ଓମିକ୍ରନ୍ ବିପକ୍ଷରେ ଫଳପ୍ରଦ ହୋଇପାରେ ‘ଇଭୁସେଲ୍ଡ’ : ଗବେଷଣା
ନୂଆଦିଲ୍ଲୀ: କରୋନାର ନୂଆ ଭାରିଆଣ୍ଟ ‘ଓମିକ୍ରନ୍’କୁ ନିଷ୍କ୍ରିୟ କରିବାରେ ରୋଗ ପ୍ରତିରୋଧକ ସମ୍ମିଶ୍ରଣ ‘ଇଭୁସେଲ୍ଡ’ ଫଳପ୍ରଦ ହେଉଥିବା ନେଇ ପ୍ରାକ୍-ନୈଦାନିକ ପରୀକ୍ଷାରୁ ଜଣାପଡ଼ିଛି । ଏନେଇ ଔଷଧ କମ୍ପାନି ‘ଆଷ୍ଟ୍ରାଜେନିକା’ ପକ୍ଷରୁ ସୂଚନା ମିଳିଛି । ମୁଖ୍ୟତଃ କର୍କଟ ରୋଗ ଏବଂ ରୋଗପ୍ରତିରୋଧକ ଶକ୍ତି ଦବି ଯାଇଥିବା ବ୍ୟକ୍ତିମାନଙ୍କ କ୍ଷେତ୍ରରେ ଏହାକୁ ବ୍ୟବହାର କରାଯାଏ ।
ଗବେଷଣାର ସଦ୍ୟତମ ଫଳାଫଳ ସଂକ୍ରାନ୍ତ ମନ୍ତବ୍ୟ ସେୟାର୍ କରି କମ୍ପାନିର କାର୍ଯ୍ୟନିର୍ବାହୀ ଉପାଧ୍ୟକ୍ଷ ମିନି ପାଙ୍ଗାଲସ୍ କହିଛନ୍ତି ଯେ, ଦୁଇଟି ରୋଗ ପ୍ରତିରୋଧ ମିଶ୍ରଣ ଭୂତାଣୁ ବିପକ୍ଷରେ ଭଲ କାମ ଦେଉଛି । କୋଭିଡ୍ ଚିକିତ୍ସାରେ ପ୍ରୟୋଗ ନିମନ୍ତେ ଅନ୍ୟ ଦେଶରେ ମଧ୍ୟ ‘ଇଭୁସେଲ୍ଡ’କୁ ସ୍ୱୀକୃତି ମିଳିଛି ବୋଲି ‘ଆଷ୍ଟ୍ରାଜେନିକା’ କହିଛି । ‘ଇଭୁସେଲ’ (ଟିକ୍ସାଜିଭିମ୍ୟାବ ଓ ସିଲଗାଭିମ୍ୟାବର ମିଶ୍ରଣ) ହେଉଛି ଦୀର୍ଘ ଦିନ ଧରି କାର୍ଯ୍ୟ କରୁଥିବା କୋଭିଡ୍ ପ୍ରତିହତକାରୀ ରୋଗ ପ୍ରତିରୋଧକର ସମ୍ମିଶ୍ରଣ ।
