ରାଇବଣିଆରେ ହାତୀ ଆତଙ୍କ ! ଭାଙ୍ଗିଲେ ୪ ଘର, ଭୟଭୀତ ଲୋକେ
ଜଳେଶ୍ୱର : ବାଲେଶ୍ୱର ଜିଲାର ଜଳେଶ୍ୱର ବ୍ଳକ ଅଧିନ ରାଇବଣିଆ ଅଞ୍ଚଳରେ ଶିମିଳିପାଳର ୪ଟି ହାତୀ ଗତ ଶୁକ୍ରବାର ଆମ୍ବତୁମ୍ବା ଜଙ୍ଗଲରେ ରହିବା ସହିତ ୪ଟି ଘରକୁ ଭାଙ୍ଗି ଧରାଶାୟୀ କରିଛନ୍ତି । ହାତୀମାନେ ବରଡ଼ିଆ, କଳମା, ଖୁଆଡ଼, ଶ୍ୟାମନଗର, ରାଇବଣିଆ ଓ କାଳିକ ପଞ୍ଚାୟତରେ ୨ଦିନ ଧରି ବ୍ୟାପକ କ୍ଷୟକ୍ଷତି କରିଥିବା ବେଳେ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି । ରଙ୍ଗାମାଟିଆ ଗାଁର ଅର୍ଜୁନ ବେହେରା, ଗୁଣାଧର ବେହେରା, କଲ୍ୟାଣପୁରର ରାଜ ସିଂ, ହିରାଲାଲ ସିଂର ଘରକୁ ଭାଙ୍ଗିବା ସହିତ ଆସବାପତ୍ର ନଷ୍ଟ କରିଛି ।
ହାତୀ ଗୁଡ଼ିକ ଏ ଜଙ୍ଗଲରୁ ସେ ଜଙ୍ଗଲକୁ ଘୁରି ବୁଲୁଥିବା ବେଳେ ସଞ୍ଜ ହେଲେ ଗ୍ରାମାଭିମୁଖୀ ହେଉଛନ୍ତି । ଏ ସମ୍ପର୍କରେ ଫରେଷ୍ଟର ଦୁଷ୍ମନ୍ତ ଜେନାଙ୍କୁ ପଚାରିବାରୁ ୩ଟି ହାତୀ ରାସଗୋବିନ୍ଦପୁର ଅଞ୍ଚଳକୁ ଚାଲି ଯାଇଥିବା ବେଳେ ଗୋଟିଏ ହାତୀ ଲୁହାପଡ଼ା ଅଞ୍ଚଳରେ ଥିବା କହିଛନ୍ତି । ହାତୀ ଗୁଡ଼ିକ ଘଉଡ଼ାଇବା ଲାଗି ବରଡ଼ିଆ ରେଞ୍ଜର ବନକର୍ମଚାରୀ ମାନେ ନିୟୋଜିତ ଥିବା ସେ କହିଛନ୍ତି । ତେବେ ପ୍ରକୃତପକ୍ଷେ ଅଧିକ ହାତୀ ଦୁଧିଆଶୋଳ, ରଙ୍ଗାମାଟିଆ, ଧାନଘେରା, କୁମୁଟିଆ ଗାଁ ନିକଟରେ ରହିଥିବା କୁହାଯାଇଛି । ହାତୀ ସମସ୍ୟାର ସମାଧାନ ଲାଗି ନବନିର୍ବାଚିତ ସରପଞ୍ଚମାନେ ଦାବି କରିଛନ୍ତି ।
