ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା – ଓକିଲମାନଙ୍କ ଆନ୍ଦୋଳନ ସ୍ଥଗିତ
ଭୁବନେଶ୍ୱର : ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଂଚ ପ୍ରତିଷ୍ଠା ଦାବିରେ ହୋଇଥିବା ଓକିଲଙ୍କ ଧର୍ମଘଟକୁ ଆଜି ସନ୍ଧ୍ୟାରେ ସ୍ଥଗିତ ରଖାଯାଇଛି । ପଶ୍ଚିମ ଓଡ଼ିଶାର ସମସ୍ତ ବାର ଆସୋସିଏସନ୍ କୁ ନେଇ ଗଠିତ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ସମ୍ମାନ ଜଣାଇ ଏହି ନିଷ୍ପତି ନିଆଯାଇଥିବା ନେଇ ସମ୍ବଲପୁର ଜିଲ୍ଲା ବାର୍ ଆସୋସିଏସନ୍ ର ସଂପାଦକ ବିଜିତେନ୍ଦ୍ରୀୟ ପ୍ରଧାନ ଓ ସୁନ୍ଦରଗଡ଼ ଜିଲ୍ଲା ବାର୍ ଆସୋସିଏସନ୍ ର ଆବାହକ ଅଶୋକ କୁମାର ଦାଶ ଏହି ସୂଚନା ଦେଇଛନ୍ତି ।
କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି କହିଛି ପଶ୍ଚିମ ଓଡ଼ିଶାରେ ଓଡ଼ିଶା ହାଇକୋର୍ଟର ସ୍ଥାୟୀ ବେଂଚ ପ୍ରତିଷ୍ଠା ହେବା ନେଇ କମିଟି ଆଶାବାଦୀ ଅଛି । ଏ ଦିଗରେ ରାଜ୍ୟ ସରକାର, କେନ୍ଦ୍ର ସରକାର ଓ ସମସ୍ତ ସାମ୍ବିଧାନିକ ସଂସ୍ଥାଠାରୁ ସହଯୋଗ ମିଳିବ ବୋଲି ଆଶା ପ୍ରକାଶ ପାଇଛି । ସେହିପରି କମିଟି ଆନ୍ଦୋଳନ ସ୍ଥଗିତ ରଖିବା ସହିତ ସୁପ୍ରିମକୋର୍ଟଙ୍କ ଉପରେ ପୂର୍ଣ୍ଣ ଆସ୍ଥା ପ୍ରକଟ କରିଛି । ଏ ନେଇ କମିଟି କେନ୍ଦ୍ର, ରାଜ୍ୟ ସରକାର ଓ ହାଇକୋର୍ଟଙ୍କ ଉପରେ ମଧ୍ୟ ଭରସା ରଖିଛି । ସୂଚନାଯୋଗ୍ୟ ସମ୍ବଲପୁରରେ ଆଇନ୍ଜୀବୀଙ୍କ ଆନ୍ଦୋଳନ ସୋମବାର ହିଂସାତ୍ମକ ରୂପ ନେଇଥିଲା । ଆଇନଜୀବୀମାନେ କୋର୍ଟ ପରିସରରେ ପଶି ଭଙ୍ଗାରୁଜା କରିବା ସହ ଜିଲ୍ଲା ଜଜଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିଥିଲେ । ଏହା ସୁପ୍ରିମକୋର୍ଟଙ୍କୁ କ୍ଷୁବ୍ଧ କରିଥିଲା । ଆନ୍ଦୋଳନରତ ଓକିଲଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । ଏ ନେଇ ଓଡ଼ିଶା ପୁଲିସକୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା ପରେ ସମ୍ବଲପୁର ପୁଲିସ କାର୍ଯ୍ୟାନୁଷ୍ଠାନ ନେଇଥିଲା । ସମ୍ବଲପୁର କୋର୍ଟ ପରିସର ପୁଲିସ ଛାଉଣୀରେ ପରିଣତ ହୋଇଥିଲା । ଆଜି ପର୍ଯ୍ୟନ୍ତ ୧୭ ଜଣ ଆଇନଜୀବୀ ଗିରଫ ହୋଇଥିଲେ । କୋର୍ଟ ଅଂଚଳରେ ୧୪୪ ଧାରା ଲାଗୁ କରାଯାଇଥିବାବେଳେ ୨୧ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଥିଲେ ।
