୧୧ଜଣ ସାଂସଦଙ୍କୁ ମିଳିବ ସଂସଦ ରତ୍ନ ପୁରସ୍କାର
ନୂଆଦିଲ୍ଲୀ : ୧୧ଜଣ ସାଂସଦଙ୍କୁ ମିଳିବ ସଂସଦ ରତ୍ନ ପୁରସ୍କାର । କେନ୍ଦ୍ର ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଏବଂ ଭାରତର ପୂର୍ବତନ ମୁଖ୍ୟ ନିର୍ବାଚନ କମିଶନର ଟିଏସ୍ କ୍ରିଷ୍ଣମୂର୍ତ୍ତିଙ୍କ ଅଧ୍ୟକ୍ଷତାରେ ବସିଥିବା ଜୁରୀ କମିଟି ଲୋକସଭାରୁ ୮ଜଣ ସାଂସଦ ଏବଂ ରାଜ୍ୟସଭାରୁ ୩ଜଣ ସାଂସଦଙ୍କୁ ଏଥିପାଇଁ ଚୟନ କରିଛନ୍ତି । ଓଡ଼ିଶାରୁ ପ୍ରତିନିଧିତ୍ୱ କରୁଥିବା ବିଜେଡି ରାଜ୍ୟସଭା ସାଂସଦ ଡ. ଅମର ପଟ୍ଟନାୟକଙ୍କ ନାମ ମଧ୍ୟ ସଂସଦ ରତ୍ନ ଲାଗି ଚୟନ ହୋଇଛି ।
ଡ. ପଟ୍ଟନାୟକଙ୍କ ସହ ସଂସଦ ରତ୍ନ ପାଇବାକୁ ଚୟନ ହୋଇଥିବା ରାଜ୍ୟସଭାର ଅନ୍ୟ ଦୁଇ ସଦସ୍ୟ ହେଉଛନ୍ତି ଡ. ଫୌଜିଆ ତହସିନ୍ ଅହମ୍ମଦ ଖାନ୍(ଏନ୍ସିପି, ମହାରାଷ୍ଟ୍ର) ଏବଂ କେକେ ରାଗେଶ(ସିପିଆଇଏମ୍, କେରଳ) । ଡ. ପଟ୍ଟନାୟକ ଓ ଡ. ଖାନ୍ ବର୍ଷ ୨୦୨୧ରେ ସେମାନଙ୍କର ପ୍ରଦର୍ଶନ ପାଇଁ ସିଟିଂ ମେମ୍ବର ବର୍ଗରେ ପୁରସ୍କାର ପାଇଁ ବିବେଚିତ ହୋଇଥିବା ବେଳେ ଶ୍ରୀ ରାଗେଶ ୨୦୨୧ରେ ଅବସର ନେଇଥିବା ସଦସ୍ୟ ବର୍ଗରେ ନିଜର ଉଲ୍ଲେଖନୀୟ ରାଜ୍ୟସଭା କାର୍ଯ୍ୟକାଳ ପାଇଁ ଏହି ପୁରସ୍କାର ପାଇବେ ।
ସେହିଭଳି ପୁରସ୍କାର ପାଇଁ ଚୟନ ହୋଇଥିବା ଲୋକସଭା ସାଂସଦଙ୍କ ମଧ୍ୟରୁ ଏନସିପିର ସୁପ୍ରିୟା ସୁଲେ(ମହାରାଷ୍ଟ୍ର), ଆରଏସ୍ପିର ଏନ୍କେ ପ୍ରେମଚନ୍ଦ୍ରନ୍(କେରଳ) ଓ ଶ୍ରୀରଙ୍ଗ ଅପ୍ପା ବର୍ଣ୍ଣେ(ଶିବସେନା, ମହାରାଷ୍ଟ୍ର)ଙ୍କୁ ଗୃହରେ ନିରନ୍ତର ଭଲ ପ୍ରଦର୍ଶନ ଲାଗି ‘ସଂସଦ ବିଶିଷ୍ଟ ରତ୍ନ’ ପୁରସ୍କାର ପ୍ରଦାନ କରାଯିବ । ଅନ୍ୟପଟେ ଲୋକସଭାର ସଦସ୍ୟ ରହିଥିବା ବିଦ୍ୟୁତ୍ ବାରଣ ମହତୋ(ବିଜେପି, ଝାଡ଼ଖଣ୍ଡ), କୁଲଦୀପ ରାୟ ଶର୍ମା(କଂଗ୍ରେସ, ଆଣ୍ଡାମାନ ଓ ନିକୋବର), ଡ. ହୀନା ବିଜୟକୁମାର ଗାବିତ୍(ବିଜେପି, ମହାରାଷ୍ଟ୍ର), ସୌଗତ ରାୟ(ଟିଏମ୍ସି, ପଶ୍ଚିମବଙ୍ଗ) ଏବଂ ସୁଧୀର ଗୁପ୍ତା(ବିଜେପି, ମଧ୍ୟପ୍ରଦେଶ)ଙ୍କୁ ୧୭ତମ ଲୋକସଭାରେ ସେମାନଙ୍କର ଜବରଦସ୍ତ ପ୍ରଦର୍ଶନ ଲାଗି ସଂସଦ ରତ୍ନ ପୁରସ୍କାର-୨୦୨୨ରେ ସମ୍ମାନିତ କରାଯିବ ।
ସେହିଭଳି ତାମିଲନାଡ଼ୁରୁ ପ୍ରତିନିଧିତ୍ୱ କରୁଥିବା ବରିଷ୍ଠ ବିଜେପି ନେତା ଏଚ୍ଭି ହାଣ୍ଡେ ଏବଂ ହେଭିୱେଟ୍ କଂଗ୍ରେସ ନେତା ଏନ୍ ବିରାପ୍ପା ମୋଇଲିଙ୍କୁ ସ୍ୱତନ୍ତ୍ର ଭାବେ ଜୀବନବ୍ୟାପୀ ସାଧନା ପୁରସ୍କାର ପାଇଁ ମନୋନୀତ କରାଯାଇଛି । ଏହାବାଦ୍ ସଂସଦର ୪ଟି ଷ୍ଟାଣ୍ଡିଂ କମିଟି ଯଥା କୃଷି, ଅର୍ଥ, ଶିକ୍ଷା ଏବଂ ଶ୍ରମକୁ ମଧ୍ୟ ଉଲ୍ଲେଖନୀୟ କାର୍ଯ୍ୟପାଇଁ ସ୍ୱତନ୍ତ୍ର ପୁରସ୍କାରରେ ସମ୍ମାନିତ କରାଯିବ ବୋଲି ପ୍ରାଇମ୍ ପଏଣ୍ଟ ଫାଉଣ୍ଡେସନ୍ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି । ଫାଉଣ୍ଡେସନର ଅଧ୍ୟକ୍ଷ କେ ଶ୍ରୀନିବାସନଙ୍କ କହିବାନୁଯାୟୀ, ସାଂସଦମାନଙ୍କ ପ୍ରଦର୍ଶନକୁ ନେଇ ପିଆର୍ଏସ୍ ଇଣ୍ଡିଆ ଦ୍ୱାରା ପ୍ରଦତ୍ତ ତଥ୍ୟ ଆଧାରରେ ଏହି ପୁରସ୍କାର ପାଇଁ ନାମ ଚୟନ ହୋଇଛି ।
