ରାଜ୍ୟସଭାରେ ‘ସମାନ ନାଗରିକ ସଂହିତା’ ଅଧିକାର ବଧେୟକ ପାରିତ
ନୂଆଦିଲ୍ଲୀ: ରାଜ୍ୟସଭାରେ ‘ସମାନ ନାଗରିକ ସଂହିତା’ ଅଧିକାର ବଧେୟକ ପାରିତ ହୋଇଯାଇଛି । ବିଜେପି ସାଂସଦ କିରୋଡୀଲାଲ ମୀଣା ବିଧେୟକ ଆଗତ କରିଥିଲେ । ସଦନରେ ବିରୋଧୀଙ୍କ ହଟ୍ଟୋଗଳ କରିଥିଲେ ମଧ୍ୟ ଏହାର କୌଣସି ପ୍ରଭାବ ପଡ଼ି ନଥିଲା । ବିଧେୟକକୁ ରୋକିବା ପାଇଁ ବିରୋଧୀଙ୍କ ଦାବୀକୁ ରାଜ୍ୟସଭା ସଭାପତି ଜଗଦୀପ ଧନଖଡ଼ ଖାରଜ କରି ଦେଇଥିଲେ । ପରେ ୨୩ ମୁକାବିଲାରେ ୬୩ ମତ ବଳରେ ଏହାକୁ ପାରିତ କରାଯାଇଥିଲା ।
ସମାନ ନାଗରିକ ସଂହିତା ସହ ଜଡିତ ଏକ ପ୍ରାଇଭେଟ୍ ମେମ୍ବର୍ସ ବିଲ୍ ଶୁକ୍ରବାର ରାଜ୍ୟସଭାରେ ଆଗତ କରାଯାଇଛି । ବିଜେପି ସାଂସଦ କିରୋଡୀ ଲାଲ ମୀନା ଏହି ବିଲ୍ ଉପସ୍ଥାପନ କରିଥିଲେ। ଗୃହରେ ଏହି ବିଲ୍ ଉପସ୍ଥାପନ କରିବା ସପକ୍ଷରେ ୭୩ ଓ ବିରୋଧରେ ୨୩ଟି ଭୋଟ୍ ପଡ଼ିଥିଲା । ଦେଶରେ ସମାନ ନାଗରିକ ସଂହିତା ଲାଗୁ କରିବା ପାଇଁ ଏକ ଜାତୀୟ ଯାଞ୍ଚ ଏବଂ ଅନୁସନ୍ଧାନ ଆୟୋଗ ଗଠନ କରିବାକୁ ଏହି ବିଲରେ ଦାବି କରାଯାଇଛି । କଂଗ୍ରେସ, ସମାଜବାଦୀ ପାର୍ଟି, ରାଷ୍ଟ୍ରୀୟ ଜନତା ଦଳ, ଡିଏମକେ ଏବଂ ସବୁ ବିରୋଧୀ ଦଳ ଏହି ବିଲକୁ ତୀବ୍ର ବିରୋଧ କରିଥିଲେ। ଗୃହରେ ଏହି ବିଲ୍ ଉପସ୍ଥାପନକୁ ବିରୋଧ କରି ସମାଜବାଦୀ ପାର୍ଟି ସାଂସଦ ରାମ ଗୋପାଳ ଯାଦବ କହିଛନ୍ତି ଯେ ମୁସଲମାନମାନେ ନିଜ ସମ୍ପର୍କୀୟଙ୍କୁ ବିବାହ କରିବା ପ୍ରଥା ରହିଥିବା ବେଳେ ହିନ୍ଦୁମାନେ ଏପରି କରିପାରିବେ ନାହିଁ । ସବୁ ଧର୍ମରେ ଭିନ୍ନ ଭିନ୍ନ ପରମ୍ପରା ଓ ରୀତିନୀତି ରହିଛି।
ରାଜ୍ୟସଭାରେ ହୋଇଥିବା ହଟ୍ଟଗୋଳ ଉପରେ କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲ କହିଥିଲେ ଯେ ବିଲ୍ ଆଗତ କରିବା ଏବଂ ନିଜ ଅଞ୍ଚଳର ପ୍ରସଙ୍ଗ ଉଠାଇବାକୁ ଯେ କୌଣସି ସଦସ୍ୟଙ୍କର ଅଧିକାର ଅଛି। ଏଥିପାଇଁ ରାଜ୍ୟସଭାରେ ଏକ ବିତର୍କ ହେବା ଉଚିତ୍। ସରକାରଙ୍କୁ ଆକ୍ରମଣ କରିବା ଏବଂ ବିଲକୁ ସମାଲୋଚନା କରିବା ଠିକ୍ ନୁହେଁ। ଅନ୍ୟପକ୍ଷରେ ସିପିଆଇ (ଏମ୍) ସାଂସଦ ଜନ୍ ବ୍ରିଟାସ୍ ଆଇନ କମିଶନ ରିପୋର୍ଟକୁ ଦର୍ଶାଇ କହିଥିଲେ ଯେ ଦେଶରେ ସମାନ ନାଗରିକ ସଂହିତାର କୌଣସି ଆବଶ୍ୟକତା ନାହିଁ। ଗୁଜରାଟ ନିର୍ବାଚନ ପାଇଁ ବିଜେପି ଏହାର ଘୋଷଣାପତ୍ରରେ ସମାନ ନାଗରିକ ସଂହିତା ଲାଗୁ କରିବା ବିଷୟରେ କହିଥିଲା। ନିର୍ବାଚନ ଫଳାଫଳ ଘୋଷଣାର ଦିନକ ପରେ ରାଜ୍ୟସଭାରେ ଏହି ବିଲ୍ ଆଗତ କରାଯାଇଛି । ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ମଧ୍ୟ ବିଜେପି ଏହାର ଘୋଷଣାପତ୍ରରେ ସମାନ ନାଗରିକ ସଂହିତା କଥା କହିଥିଲା।
