ସ୍କୁଲ୍ ଠାରୁ ୧୨୦ କିଲୋମିଟର ଦୂରରେ ପରୀକ୍ଷା କେନ୍ଦ୍ର, ଛାତ୍ରଛାତ୍ରୀ ଓ ଅଭିଭାବକ ମହଲରେ ଅସନ୍ତୋଷ
ବଡ଼ସାହି : ମୟୂରଭଞ୍ଜ ଜିଲା ବଡ଼ସାହି ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀ ଦଶମ ବୋର୍ଡ ପରୀକ୍ଷା ଦେବାକୁ ୧୨୦ କିଲୋମିଟର ଦୂର ରାଇରଙ୍ଗପୁର ଯିବେ। ଏହାକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।
ବିଦ୍ୟାଳୟର ୬୫ ଜଣ ଛାତ୍ରଛାତ୍ରୀ ଚଳିତବର୍ଷ ସିବିଏସ୍ଇ ଦଶମ ବୋର୍ଡ ପରୀକ୍ଷା ଦେବେ। ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ହେଲେ ରାଇରଙ୍ଗପୁରରେ ପରୀକ୍ଷା କେନ୍ଦ୍ର କରାଯାଇଛି। ଯାହାକି ସ୍କୁଲ୍ ଠାରୁ ୧୨୦ କି.ମି. ଦୂର। ଏ ସମ୍ପର୍କରେ ଜାଣିବା ପରେ ଅଭିଭାବକମାନେ ସ୍କୁଲ ପ୍ରିନ୍ସିପାଲଙ୍କୁ ଭେଟିଥିଲେ। ମାତ୍ର କୌଣସି ସମାଧାନର ବାଟ ନ ବାହାରିବାରୁ ମୟୂରଭଞ୍ଜ ଜିଲ୍ଲାପାଳଙ୍କୁ ଭେଟି ଏନେଇ ଲିଖିତ ଅଭିଯୋଗ ଜଣାଇଛନ୍ତି। ସରକାରୀ ନିୟମ ଅନୁସାରେ, ଆଖପାଖ ଅଞ୍ଚଳରେ ପରୀକ୍ଷା କେନ୍ଦ୍ର ବ୍ୟତୀତ ନିଜ ବିଦ୍ୟାଳୟରେ ମଧ୍ୟ ପରୀକ୍ଷା କେନ୍ଦ୍ର ହୋଇପାରିବ। ତେବେ ବିଦ୍ୟାଳୟରେ ଅନେକ ଗରିବ ଛାତ୍ରଛାତ୍ରୀ ଥିବାବେଳେ ଏତେ ଦୂର ରାସ୍ତା ଯାଇ କିଭଳି ପରୀକ୍ଷା ଦେବେ ସେ ନେଇ ଅଭିଭାବକ ପ୍ରଶ୍ନ କରିଛନ୍ତି।
