ଜଳାଶୟରୁ ହାତୀ ଛୁଆର ମୃତଦେହ ଉଦ୍ଧାର
ଦେବଗଡ଼ : ବାରକୋଟ ରେଞ୍ଜ ବଳମ ସେକ୍ସନ ଦଣ୍ଡାସିଂହା ବିଟ ଅନ୍ତର୍ଗତ ଗିନାହଜା ଗ୍ରାମ ନିକଟସ୍ଥ ବ୍ରାହ୍ମଣି ନଦୀବନ୍ଧ ଜଳାଶୟରୁ ଏକ ହାତୀ ଛୁଆର ମୃତଦେହ ଉଦ୍ଧାର କରାଯାଇଛି। ସୂଚନା ପାଇ ଦେବଗଡ଼ ବନଖଣ୍ଡ ଅଧିକାରୀ ମଗର ଧନଜୀ ରାଓସୋ, ବନ ବିଭାଗ ଅଧିକାରୀ ଓ କର୍ମଚାରୀଙ୍କ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
ପ୍ରାଥମିକ ତଦନ୍ତରେ ହାତୀ ଶାବକଟି ନଈକୂଳରେ ଥିବା ଦଳ ମଧ୍ୟରେ ପଡ଼ିଯିବା କାରଣରୁ ଜଳ ମଧ୍ୟରେ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁବରଣ କରିଥିବା ଅନୁମାନ କରାଯାଉଥିବା ନେଇ ବନଖଣ୍ଡ ଅଧିକାରୀ ଶ୍ରୀ ରାଓସୋ କହିଛନ୍ତି। ପ୍ରାଣୀଧନ ଡାକ୍ତରଙ୍କ ବ୍ୟବଛେଦ ରିପୋର୍ଟ ଆସିବା ପରେ ହାତୀ ମୃତ୍ୟୁ ପଛର କାରଣ ଜଣାପଡ଼ିବ ବୋଲି ସୂଚନା ମିଳିଛି।
