ଭାରତ ପାଇଁ ଆମେରିକାର ନୂଆ ରାଷ୍ଟ୍ରଦୂତ ଏରିକ୍ ଗାର୍ସେଟି
ନୂଆଦିଲ୍ଲୀ : ଭାରତ ପାଇଁ ଆମେରିକାର ନୂଆ ରାଷ୍ଟ୍ରଦୂତ ଭାବେ ନିଯୁକ୍ତ ହେଲେ ଏରିକ୍ ଗାର୍ସେଟି। ଆମେରିକା ଉପରାଷ୍ଟ୍ରପତି କମଳା ହାରିସ୍, ଲସ୍ ଏଞ୍ଜେଲ୍ସର ପୂର୍ବତନ ମେୟର ଏରିକ୍ ଗାର୍ସେଟିଙ୍କୁ ଔପଚାରିକ ଶପଥ ପାଠ କରାଇଛନ୍ତି।
ଦୁଇ ବର୍ଷ ହେବ ଖାଲି ପଡ଼ିଥିବା ଏହି ଗୁରୁତ୍ବପୂର୍ଣ୍ଣ କୂଟନୈତିକ ପଦବୀ ପୂରଣ କରିବା ପାଇଁ ଚଳିତ ମାସ ପ୍ରାରମ୍ଭରେ ଆମେରିକୀୟ ସିନେଟ୍ ଗାର୍ସେଟିଙ୍କ ପ୍ରାର୍ଥିତ୍ବକୁ ଅନୁମୋଦନ କରିଥିଲା । ଶପଥ ଗ୍ରହଣ ପାଇଁ ଆୟୋଜିତ ଉତ୍ସବରେ ଗାର୍ସେଟିଙ୍କ ଝିଅ ମାୟା ଇହୁଦୀ ଭାଷାର ବାଇବେଲ୍ ଧରିଥିଲେ। ଏହାଛଡ଼ା, ପତ୍ନୀ ଆମି ୱେକ୍ ଲାଣ୍ଡ୍ , ପିତା ଗିଲ୍ ଗାର୍ସେଟି, ମାତା ସୁକି ଗାର୍ସେଟି ସମତେ ଗାର୍ସେଟିଙ୍କ ପରିବାରର ଅନ୍ୟ ସଦସ୍ୟ ଏହି ଶପଥ ଗ୍ରହଣ ଉତ୍ସବରେ ଉପସ୍ଥିତ ଥିଲେ।
ସୂଚନା ଯେ, ଗତ ଦୁଇବର୍ଷ ହେବ ଭାରତରେ ଆମେରିକାର କୌଣସି ରାଷ୍ଟ୍ରଦୂତ ନ ଥିଲେ। ଗୁରୁତ୍ବପୂର୍ଣ୍ଣ ପଦବୀ ଖାଲି ପଡ଼ିଥିବାରୁ, ବାଇଡେନ୍ ପ୍ରଶାସନ ଦିଲ୍ଲୀସ୍ଥିତ ଆମେରିକା ଦୂତାବାସରେ ଉପରାଷ୍ଟ୍ରଦୂତ ଏଲିଜାବେଥ୍ ଜୋନ୍ ସ୍ ଙ୍କୁ କାମଚଳା ରାଷ୍ଟ୍ରଦୂତ ଭାବେ ନିଯୁକ୍ତି ଦେଇଥିଲା। ଚଳିତ ବର୍ଷ ଜାନୁଆରୀରେ ରାଷ୍ଟ୍ରପତି ବାଇଡେନ୍ ଏହି ପଦବୀ ପାଇଁ ୫୨ ବର୍ଷିୟ ଏରିକ୍ ଙ୍କୁ ପୁନଃମନୋନୀତ କରିଥିଲେ।
