରେ ବିଦେଶାଗତ ପକ୍ଷୀଙ୍କୁ ବାର୍ଡ ଫ୍ଲ୍ୟୁ ସଂକ୍ରମଣ ହୋଇଥିବା ଆଶଙ୍କା ବନ ବିଭାଗର ଓ ପ୍ରାଣୀ ଚିକିତ୍ସକମାନଙ୍କ ଚିନ୍ତା ବଢାଇଦେଇଛି ।
ହେଲେ ଏ ପର୍ଯ୍ୟନ୍ତ ବାର୍ଡ଼ ଫ୍ଲୁ ରିପୋର୍ଟ ଆସି ନଥିବା ବେଳେ ଯଦି ଆସେ ୨୦୧୮ ଭଳି ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ପୁରୀ ଜିଲ୍ଲାପାଳ । କୃଷ୍ଣପ୍ରସାଦ ଅଞ୍ଚଳରେ ଦୈନିକ ୪୦ରୁ ୫୦ଟି କାଉ ମଡକ ହେଉଥିବା ବେଳେ ୨୦ରୁ ଅଧିକ କୁକୁଡ଼ାଙ୍କ ମୃତ୍ୟୁ ହେଉଛି । ବିଶେଷ କରି ଏହି ବ୍ଳକର ଚିଲିକା ନୂଆପଡ଼ା ନଟା ସାହିରେ କାଉ ମଡ଼କ ଦେଖିବାକୁ ମିଳିଛି । ଦୀର୍ଘ ଚାରି ଦିନ ହେବ ଚିଲିକା ନୂଆପଡ଼ାରେ ୩୦ରୁ ୪୦ଟି କାଉ ମରି ପଡିଥିବା ଦେଖିବାକୁ ମିଳିଛି । ଏନେଇ ଖବର ପାଇ କାଉ ମରିପଡିଥିବା ସ୍ଥାନରେ ଚିଲିକା ନୂଆପଡା ରେଞ୍ଜର ବନ କର୍ମଚାରୀମାନେ ପହଞ୍ଚି ସାତଟି ମୃତ କାଉକୁ ଜବତ କରିଥିଲେ ଓ ସେଗୁଡ଼ିକୁ ପ୍ରାଣୀ ଚିକିତ୍ସା କେନ୍ଦ୍ରକୁ ପଠାଇଥିଲେ ।
ମୃତ କାଉଗୁଡ଼ିକର ସ୍ୱାବ୍ ସଂଗ୍ରହ କରାଯାଇଛି । ସେଗୁଡ଼ିକର ପରୀକ୍ଷା କରାଯିବା ପରେ କାଉ ମଡ଼କର କାରଣ ଜଣାପଡ଼ିବ। ତେବେ ଗତ ୨୦୧୮ ମସିହାରେ ସିଆଳ ପଞ୍ଚାୟତର ସିଆଳ ଗାଁ ପାଖ ଜଙ୍ଗଲରେ ପ୍ରଥମେ ବାର୍ଡ଼ ଫ୍ଲୁ ଚିହ୍ନଟ କରାଯାଇଥିଲା । ଏବେ କୃଷ୍ଣପ୍ରସାଦ ବ୍ଳକର ଚିଲିକା ନୂଆପଡା ଗାଁରୁ କାଉ ମଡ଼କ ଖବର ଆସିବା ପରେ ବାର୍ଡ଼ ଫ୍ଲୁ ବ୍ୟାପିଥିବା ଲୋକେ ସନ୍ଦେହ କରୁଛନ୍ତି । ତେବେ ବାର୍ଡ଼ ର୍ଫ୍ଲ୍ୟୁ ଆଶଙ୍କାକୁ ନେଇ ପ୍ରାଣୀ ବିଭାଗ ପ୍ରସ୍ତୁତ ରହିଛି ଓ ପରୀକ୍ଷା ରିପୋର୍ଟକୁ ଅପେକ୍ଷା କରାଯାଉଛି । ତେବେ ଏହାକୁ ନେଇ ଲୋକଙ୍କୁ ଭୟଭୀତ ନ ହେବା ପାଇଁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି ।
