ତୃତୀୟ ଟେଷ୍ଟ ପୂର୍ବରୁ ଇଂଲଣ୍ଡକୁ ଝଟ୍କା : ବାଦ୍ ପଡ଼ିଲେ ମାର୍କ ଉଡ୍
ନୂଆଦିଲ୍ଲୀ : ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଜାରି ରହିଥିବା ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ୍ର ତୃତୀୟ ମ୍ୟାଚ ହେଡିଙ୍ଗଲେ ଲିଡ୍ସରେ ଅଗଷ୍ଟ ୨୫ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ୦-୧ରେ ବ୍ୟାକ୍ଫୁଟ୍ରେ ଥିବା ଇଂଲଣ୍ଡକୁ ତୃତୀୟ ଟେଷ୍ଟ ପୂର୍ବରୁ ଶକ୍ତ ଝଟ୍କା ଲାଗିଛି । ଦଳର ଷ୍ଟାର ବୋଲର ମାର୍କ ଉଡ୍ କାନ୍ଧରେ ଆଘାତ କାରଣରୁ ତୃତୀୟ ଟେଷ୍ଟରୁ ବାଦ୍ ପଡିଥିବା ନେଇ ସୂଚନା ମିଳିଛି । ଲର୍ଡସ୍ରେ ମାର୍କ ଉଡ୍ସଙ୍କ ପ୍ରଦର୍ଶନ ଭାରତକୁ ଅଡୁଆରେ ପକାଇଥିଲା । ଦ୍ୱିତୀୟ ମ୍ୟାଚରେ ସେ ୫ଟି ୱିକେଟ ନେଇଥିଲେ । ଭାରତ ଏହି ମ୍ୟାଚକୁ ୧୫୧ରନର ବୃହତ ବ୍ୟବଧାନରେ ଜିତିନେଇଥିଲା । ତେବେ ମାର୍କ ଉଡ୍ ତୃତୀୟ ଟେଷ୍ଟରୁ ବାଦ ପଡିବା ପରେ ଇଂଲଣ୍ଡର ଚିନ୍ତା ବଢିଯାଇଛି । ଉଡ୍ଙ୍କ ପୂର୍ବରୁ ଇଂଲଣ୍ଡର ସ୍ପିଡ୍ ଷ୍ଟାର ଷ୍ଟୁଆର୍ଟ ବ୍ରଡ୍ ଆହତ କାରଣରୁ ପୁରା ସିରିଜ୍ରୁ ବାଦ ପଡିଥିଲେ । ସେପଟେ ଜୋଫ୍ରା ଆର୍ଚର ମଧ୍ୟ ଟିମରେ ସାମିଲ ନାହାନ୍ତି । ଯାହାକି ଇଂଲଣ୍ଡକୁ ଆସନ୍ତା ଟେଷ୍ଟ ପାଇଁ ସଙ୍କଟରେ ପକାଇବ । ଅବଶ୍ୟ ଜେମ୍ସ ଆଣ୍ଡରସନଙ୍କ ଭଳି ଅଭିଜ୍ଞ ବୋଲର ଦଳରେ ଅଛନ୍ତି ।
ଲର୍ଡସ୍ ଟେଷ୍ଟରେ ୨୭୨ ରନର ପିଛା କରିବାକୁ ଯାଇ ଭାରତ ସାମ୍ନାରେ ଆତ୍ମ ସମର୍ପଣ କରିଥିଲେ ଇଂଲଣ୍ଡର ବ୍ୟାଟିଂ ବାହିନୀ । ଇଂଲଣ୍ଡ ଉପରେ ପ୍ରଥମରୁ ହିଁ ଭାରିପଡିଥିଲେ ଭାରତୀୟ ବୋଲିଂ ବାହିନୀ । ଇଂଲଣ୍ଡର ପୁରା ଟିମ ମାତ୍ର ୧୨୦ରନରେ ଅଲଆଉଟ ହୋଇଯାଇ ଥିଲା । ଅଧିନାୟକ ଜୋ ରୁଟ୍ ସର୍ବାଧିକ ୩୩ ରନ କରିଥିଲେ ସୁଦ୍ଧା ଅନ୍ୟମାନେ ସମ୍ପୂର୍ଣ୍ଣ ଭାବେ ଫେଲ ମାରିଥିଲେ । ଭାରତ ପକ୍ଷରୁ ଉଦୀୟମାନ ବୋଲର ମହମ୍ମଦ ସିରାଜ ଉଭୟ ଇଂନିସରେ ମୋଟ ୮ଟି ୱିକେଟ ନେଇ ଇଂଲଣ୍ଡର ବ୍ୟାଟିଂ ବାହିନୀକୁ ଧୂଳିସାତ କରିଦେଇଥିଲେ । ବୋଲିଂ ସହିତ ବ୍ୟାଟିଂରେ ମଧ୍ୟ କମାଲ କରିଥିଲେ ମହମ୍ମଦ ସାମୀ । ବୁମରାହଙ୍କ ସହ ମିଶି ଦ୍ୱିତୀୟ ଇଂନିସରେ ୯ମ ୱିକେଟ ପାଇଁ ୮୯ ରନର ଭାଗିଦାରୀ କରିଥିଲେ । ଯାହାଫଳରେ ଭାରତ ଏକ ସମ୍ମାନ ଜନକ ସ୍ଥିତିରେ ପହଂଚି ପାରିଥିଲା ଏବଂ ପରେ ବୋଲରଙ୍କ ଘାତକ ବୋଲିଂ ସାମ୍ନାରେ ଆତ୍ମସମର୍ପଣ କରିଥିଲେ ଇଂଲଣ୍ଡର ବ୍ୟାଟ୍ସମ୍ୟାନ ।
