ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାରର ପ୍ରସ୍ତାବିତ ଇସ୍ପାତ କାରଖାନାର ସଂପ୍ରସାରଣ ପ୍ରକଳ୍ପ ପାଇଁ ପରିବେଶୀୟ ମଞ୍ଜୁରୀ ଜନଶୁଣାଣୀ ସଫଳତାର ସହ ସମ୍ପନ୍ନ
• ପ୍ରସ୍ତାବିତ ସଂପ୍ରସାରଣ ପାଇଁ ସମସ୍ତ ଗ୍ରାମବାସୀଙ୍କ ସମର୍ଥନ
• ଏହି ପ୍ରସ୍ତାବିତ ପ୍ରକଳ୍ପ ସଂପୂର୍ଣ୍ଣ ହେବା ପରେ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାରର ଏହି ଇସ୍ପାତ କାରଖାନାର କ୍ଷମତା ବାର୍ଷିକ ୨୫.୨ ନିୟୁତ ଟନ ହେବ, ଯାହା ବିଶ୍ଵର ସର୍ବବୃହତ୍ତ ଇସ୍ପାତ କାରଖାନା ହେବ
ଅନୁଗୁଳ : ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାରର ପ୍ରସ୍ତାବିତ ୧୯.୨ ଏମଟିପିଏ ଇସ୍ପାତ କାରଖାନା ଏବଂ ଏହି ପ୍ରକଳ୍ପ ଅଧୀନରେ ଅନ୍ୟାନ୍ୟ ଆନୁଷଙ୍ଗିକ କାରଖାନା ନିମନ୍ତେ ପରିବେଶୀୟ ମଞ୍ଜୁରୀ ପାଇଁ ଜନଶୁଣାଣି ଆଜି ଅନୁଗୁଳସ୍ଥିତ ସଭାଘର ଠାରେ ସଫଳତା ପୂର୍ବକ ସମ୍ପନ୍ନ ହୋଇଛି । ଅନୁଗୁଳର ଏଡିଏମ ଶ୍ରୀ ରଜନୀକାନ୍ତ ସ୍ଵାଇଁଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଏହି ଜନ ଜନଶୁଣାଣି କାର୍ଯ୍ୟକ୍ରମରେ ପ୍ରସ୍ତାବିତ ପ୍ରକଳ୍ପ ପ୍ରଭାବିତ ବିଭିନ୍ନ ଗ୍ରାମବାସୀ ଅଂଶଗ୍ରହଣ କରି ଜିନ୍ଦଲ ଷ୍ଟିଲ ଓଡିଶାର ଏହି ପ୍ରକଳ୍ପକୁ ବିପୁଲ ସମ୍ମର୍ଥନ ଜଣାଇବା ସହିତ ବିଭିନ୍ନ ଦାବୀ ଉପସ୍ଥାପନ କରିଥିଲେ । ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ଡ. ଅନୁପ ମଲ୍ଲିକ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ । ସଏହି ପ୍ରସ୍ତାବିତ ପ୍ରକଳ୍ପ ସଂପୂର୍ଣ୍ଣ ହେବା ପରେ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାରର ଏହି ଇସ୍ପାତ କାରଖାନାର କ୍ଷମତା ବାର୍ଷିକ ୨୫.୨ ନିୟୁତ ଟନ ହେବ, ଯାହା ବିଶ୍ଵର ସର୍ବବୃହତ୍ତ ଇସ୍ପାତ କାରଖାନା ହେବ । କାର୍ଯ୍ୟକ୍ରମ ଆରମ୍ଭରେ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାରର ପରିବେଶ ବିଭାଗ ମୁଖ୍ୟ ଶ୍ରୀ ଆଲୋକ ସାହୁ ଏହି ପ୍ରକଳ୍ପରେ ପରିବେଶ ସୁରକ୍ଷା ପାଇଁ ପ୍ରସ୍ତାବିତ ବିଭିନ୍ନ ପଦକ୍ଷେପ ସମ୍ବନ୍ଧରେ ସବିଶେଷ ସୂଚନା ଦେଇଥିଲେ । ଏହି ପ୍ରକଳ୍ପରେ କମ୍ପାନୀ ପକ୍ଷରୁ ଅନୁଗୁଳରେ ୧,୧୯,୯୫୨ କୋଟିର ପୁଞ୍ଜିନିବେଶ କରାଯିବ ଏବଂ ଏହାଦ୍ବାରା ୯,୪୦୦ରୁ ଅଧିକ ପ୍ରତ୍ଯକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟିହେବ, ଯେଉଁଥିରେ ସ୍ଥାନୀୟ ଅଞ୍ଚଳର ଅର୍ଦ୍ଧ-କୁଶଳୀ ଏବଂ ସ୍ଥାନୀୟ ତଥା ବାହ୍ୟ ଅଞ୍ଚଳର କୁଶଳୀ କର୍ମଚାରୀ ଅନ୍ତର୍ଭୁକ୍ତ ହେବେ । ଏହା ସହିତ ହଜାର ହଜାର ପରୋକ୍ଷ ନିଯୁକ୍ତି ସହିତ ସ୍ଥାନୀୟ ଅଞ୍ଚଳରେ ବିଭିନ୍ନ ବ୍ୟବସାୟ ସୁଯୋଗ ମଧ୍ୟ ସୁଯୋଗ ସୃଷ୍ଟି ହେବ । ପ୍ରକଳ୍ପର ପ୍ରାୟ ଏକ ତୃତୀୟାଂଶ ଅଞ୍ଚଳରେ ୭.୭ ଲକ୍ଷ ବୃକ୍ଷରୋପଣ କରାଯାଇ ଏକ ସବୁଜ ବଳୟ ତିଆରି କରାଯିବ । କାରଖାନାଟି ଜିରୋ ଲିକ୍ୱିଡ୍ ଡିସଚାର୍ଜ ଜ୍ଞାନକୌଶଳରେ ନିର୍ମାଣ କରାଯିବ, ଯାହାଦ୍ୱାରା କାରଖାନାରୁ ନିର୍ଗତ ସମସ୍ତ ଜଳ ପୁନପ୍ରକ୍ରିୟାକରଣ କରାଯାଇ ବ୍ୟବହାର କରାଯିବ । ଅନୁମୋଦିତ ସୀମା ମଧ୍ୟରେ ପରିବେଶ ପ୍ରଦୂଷଣକୁ ନିୟନ୍ତ୍ରଣ କରିବାପାଇଁ ବିଭିନ୍ନ ପଦକ୍ଷେପ ଏବଂ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯିବା ସହିତ ପରିବେଶର ସମସ୍ତ ଉପାଦାନଗୁଡ଼ିକର ନିୟମିତ ମନିଟରିଂ କରାଯିବ । ଉପସ୍ଥିତ ସମସ୍ତ ଗ୍ରାମବାସୀ ମାନେ ଏହି ପ୍ରକଳ୍ପକୁ ସ୍ଵାଗତ କରିବା ସହିତ, ସ୍ଥାନୀୟ ନିଯୁକ୍ତିକୁ ଅଗ୍ରାଧିକାର ଦେବାପାଇଁ ଦାବୀ ଜଣାଇଥିଲେ । କର୍ପୋରେଟ ସାମାଜିକ ଦାୟିତ୍ଵ (ସିଏସଆର) କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳରେ ଅଧିକ ବିକାଶମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଦାବୀ ଜଣାଇଥିଲେ । ପ୍ରକଳ୍ପ ଅଞ୍ଚଳରେ ଏକ ମଲ୍ଟି ସ୍ପେଶିଆଲିଟି ଡାକ୍ତରଖାନା କାର୍ଯ୍ୟ ଖୁବ ଶୀଘ୍ର ଆରମ୍ବ ହେବ ବୋଲି ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାରର କତୃପକ୍ଷ ଜଣାଇଥିଲେ । ଏହି ଡାକ୍ତରଖାନା ପାଇଁ ଜମି ଚିହ୍ନଟ ହୋଇସାରିଛି ଏବଂ ସରକାରଙ୍କ ଅନୁମତି ପାଇଁ ଦରଖାସ୍ତ କମ୍ପାନୀ ତରଫରୁ ଦିଆଯାଇସାରିଛି । ଏହା ସହିତ କମ୍ପାନୀ ପକ୍ଷରୁ ସିଏସଆର କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରାଯିବ ସମ୍ପର୍କରେ କମ୍ପାନୀ କତୃପକ୍ଷ କହିଥିଲେ । ପରିବେଶ ପ୍ରଦୂଷଣ ମୁକ୍ତ କରିବା ପାଇଁ ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରାଯିବ ବୋଲି କମ୍ପାନୀ କତୃପକ୍ଷ ଜଣାଇଥିଲେ । ନିଯୁକ୍ତି କ୍ଷେତ୍ରରେ ଯୋଗ୍ୟତା ଅନୁଯାୟୀ ସ୍ଥାନୀୟ ଲୋକଙ୍କୁ ଅଗ୍ରାଧିକାର ଦିଆଯିବ ବୋଲି କମ୍ପାନୀ କତୃପକ୍ଷ ଜଣାଇଥିଲେ । ଛେଣ୍ଡିପଦା ବିଧାୟକ ଶ୍ରୀ ସୁଶାନ୍ତ କୁମାର ବେହେରା, ଅନୁଗୁଳ ପୌରପାଳ ଶ୍ରୀ ଅକ୍ଷୟ କୁମାର ସାମନ୍ତ, ସମ୍ବଲପୁର ସାଂସଦଙ୍କ ପ୍ରତିନିଧି ଶ୍ରୀ ଆଗସ୍ତି ବେହେରା ସହିତ କମ୍ପାନୀ ପକ୍ଷରୁ ଏହାର ନିର୍ବାହୀ ନିର୍ଦେଶକ ଶ୍ରୀ ହୃଦୟେଶ୍ଵର ଝା, ଭାଇସ-ପ୍ରେସିଡେଣ୍ଟ ଶ୍ରୀ ସୁରେଶ କୁମାର ଶର୍ମା ଏବଂ ଭାଇସ-ପ୍ରେସିଡେଣ୍ଟ ଶ୍ରୀ ଆଶିଷ ପାଣ୍ଡେ ଉପସ୍ଥିତ ଥିଲେ। ଅନୁଗୁଳ ଜିଲ୍ଲା ବଅଁରପାଳ ଓ ଛେଣ୍ଡିପଦା ତହସିଲ ଅନ୍ତର୍ଗତ ବସୁଦେବପୁର, ପାନପୁର, କଳିଆକଟା ଜଙ୍ଗଲ, ରାମଡିହ, କଳିଆକଟା, ସାନକେରଜଙ୍ଗ, ସାନକେରଜଙ୍ଗ ଜଙ୍ଗଲ, ବଡକେରଜଙ୍ଗ, ବଡକେରଜଙ୍ଗ ଜଙ୍ଗଲ, ଜାମୁଣ୍ଡା, ଜାମୁଣ୍ଡା ଜଙ୍ଗଲ, ପାରିପଡା, ଏବଂ ଜରଡ ଗ୍ରାମରେ ଏହି ପ୍ରସ୍ତାବିତ ପ୍ରକଳ୍ପରେ ପେଲେଟ ପ୍ଳାଣ୍ଟର କ୍ଷମତା ବାର୍ଷିକ ୫.୦ ମିଲିୟନ ଟନରୁ ୨୬.୦ ମିଲିୟନ ଟନ ଏବଂ ହଟ୍ ରୋଲିଙ୍ଗ ମିଲ ବାର୍ଷିକ ୩.୧ ମିଲିୟନ ଟନରୁ ୨୧.୧ ମିଲିୟନ ଟନ କୁ ସଂପ୍ରସାରଣ କରାଯିବ ସହିତ, ବାର୍ଷିକ ୧୯.୨ ମିଲିୟନ ଟନ ସମନ୍ଵିତ ଇସ୍ପାତ କାରଖାନା ସ୍ଥାପନ କରାଯିବ । ଏହି ପ୍ରସ୍ତାବିତ କାରଖାନାରେ ୫.୪ ଏମଟିପିଏ ଡିଆରଆଇ ପ୍ଳାଣ୍ଟ, ୧୧.୫ ଏମଟିପିଏ ସିଣ୍ଟର ପ୍ଳାଣ୍ଟ, ୫.୧୭ ଏମଟିପିଏ କୋକ୍ ଓଭନ, ୧୪.୦ ଏମଟିପିଏ ବ୍ଳାଷ୍ଟ ଫର୍ନେସ, ୬.୦ ଏମଟିପିଏ ଇଏଏଫ, ୧୩.୨ ଏମଟିପିଏ ବିଓଏଫ, ୧.୨ ଏମଟିପିଏ ୱେୟାର ରଡ୍ ମିଲ୍, ୭.୫ ଏମଟିପିଏ ସିଆରଏମ, ୭୨୦୦ ଟିପିଡି କାଲ୍ସିନେସନ ପ୍ଳାଣ୍ଟ, ୧୧୦୦୦ ଟିପିଡି ଅମ୍ଳଯନ କାରଖାନା, ୫୫୦ ମେଗା ୱାଟ ତାପଜ ବିଦ୍ୟୁତ କେନ୍ଦ୍ର, ୦.୩୭୬ ଏମଟିପିଏ ଫେରୋଆଲଏଜ ପ୍ଳାଣ୍ଟ, ଏବଂ ୧.୫ ଏମଟିପିଏ ସିମେଣ୍ଟ କାରଖାନା ରହିଛି ।
